Latest Odisha News

BREAKING NEWS

ପ୍ରଥମ ଟେଷ୍ଟ: ହାର୍ଟଲେଙ୍କ ସ୍ପିନରେ ନାଚିଲା ଟିମ ଇଣ୍ଡିଆ, ୨୮ ରନରେ ଇଂଲଣ୍ଡ ବିଜୟୀ

ହାଇଦ୍ରାବାଦ: ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ ଟମ ହାର୍ଟଲେଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଇଂଲଣ୍ଡ ୨୮ ରନରେ ଭାରତକୁ ପରାସ୍ତ କରିଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ୧-୦ର ଅଗ୍ରଣୀ ହାସଲ କରିଛି । ୨୩୧ ରନର ଟାର୍ଗେଟକୁ ପିଛା କରି ଭାରତ ୨୦୨ ରନରେ ଅଲଆଉଟ ହୋଇ ଯାଇଥିଲା । ଅଧିନାୟକ ରୋହିତ ଶର୍ମା ୩୯ ରନ କରିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱୀନ ୨୮ ଓ କେଏସ ଭରତ ୨୮ ରନର ଇନିଂସ ଖେଳିଥିଲେ । ଶେଷ ୱିକେଟରେ ଯଶପ୍ରୀତ ବୁମରାହ ଓ ମହମ୍ମଦ ସିରାଜ ୨୫ ରନର ଯୋଗ କରି ଭାରତ ପାଇଁ କିଛି ଆଶା ସଂଚାର କରିଥିଲେ ମଧ୍ୟ ଶେଷରେ ନିରାଶ କରିଥିଲେ । ପଦାର୍ପଣ ମ୍ୟାଚରେ ହାର୍ଟଲେ ୭ଟି ୱିକେଟ ନେଇ ଭାରତୀୟ ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ଜୋ ରୁଓ ଓ ଜ୍ୟାକ ଲିଚ ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ ।

ପୂର୍ବରୁ ଭାରତର ପ୍ରଥମ ଇନିଂସ ସ୍କୋର ୪୩୬ ରନ ଜବାବରେ ଇଂଲଣ୍ଡ ୨୪୬ ରନ କରିଥିଲା । ଦ୍ୱିତୀୟ ଇନିଂସରେ ଓଲୀ ପୋପଙ୍କ ଆକର୍ଷଣୀୟ ୧୯୬ ରନ ସହାୟତାରେ ଇଂଲଣ୍ଡ ୪୨୦ ରନ କରି ଭାରତ ସମ୍ମୁଖରେ ୨୩୧ ରନର ଲକ୍ଷ୍ୟ ରଖିଥିଲା । ସୂଚନାଯୋଗ୍ୟ, ଘରୋଇ ପରିବେଶରେ ଭାରତ ପ୍ରଥମ ଇନିଂସରେ ୧୦୦ରୁ ଅଧିକ ରନର ଅଗ୍ରଣୀ ହାସଲ କରିବା ପରେ କେବେ ମ୍ୟାଚରେ ପରାଜିତ ହୋଇ ନ ଥିଲା ।

Leave A Reply

Your email address will not be published.