Latest Odisha News

BREAKING NEWS

ସରକାରଙ୍କ ବଡ ନିଷ୍ପତି, ଚାରିଧାମ ଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ଆରମ୍ଭ ହେଲା ଇ-ସ୍ଵାସ୍ଥ୍ୟ ଧାମ ଆପ୍

ଡେରାଡୁନ: ଉତ୍ତରାଖଣ୍ଡ ସରକାରଙ୍କ ବଡ ପଦକ୍ଷେପ । ଚାରିଧାମ ଯାତ୍ରା ପାଇଁ ଆସୁଥିବା ଭକ୍ତମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ବିଭାଗ ଏବଂ ୱିସ୍ ଫାଉଣ୍ଡେସନ ଦ୍ୱାରା ଇ-ସ୍ଵାସ୍ଥ୍ୟ ଧାମ ଆପ୍ ଲଞ୍ଚ କରାଯାଇଛି। ଭକ୍ତମାନଙ୍କୁ ଏହି ଆପରେ ସେମାନଙ୍କର ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦେବାକୁ ପଡିବ । ପଞ୍ଜୀକରଣ ସମୟରେ ଭକ୍ତମାନଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦେବା ପାଇଁ ସଚେତନ କରାଇବାକୁ ମୁଖ୍ୟ ଶାସନ ସଚିବ ରାଧା ରତୁଡୀ, ସ୍ୱାସ୍ଥ୍ୟ ଓ ପର୍ଯ୍ୟଟନ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗତକାଲି ସ୍ୱାସ୍ଥ୍ୟ ଏବଂ ପର୍ଯ୍ୟଟନ ବିଭାଗର ବୈଠକରେ ଏହି ଆପ୍ ସମ୍ବନ୍ଧରେ ସୂଚନା ଦିଆଯାଇଛି। ଏହି ଆପ୍ ଚାରିଧାମ ଯାତ୍ରାର ପଞ୍ଜିକରଣ ପୋର୍ଟାଲରେ ରଖାଯାଇଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଯାତ୍ରା ମାର୍ଗର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି । ଏଠାରେ ୫୦ ବର୍ଷରୁ ଅଧିକ ଭକ୍ତଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି । ମୁଖ୍ୟ ସଚିବ କହିଛନ୍ତି ଯେ, ଯଦି ପଞ୍ଜୀକରଣ ସମୟରେ ଭକ୍ତଙ୍କ ଦ୍ଵାରା ସଠିକ୍ ଚିକିତ୍ସାର ତଥ୍ୟ ପ୍ରଦାନ କରାଯାଏ, ତେବେ ଜରୁରୀକାଳୀନ ପରିସ୍ଥିତିରେ ଭକ୍ତମାନଙ୍କୁ ଚିକିତ୍ସା ସହାୟତା ପ୍ରଦାନରେ ଏହା ପ୍ରଶାସନକୁ ସାହାଯ୍ୟ କରିବ ଏବଂ ଏଠାକୁ ଆସୁଥିବା ଭକ୍ତମାନଙ୍କୁ ମଧ୍ୟ ଉପଯୁକ୍ତ ଏବଂ ସଠିକ୍ ସମୟରେ ଚିକିତ୍ସା ଯୋଗାଇବା ସମ୍ଭବ ହେବ ।

ସୂଚନାଯୋଗ୍ୟ ଯେ, ଚାରିଧାମ ଯାତ୍ରା ଲାଗି ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଉତ୍ତରାଖଣ୍ଡରେ ଏହି କାରଣରୁ ଭୀଷଣ ଭିଡ ପରିଲକ୍ଷିତ ହେଉଛି । ଏହି ଭିଡ ଏବେ ଶ୍ରଦ୍ଧାଳୁ ଓ ପ୍ରଶାସନ ଲାଗି ଚିନ୍ତାର କାରଣ ପାଲଟିଛି । ଗତ ମେ’ ୧୦ ତାରିଖରେ କେଦାରନାଥ ଧାମ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ମନ୍ଦିରର ଦ୍ବାର ଖୋଲିଥିବାବେଳେ ମେ’ ୧୨ ତାରିଖରେ ବଦ୍ରିନାଥ ଧାମର ଦ୍ବାର ଖୋଲିଥିଲା । ତେବେ ହେମକୁଣ୍ଡ ସାହିବଙ୍କ କବାଟ ୨୫ ମଇରେ ଖୋଲିବ ।

 

Leave A Reply

Your email address will not be published.