ଭୁବନେଶ୍ୱର: ଏୟାରଲିଫ୍ଟ ଯୋଗେ ଭୁବନେଶ୍ୱରରେ ପହଞ୍ଚିଲେ ମନ୍ତ୍ରୀ ପ୍ରତାପ ଜେନା । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସଙ୍ଗେ ସଙ୍ଗେ ମନ୍ତ୍ରୀଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଫୁଲବାଣୀରେ ଅସୁସ୍ଥ ହେବା ପରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତୁରନ୍ତୁ ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯାଇଥିଲା ।
ଗତକାଲି ରାତିରୁ ପ୍ରତାପ ଜେନା ଅସୁସ୍ଥ ଥିବା ବେଳେ ଆଜି ଜ୍ୱର ବଢିଥିଲା । ଏପରିକି ନିଃଶ୍ୱାସ ଓ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ ପ୍ରତାପ । କନ୍ଧମାଳ ଗସ୍ତରେ ଥିବା ବେଳେ ହଠାତ୍ ଏମିତି ଅସୁସ୍ଥ ହୋଇପଡିଥିଲେ ପ୍ରତାପ । ପ୍ରତାପ ଅସୁସ୍ଥ ହେବା ପରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଥିଲେ ।
ଆଜି ଦେହ ଅଧିକ ଅସୁସ୍ଥ ହେବାରୁ ସଙ୍ଗେ ସଙ୍ଗେ ତାଙ୍କୁ ଏୟାରଲିଫ୍ଟ କରି ଆଣିବାକୁ ନିଷ୍ପତ୍ତି ନିଆଯାଇଥିଲା । ଆଉ ଏହାପରେ ଭୁବନେଶ୍ୱରରୁ ଏକ ଏୟାର ଆମ୍ବୁଲାନ୍ସ ଫୁଲବାଣୀ ଅଭିମୁଖେ ଉଡାଣ ଭରିଥିଲା । ଫୁଲବାଣୀରେ ପ୍ରତାପ ପହଞ୍ଚିବା ପରେ ତୁରନ୍ତ ତାଙ୍କୁ ଭୁବନେଶ୍ୱର ଅଭିମୁଖେ ଅଣାଯାଇଛି । ଉଭୟ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଗସ୍ତରେ ଥିଲେ ମନ୍ତ୍ରୀ ପ୍ରତାପ ଜେନା ।
ରବିବାର ଚକାପାଦ ଶଙ୍କରା ଖୋଲ, ବସ୍ତିଙ୍ଗିଆ, ଗଞ୍ଜଗୁଡ଼ା ଆଦି ଗସ୍ତ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉଦଘାଟନ କରିବାର ଥିଲା । ସେହିପରି ସୋମବାର ଫିରିଙ୍ଗିଆ ବ୍ଲକରେ କାର୍ଯ୍ୟକ୍ରମ ଥିଲା । ତେବେ ମନ୍ତ୍ରୀଙ୍କ ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି ।
ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ପଞ୍ଚାୟତରାଜ, ପାନୀୟଜଳ, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କନ୍ଧମାଳ ଜିଲ୍ଲା ବିଜେଡି ସାଂଗଠନିକ ଦାୟିତ୍ଵରେ ଥିବାରୁ ୪ ଦିନିଆ ଗସ୍ତରେ ଆସିଥିଲେ । ତେବେ ଅତ୍ୟଧିକ ପରିଶ୍ରମ ଓ ଚାପ ଯୋଗୁଁ ସେ ରବିବାର ସକାଳୁ ଅସୁସ୍ଥ ହୋଇପଡିଥିବା କୁହାଯାଉଛି ।
Comments are closed.