Latest Odisha News

BREAKING NEWS

ନିର୍ବାଚନୀ ବଣ୍ଡ: ଏସବିଆଇ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ନା ମିଳିବ ମହଲତ?

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ପକ୍ଷରୁ ଦାଖଲ କରାଯାଇଥିବା ଆବେଦନର ଶୁଣାଣି ଆସନ୍ତା ୧୧ ତାରିଖରେ ହେବ। ଗତ ସପ୍ତାହରେ ଏସବିଆଇ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇ ରାଜନୈତିକ ଦଳମାନଙ୍କ ଦ୍ୱାରା ନଗଦ ହୋଇଥିବା ପ୍ରତ୍ୟେକ ନିର୍ବାଚନୀ ବଣ୍ଡର (ଇଲେକ୍ଟୋରାଲ ବଣ୍ଡ) ବିବରଣୀ ପ୍ରକାଶ କରିବା ପାଇଁ ଜୁନ୍ ୩୦ ପର୍ଯ୍ୟନ୍ତ ସମୟ ବୃଦ୍ଧି କରିବାକୁ ଅନୁରୋଧ କରିଥିଲା। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏସବିଆଇ ଦ୍ୱାରା ଉଦ୍ଦେଶ୍ୟମୂଳକ ବିଳମ୍ବ ଅଭିଯୋଗ କରି ଏଡିଆରର ଅବମାନନା ଆବେଦନର ଶୁଣାଣି କରିବେ।

ରିପୋର୍ଟ ଅନୁଯାୟୀ, ଏସବିଆଇ ଦ୍ୱାରା ଦାଖଲ କରାଯାଇଥିବା ସମୟସୀମା ବୃଦ୍ଧି ପାଇଁ ହୋଇଥିବା ଆବେଦନ ବ୍ୟତୀତ ଅନ୍ୟ ଏକ ଆବେଦନର ଶୁଣାଣି ସର୍ବୋଚ୍ଚ ଅଦାଲତ କରିବେ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଇଲେକ୍ଟୋରାଲ ବଣ୍ଡ ମାମଲାରେ ଏସବିଆଇ ବିରୋଧରେ ଅବମାନନା ମାମଲା ଆରମ୍ଭ କରିବାକୁ ହୋଇଥିବା ଏକ ପୃଥକ ଆବେଦନର ଶୁଣାଣି କରିବେ।

ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୧୫ ତାରିଖରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଥିଲେ, ଯେଉଁଥିରେ କେନ୍ଦ୍ରର ଇଲେକ୍ଟୋରାଲ ବଣ୍ଡ ସ୍କିମକୁ ରଦ୍ଦ କରାଯାଇଛି। ଏହି ଯୋଜନା ଅଧୀନରେ ରାଜନୈତିକ ଦଳଗୁଡ଼ିକୁ ବେନାମୀ ପାଣ୍ଠି ପ୍ରଦାନ କରାଯାଉଥିଲା। ଏହି ନୀତିକୁ ସୁପ୍ରିମକୋର୍ଟ ଅସାମ୍ବିଧାନିକ ବୋଲି କହିଥିଲେ। ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ସମସ୍ତ ଦାତା ଓ ଗ୍ରହଣକାରୀଙ୍କ ଦ୍ୱାରା ଦାନ କରାଯାଇଥିବା ଅନୁଦାନର ଖୁଲାସା କରିବାକୁ ଖଣ୍ଡପୀଠ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ପୂର୍ବ ନିର୍ଦ୍ଦେଶରେ ଏହି ଯୋଜନାକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ଏହି ଯୋଜନାର ଅଧିକୃତ ଆର୍ଥିକ ଅନୁଷ୍ଠାନ ଏସବିଆଇକୁ ୨୦୧୯ ଏପ୍ରିଲ ୧୨ରୁ ଏ ପର୍ଯ୍ୟନ୍ତ ଇଲେକ୍ଟୋରାଲ ବଣ୍ଡର ବିବରଣୀ ମାର୍ଚ୍ଚ ୬ ତାରିଖ ସୁଦ୍ଧା ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ ନିର୍ବାଚନ ଆୟୋଗ ମାର୍ଚ୍ଚ ୧୩ ତାରିଖ ସୁଦ୍ଧା ନିଜ ଅଫିସିଆଲ ୱେବସାଇଟରେ ଏ ସଂକ୍ରାନ୍ତ ତଥ୍ୟ ପ୍ରକାଶ କରିବେ। ସୁପ୍ରିମକୋର୍ଟ ତାଙ୍କ ପୂର୍ବ ନିର୍ଦ୍ଦେଶରେ ଏସବୁ କହିଛନ୍ତି।

Comments are closed.