ମୁମ୍ବାଇ: ବିଦେଶରେ ମୋଟା ଦରମାର ଚାକିରି…ଆଉ ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନ । ହେଲେ ପଛରେ ଲୁଚିଛି ନର୍କ ଯନ୍ତ୍ରଣାର ଅକୁହା କଥା । ଏହି ସ୍ୱପ୍ନ ଏବେ ଅନେକ ଭାରତୀୟ ଯୁବକଙ୍କ ପାଇଁ ପାଲଟିଯାଇଛି ଦୁଃସ୍ୱପ୍ନ। ଥାଇଲ୍ୟାଣ୍ଡରେ ଚାକିରିର ପ୍ରଲୋଭନ ଦେଖାଇ ମିଆଁମାରର ସାଇବର ଠକ ଗ୍ୟାଙ୍ଗର ଏକ ଘଟଣା ଏବେ ସମସ୍ତଙ୍କ ଛାତି ଥରାଇ ଦେଇଛି ।
ବିଦେଶରେ ମୋଟା ଦରମାର ଚାକିରିର ସ୍ୱପ୍ନ ଦେଖାଇ ଭାରତୀୟ ଯୁବକମାନଙ୍କୁ ଫସାଉଛନ୍ତି ଆନ୍ତର୍ଜାତିକ ସାଇବର ମାଫିଆ। ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ କଲ୍ ସେଣ୍ଟର ଚାକିରି ଦେବାର ପ୍ରଲୋଭନ ଦେଖାଇ ଯୁବକମାନଙ୍କୁ ମିଆଁମାରକୁ ନେଇ ବନ୍ଦୀ କରାଯାଉଛି। ସେଠାରେ ସେମାନଙ୍କୁ ଦିନକୁ ୧୮ ଘଣ୍ଟା କାମ କରିବାକୁ ବାଧ୍ୟ କରାଯିବା ସହ କାମ କରିବାକୁ ମନା କଲେ ବିଦ୍ୟୁତ୍ ଝଟକା ଦେଇ ଅମାନବୀୟ ନିର୍ଯାତନା କରାଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି।
ଜଣେ ନୁହେଁ କି ଦୁଇ ଜଣ ଜଣ ନୁହେଁ, ମିଆଁମାରରେ ଆନ୍ତର୍ଜାତିକ ସାଇବର ମାଫିଆଙ୍କ କବଳରେ ଫସିଛନ୍ତି ମହାରାଷ୍ଟ୍ରର ୨୫ ଜଣ ଯୁବକ। ସେମାନଙ୍କ ମଧ୍ୟରୁ ନାଶିକର କୌସ୍ତୁଭ ଶେଜୱାଲ ନିଜ ପରିବାର ସହ ଯୋଗାଯୋଗ କରି ସେଠାର ଭୟଙ୍କର ସ୍ଥିତି ବିଷୟରେ ଜଣାଇଛନ୍ତି। ୩୦ ବର୍ଷୀୟ କୌସ୍ତୁଭ ଶେଜୱାଲ ମହାରାଷ୍ଟ୍ରର ନାଶିକ ଜିଲ୍ଲାର ବାସିନ୍ଦା। ସେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ଗତ ଏପ୍ରିଲ ୨୫ ତାରିଖରେ ଜଣେ ବନ୍ଧୁଙ୍କ କଥାରେ ବ୍ୟାଙ୍କକରେ କଲ୍ ସେଣ୍ଟର ଚାକିରି ପାଇଁ ଘର ଛାଡ଼ିଥିଲେ। ତାଙ୍କୁ ମାସିକ ୭୦ ହଜାର ଟଙ୍କା ଦରମାର ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ବ୍ୟାଙ୍କକରେ ପହଞ୍ଚିବା ପରିବର୍ତ୍ତେ ତାଙ୍କୁ ଅଜଣା ଲୋକମାନେ ମିଆଁମାରକୁ ନେଇଯାଇଥିଲେ। ସେଠାରେ ତାଙ୍କୁ ସାଇବର ଅପରାଧ କେନ୍ଦ୍ରରେ ବନ୍ଦୀ କରି ରଖାଯାଇଛି। ହେଲେ କେମିତି କେଜାଣି ସୁଯୋଗ ପାଇ ସେ ପରିବାରକୁ ଫୋନ୍ କରି ସବୁ ସତ କହିଛନ୍ତି ଯେ, କିପରି ପ୍ରତିଦିନ ୧୮ ଘଣ୍ଟା କାମ କରିବାକୁ ବାଧ୍ୟ କରାଯାଉଛି ଏବଂ ଅକଥନୀୟ ଯନ୍ତ୍ରଣା ଦିଆଯାଉଛି । କୌସ୍ତୁଭଙ୍କ କହିବା ଅନୁସାରେ, ସେମାନଙ୍କୁ ଏଭଳି ଖାଦ୍ୟ ଦିଆଯାଉଛି ଯାହା ମୂଷା କିମ୍ବା ଅସରପା ମଧ୍ୟ ଖାଇବେ ନାହିଁ। କାମ କରିବାକୁ ମନା କଲେ ସେମାନଙ୍କୁ ଗୋଟିଏ କୋଠରୀରେ ବାନ୍ଧି ରଖାଯାଉଛି ଏବଂ ବିଦ୍ୟୁତ୍ ଝଟକା ଦେଇ ନିର୍ଯାତନା ଦିଆଯାଉଛି। ସେଠାରେ ଫସିଥିବା ମହିଳାମାନଙ୍କୁ ମଧ୍ୟ ଅମାନବୀୟ ନିର୍ଯାତନା ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି।
କୌସ୍ତୁଭଙ୍କ ପରିବାର କହିଛି, ଏହି ଟ୍ରାପରେ ମହାରାଷ୍ଟ୍ରର ପ୍ରାୟ ୨୫ ଜଣ ଯୁବକ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣ କେବଳ ନାଶିକର। ପୁଅର ସୁରକ୍ଷିତ ଫେରିବାକୁ ନେଇ ପରିବାର ଚିନ୍ତାରେ ରହିଥିବା ବେଳେ ସରକାରଙ୍କ ସହାୟତା ଲୋଡିଛନ୍ତି । ଅନ୍ୟପଟେ ସରକାର ମଧ୍ୟ ଘଟଣାକୁ ନେଇ ତତ୍ପରତା ଦେଖାଇଛନ୍ତି । ମହାରାଷ୍ଟ୍ର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଗିରିଶ ମହାଜନ ନାଶିକରେ ଫସିଥିବା ଯୁବକମାନଙ୍କ ସହ କଥା ହୋଇଛନ୍ତି। ସେମାନଙ୍କୁ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହଯୋଗର ଆଶ୍ୱାସନ ଦେବା ସହ ଶୀଘ୍ର ଉଦ୍ଧାର ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।
ତେବେ ସରକାରୀ ସୂତ୍ର ଅନୁସାରେ, ମହାରାଷ୍ଟ୍ରର ୨୫ରୁ ଅଧିକ ଯୁବକ ଏହି ଠକେଇର ଶିକାର ହୋଇଛନ୍ତି। ସାରା ଦେଶରୁ ୪୦୦ରୁ ଅଧିକ ଭାରତୀୟ ବର୍ତ୍ତମାନ ମିଆଁମାର ସମେତ ବିଭିନ୍ନ ସାଇବର ଅପରାଧ କେନ୍ଦ୍ରରେ ଫସି ରହିଥିବା ସୂଚନା ମିଳିଛି। ଗତ କିଛି ମାସ ହେବ କାମ୍ବୋଡିଆ, ମିଆଁମାର, ଲାଓସ ଭଳି ଦେଶରେ ସକ୍ରିୟ ସାଇବର ଗ୍ୟାଙ୍ଗ ସୋସିଆଲ ମିଡିଆ ଜରିଆରେ ଭାରତୀୟ ଯୁବକମାନଙ୍କୁ ଟାର୍ଗେଟ କରୁଛନ୍ତି। ଆଇଟି, ଡାଟା ଏଣ୍ଟ୍ରି, ଡିଜିଟାଲ ମାର୍କେଟିଂ ଏବଂ କଷ୍ଟମର ସପୋର୍ଟ ଭଳି ଚାକିରିର ଲୋଭ ଦେଖାଇ ସେମାନଙ୍କୁ ବିଦେଶକୁ ନେଇଯାଉଛନ୍ତି। ବିଦେଶରେ ପହଞ୍ଚିବା ପରେ ଯୁବକମାନଙ୍କୁ ସାଇବର ଅପରାଧ କେନ୍ଦ୍ରକୁ ନିଆଯାଉଛି। ସେଠାରେ ଅନଲାଇନ୍ ନିବେଶ ଠକେଇ, କ୍ରିପ୍ଟୋକରେନ୍ସି ଠକେଇ ଏବଂ ବିଭିନ୍ନ ଆର୍ଥିକ ସାଇବର ଅପରାଧ କରିବାକୁ ବାଧ୍ୟ କରାଯାଉଛି। ସେମାନଙ୍କ ପାସପୋର୍ଟ ଜବତ କରାଯାଉଛି ଏବଂ ଟାର୍ଗେଟ ପୂରଣ ନ କଲେ ନିର୍ଯାତନା ଦିଆଯାଉଛି।
ଏହା ପ୍ରଥମ ଘଟଣା ନୁହେଁ। ଚଳିତ ବର୍ଷ ଜାନୁଆରୀରେ ଆନ୍ଧ୍ରପ୍ରଦେଶର ୧୨୦ରୁ ଅଧିକ ଲୋକଙ୍କୁ ମିଆଁମାରର ସାଇବର କେନ୍ଦ୍ରରୁ ଉଦ୍ଧାର କରାଯାଇଥିଲା। ଗତ ବର୍ଷ ନଭେମ୍ବର ଏବଂ ଡିସେମ୍ବରରେ ମଧ୍ୟ ୭୯ ଜଣ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଦେଶକୁ ଫେରାଇ ଅଣାଯାଇଥିଲା। ତେଣୁ ସୋସିଆଲ ମିଡିଆ କିମ୍ବା ଅଜଣା ଏଜେଣ୍ଟଙ୍କ ଚାକିରି ଅଫର ଉପରେ ବିଶ୍ୱାସ କରିବା ପୂର୍ବରୁ ସମ୍ପୂର୍ଣ୍ଣ ଯାଞ୍ଚ କରିବା ଏବଂ କେବଳ ଅଧିକୃତ ମାଧ୍ୟମରେ ବିଦେଶ ଚାକିରି ପାଇଁ ଆବେଦନ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି।