Latest Odisha News

BREAKING NEWS

ଟ୍ୱିଟର ସହ ଡିଲ୍ ଭାଙ୍ଗିବାକୁ ଏଲନ୍ ମସ୍କଙ୍କ ଘୋଷଣା, ଟ୍ୱିଟର କହିଲା କୋର୍ଟରେ ଦେଖାହେବ

ନୂଆଦିଲ୍ଲୀ: ଟ୍ୱିଟରରେ କେତେଜଣ ଫେକ୍ ବା ନକଲି ୟୁଜର ରହିଛନ୍ତି ତାରା ଉତ୍ତର ସନ୍ତୋଷଜନକ ଭାବେ ନମିଳିବାରୁ ଟ୍ୱିଟର ସହ ଡିଲ୍ ବାତିଲ କରୁଛନ୍ତି ବୋଲି ବିଶ୍ୱର ଧନୀ ବ୍ୟକ୍ତି ତଥା ଟେସଲାର ସିଇଓ ଏଲନ ମସ୍କ ଘୋଷଣା କରିଛନ୍ତି। ଏହାପରେ ଟ୍ୱିଟର ମଧ୍ୟ କଡା ଜବାବ ଦେଇ ଆଗାମୀ ଦିନରେ କୋର୍ଟରେ ଦେଖାହେବ ବୋଲି କହିଛି ।

ଗତ ଏପ୍ରିଲରେ ଟ୍ୱିଟରକୁ କିଣିବା ପାଇଁ ଏଲନ୍ ମସ୍କ ଏବଂ ଟ୍ୱିଟର ମଧ୍ୟରେ ଆଲୋଚନା ଚାଲିଛି। ଏପ୍ରିଲ ୨୫ ତାରିଖରେ ଟ୍ଵିଟରକୁ ୫୪.୨୦ ବିଲିୟନ ଡଲାରରେ କିଣିବାକୁ ଅଫର୍ ଦେଇଥିଲେ । ପରେ ୪୪ ବିଲିୟନ ଡଲାରରେ କିଣିବାକୁ ଡିଲ୍ ଫାଇନାଲ୍ ହୋଇଥିଲା ଏ ବାବଦରେ ଏକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି। ବର୍ତ୍ତମାନ ଏଲନ୍ ମସ୍କ ଅଭିଯୋଗ କରିଛନ୍ତି ଯେ ଟୁଇଟର ତାଙ୍କୁ ନକଲି ଆକାଉଣ୍ଟ ବିଷୟରେ ପର୍ଯ୍ୟାପ୍ତ ସୂଚନା ଦେଇନାହିଁ।

ଟ୍ୱିଟର ଏବଂ ମସ୍କ ମଧ୍ୟରେ ହୋଇଥିବା ଚୁକ୍ତିରେ ଏକ ବ୍ରେକଅପ୍ ସର୍ତ୍ତ ମଧ୍ୟ ଅଛି। ଚୁକ୍ତି ଭଙ୍ଗ ହେବା ଘଟଣାରେ ଏକ ବିଲିୟନ ଡଲାର (୮ ହଜାର କୋଟି ଟଙ୍କା) ଦେବାର ଆଲୋଚନା ହୋଇଥିଲା। ତାଙ୍କୁ ଏହି ରାଶି ଦେବାକୁ ପଡିବ, ଯିଏ ଏହି ଡିଲ୍ ଭାଙ୍ଗିବ। ଟ୍ୱିଟର ଅଧ୍ୟକ୍ଷ ବ୍ରେଟ ଟେଲର ଟ୍ୱିଟ କରି ଏହା କହିଛନ୍ତି ।

ତେଣୁ ଏବେ ଟ୍ୱିଟର ଏବଂ ଏଲନ୍ ମସ୍କର ଆଭିମୁଖ୍ୟକୁ ଦେଖିଲେ ଲାଗୁଛି ଆଗାମୀ ଦିନରେ ଦୁଇ ପକ୍ଷ କୋର୍ଟପେ ଆଇନଗତ ଲଢ଼େଇ କରିବେ। ତେବେ ଏହାରି ଭିତରେ ଟ୍ୱିଟରର ଅଂଶ ସାତ ପ୍ରତିଶତ ସେୟାର ହ୍ରାସ ପାଇଛି।

ଏହାପୂର୍ବରୁ ମେ ମାସରେ, ଏଲନ୍ ମସ୍କ ଟ୍ୱିଟର ସହ ଡିଲକୁ ବନ୍ଦ କରିବା ବିଷୟରେ କହିଥିଲେ। ସେ କହିଛନ୍ତି ଯେ ଟ୍ୱିଟରର ନକଲି ଏବଂ ସ୍ପାମ୍ ଆକାଉଣ୍ଟ ସହ ଜଡିତ ତଥ୍ୟକୁ ଜାଣିବାକୁ ଅପେକ୍ଷା କରିଛନ୍ତି। ମସ୍କ ଟ୍ୱିଟରକୁ ପ୍ରମାଣ ମାଗିଥିଲେ ଯେ ସ୍ପାମ୍ ତାଙ୍କର ମୋଟ ୟୁଜରରୁ ପାଞ୍ଚ ପ୍ରତିଶତରୁ କମ୍ ରହିଛି। ବର୍ତ୍ତମାନ ତାଙ୍କ ଓକିଲ ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନଙ୍କୁ ଏକ ଚିଠି ଲେଖିଛନ୍ତି ଯେ ଟ୍ୱିଟର ଏ ସମ୍ପର୍କରେ ସୂଚନା ପ୍ରଦାନ କରିବାରେ ବିଫଳ ହେଉଛି ନହେଲେ ଜାଣିଶୁଣି ସୂଚନା ଦେଉନି।

ଟ୍ୱିଟର କହିଛି ଯେ ପ୍ରତିଦିନ ନିଜ ମାଇକ୍ରୋ ବ୍ଲଗିଗିଂ ପ୍ଲାଟଫର୍ମରୁ ପ୍ରାୟ ଏକ ଲକ୍ଷ ନକଲି ଆକାଉଣ୍ଟ ହଟାଇଥାଏ। ତେବେ ମସ୍କ  ଦାବି କରିଛନ୍ତି ଯେ ଟ୍ୱିଟରରେ ପ୍ରାୟ ୨୦ ପ୍ରତିଶତ ଆକାଉଣ୍ଟ ନକଲି ରହିଛି।

Leave A Reply

Your email address will not be published.