Latest Odisha News

BREAKING NEWS

Tiger Inside House: ଘରେ ପଶିଗଲା ମହାବଳ ବାଘ! ଛାନିଆ ଗାଁ ଲୋକେ…୧୫ ଘଣ୍ଟା ନାକେଦମ୍ ପରେ ଜନ୍ତାରେ ପଡିଲା..

କରଞ୍ଜିଆ: ମୟୂରଭଞ୍ଜରେ ବାଘକୁ ନେଇ ଭୟର ବାତାବରଣ। ଘର ଅଗଣାରେ ବାଘକୁ ଦେଖି ଆତଙ୍କିତ ହୋଇପଡ଼ିଲେ ପରିବାର। ଏତିକି ନୁହେଁ, ଗୋଟିଏ ଘରୁ ବାହାରିବା ପରେ ପୁଣି ଗାଁର ଅନ୍ୟ ଏକ ଘର ଭିତରକୁ ପଶିଗଲା ବାଘ। ଏହି ଘଟଣାକୁ ନେଇ ପୂରା ଅଞ୍ଚଳରେ ଭୟ ଓ ଆତଙ୍କ ଖେଳିଯାଇଛି।

ଘଟଣାଟି କରଞ୍ଜିଆ ବନଖଣ୍ଡ ଅଧୀନ ସାଲେଇବେଡ଼ା ଗ୍ରାମ ପଞ୍ଚାୟତର ଖପରାଖାଇ ଗାଁର ବୋଲି ଜଣାପଡ଼ିଛି। ଗତ ପ୍ରାୟ ୩ ଦିନ ହେଲା ଏହି ଅଞ୍ଚଳରେ ବାଘର ଚଳପ୍ରଚଳ ଦେଖିବାକୁ ମିଳୁଥିଲା। ବାଘ ବାରମ୍ବାର ଗାଁ ଆଖପାଖରେ ଦେଖାଯାଉଥିବାରୁ ଲୋକଙ୍କ ମନରେ ଆଗରୁ ହିଁ ଭୟ ରହିଥିଲା।

ଗୁରୁବାର ରାତିରେ ଜଣେ ପରିବାର ନିଜ ଘର ପରିସରରେ ବାଘକୁ ବସିଥିବା ଦେଖିଥିଲେ। ବାଘଟି ତାଙ୍କ ଅଗଣାରେ ବସି ଗର୍ଜନ କରୁଥିବା ଦେଖି ପରିବାର ଲୋକ ଭୟଭୀତ ହୋଇଯାଇଥିଲେ। ତୁରନ୍ତ ସମସ୍ତେ ଘର ଭିତରକୁ ପଶି କବାଟ ବନ୍ଦ କରିଦେଇଥିଲେ। ପରେ ବନ ବିଭାଗକୁ ଖବର ଦିଆଯାଇଥିଲା। ସୂଚନା ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବାଘକୁ ଘର ପରିସରରୁ ବାହାର କରିବାକୁ ଉଦ୍ୟମ କରିଥିଲେ। ବନ ବିଭାଗ ଟିମ୍ ଘରର ଲାଇଟ୍ ବନ୍ଦ କରିବା ପରେ ବାଘଟି ସେଠାରୁ ବାହାରି ଚାଲିଯାଇଥିଲା। ଏହାପରେ ପରିବାର ଓ ଆଖପାଖରେ ଥିବା ଲୋକେ ଟିକେ ଆଶ୍ୱସ୍ତ ହୋଇଥିଲେ।

ହେଲେ କିଛି ସମୟ ପରେ ପୁଣି ସେହି ଗାଁର ଅନ୍ୟ ଏକ ଘର ଭିତରକୁ ପଶିଯାଇଥିଲା ବାଘ। ଏଥର ଗ୍ରାମବାସୀ ବାଘଟିକୁ ଘର ଭିତରେ ହିଁ ବନ୍ଦ କରିଦେଇ ବାହାରୁ ତାଲା ପକାଇଦେଇଥିଲେ। ବାହାରେ ବନ ବିଭାଗର କର୍ମଚାରୀମାନେ ଜଗି ରହିଥିଲେ। ପରେ ବନ ବିଭାଗ ଟିମ୍ ବାଘକୁ ସୁରକ୍ଷିତ ଭାବେ ଘରୁ ବାହାର କରି ଜଙ୍ଗଲ ଆଡ଼କୁ ଛାଡ଼ିଥିଲେ। ପାଖାପାଖି ୧୫ ଘଣ୍ଟାର ସଂଘର୍ଷ ପରେ ବନ ବିଭାଗ ଟିମ୍ ଜନ୍ତା ପକାଇ ବାଘକୁ ସୁରକ୍ଷିତ ଭାବେ ଘରୁ ବାହାର କରି ନେଇଥିଲା। ତେବେ ବାଘଟି ବଡ ମହାବଳ ବାଘ ନଥିଲା । ଛୋଟ ବାଘ ଥିଲା ବୋଲି କହିଛି ବନବିଭାଗ । ମା ସାଙ୍ଗରେ ବୁଲୁଥିବା ବେଳେ ବାଟବଣା ହୋଇ ଗାଁ ଭିତରକୁ ପଶିଆସିଥିବା ଆଶଙ୍କା କରାଯାଉଛି ।

ତେବେ ଗାଁ ଭିତରକୁ ବାଘର ଏଭଳି ବାରମ୍ବାର ପ୍ରବେଶକୁ ନେଇ ଖପରାଖାଇ ଓ ଆଖପାଖ ଅଞ୍ଚଳର ଲୋକଙ୍କ ଚିନ୍ତା ବଢ଼ିଛି। ଜଙ୍ଗଲ ନିକଟରେ ଥିବା ଗାଁଗୁଡ଼ିକରେ ଏବେ ଲୋକେ ଅଧିକ ସତର୍କ ରହୁଛନ୍ତି। ବନ ବିଭାଗ ମଧ୍ୟ ବାଘର ଗତିବିଧି ଉପରେ ନଜର ରଖିଛି।

ଏହା ପୂର୍ବରୁ ମଧ୍ୟ ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଏକ ଜଙ୍ଗଲୀ ଭାଲୁ ଘର ଭିତରକୁ ପଶିଯାଇଥିଲା। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଭାଲୁକୁ ସେଠାରୁ ସୁରକ୍ଷିତ ଭାବେ ବାହାର କରିଥିଲା।

Leave A Reply

Your email address will not be published.