ବିଶ୍ୱ ପୃଥିବୀ ଦିବସ ଅବସରରେ ଡି. ଶୁଭମଙ୍କ ସ୍ୱତନ୍ତ୍ର ଆଲେଖ୍ୟ
ଆମେ ସଭ୍ୟତାର କଥା କହୁଛେ , ଆମେ ପରିବେଶ ଭିତରେ ସମାଜର ଅବସ୍ଥିତି କଥା କହୁଛେ । କିନ୍ତୁ ସେ ସମାଜର ଅବସ୍ଥା କଥା କହିବା ଭିତରେ ଆମେ ଆମ ଅଜାଣତରେ ପରିବେଶକୁ ନଷ୍ଟ କରୁଛେ ଏକଥାକୁ ଅସ୍ୱୀକାର କରାଯାଇନପାରେ ।ଭୋକର ଭୂଗୋଳରୁ ଭାତହାଣ୍ଡି ଯାଏଁ ପରିବେଶର ଭୂମିକା ଯେ କେତେ ଗୁରୁତ୍ୱପୂର୍ଣ୍ଣ , ତାହା ଆମେ ସମସ୍ତେ ଜାଣନ୍ତି । ଆଜି ବିଶ୍ୱ ପୃଥିବୀ ଦିବସ । ଏ ପୃଥିବୀ ଦିବସରେ ଆମେ ପରିବେଶକୁ ବିନିଯୋଗ କରିବାକୁ ସଂକଳ୍ପ ନେବାର ଆବଶ୍ୟକତା ରହିଛି । ନିଜ ଦୈନନ୍ଦିନ ଜୀବନର ପରିଧି ଭିତରେ ଆମେ ମାଟି ଆଉ ମଣିଷର ସମ୍ପର୍କକୁ ବେଶ ପାଖରୁ ଦେଖି ଆସୁଛନ୍ତି । ଆଜି ଏ ଦିବସରେ ମାଟିର ଉପଯୋଗ କଥା କହିବାକୁ ଚାହଁଛି । ପୃଥିବୀ ଭିତରେ ଏ ପରିବେଶ, ଏ ପରିବେଶ ଭିତରେ ମାଟି । ଏ ତିନିଟିର ସମନ୍ୱୟ ହିଁ ଏକ ସୁସ୍ଥ ଆଉ ସୁରଭିତ ସମାଜ ଗଢ଼ି ତୋଳିବାର ମାର୍ଗ ଦର୍ଶନ ଯୋଗାଇଥାଏ ।
ସମ୍ପ୍ରତି ଭାରତ ବର୍ଷରେ ୧୪୭ ମିଲିୟନ ହେକ୍ଟରର ମୃତ୍ତିକା କ୍ଷୟ ହୋଇସାରିଛି । ସେମଧ୍ୟରୁ ୯୪ ମିଲିୟନ ହେକ୍ଟର ଜଳ ପ୍ରଦୂଷଣ, ୧୬ ମିଲିୟନ ହେକ୍ଟର ବନ୍ୟା, ୯ ମିଲିୟନ ହେକ୍ଟର ବାୟୁ ପ୍ରଦୂଷଣ ଆଉ ୭ ମିଲିୟନ ହେକ୍ଟର ଅନ୍ୟାନ୍ୟ କାରଣ ଯୋଗୁଁ ହେଉଛି । ତେବେ ଯଦି ଏମିତି ପରିମାଣରେ ମୃତ୍ତିକା କ୍ଷୟ ହୁଏ ତେବେ ୨୦୧୫ ବେଳକୁ କୃଷି ପାଇଁ ଜମି ନଥିବ । ସେତେବେଳେ ମଣିଷ କରିବ କ’ଣ? ଯଦି ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ଚରିତାର୍ଥ କରିବାକୁ ଏମିତି କରିବାପାଇଁ ପଛାଉନାହିଁ, ତେବେ ଟିକେ ଭାବନ୍ତୁନା ଆଉ କିଛି ଦିନପରେ ଅବସ୍ଥା କ’ଣ ହେବ? ଯେଉଁ ମାଟି ପାଇଁ ମଣିଷ ଛାତି ଫୁଲେଇ ଆମ ପରିବେଶ , ଆମ ଜୀବନ , ସୁସ୍ଥ ରହିଥାଏ ତା ପାଇଁ ମନର ଗୀତ ଗାଉଥିଲା , ଆଜି ସେ ମାଟି ଚିତ୍କାର କରୁଛି ।
ଋତୁରାଜ ବସନ୍ତର ବିଦାୟ ପରେ ଯେବେ ନିଦାଘର ସ୍ପର୍ଶ ମାଟି ପାଏ , ସେତେବେଳେ ହିଁ ମାଟିର ବିକଟାଳ ଶବ୍ଦ ଶୁଭେ । ଯେଉଁ ମାଟି ଉପରେ ସୋରିଷ କ୍ଷେତ ଗୁଣୁଗୁଣୁ ଗୀତ ଗାଏ , ଯେଉଁ ମାଟି ଆମ ପାଇଁ ସବୁଜିମାର ରଙ୍ଗୀନ କାନଭାସ୍ ତିଆରି କରେ ଆଜି ଅତ୍ୟଧିକ ତାପମାତ୍ରା ଓ ପ୍ରଦୂଷିତ ବାୟୁମଣ୍ଡଳର ପ୍ରଭାବରେ ଶବ୍ଦହୀନ ହେବାକୁ ବସିଲାଣି । କୃଷିକୁ ସମାଜିକ ଜୀବନର ପରିମାପକ ବୋଲି ବିବେଚନା କରାଯାଏ । ଏ ମାଟି ହିଁ ଚାଷର ଗୀତ ଗାଏ । ପରନ୍ତୁ ବ୍ୟବହୃତ ରାସାୟନିକ ସାରର ଅଧିକାଂଶ ମଣିଷ ଖାଦ୍ୟ ଭାବେ ଗ୍ରହଣ କରୁଛି । ଏହା ଜାଣି ବି ସବୁ ଅଜଣା । ତେବେ ମୃତ୍ତିକା ସଂରକ୍ଷଣ ପାଇଁ ବିଭିନ୍ନ ଯୋଜନା ମାନ କାର୍ଯ୍ୟକାରୀ ହେଉଛି ସତ ସବୁ କାଗଜ କଲମରେ ରହିଯାଉଛି । କୃଷି ଓ କୃଷକଙ୍କ ପାଇଁ ସରକାର ଯୋଜନା ପ୍ରଣୟନ କରୁଛନ୍ତି । ଏହାକୁ କାର୍ଯ୍ୟକାରୀ ବି କରୁଛନ୍ତି । କେତେକ ହାତଗଣତି ସମାଜସେବୀ, କୃଷି ଛାତ୍ର, ବୈଜ୍ଞାନିକ ଆଉ ଅଫିସରଙ୍କୁ ଛାଡିଦେଲେ ବୋଧହୁଏ ଆଉ କେହି ଶୁଣିବି ନଥିବେ । ତେବେ କୃଷି ପାଇଁ ମାଟିର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ, ସେକଥା ଜମିରେ ଝାଳ ବୁହାଇଥିବା ଚାଷୀ ଭାଇଟିଏ ଜାଣିଛି । ମାଟି ନଥିଲେ ପରିବେଶ ନଥାନ୍ତା । ଆଉ ପରିବେଶ ନରହିଲେ ପୃଥିବୀ ବି ନିଶ୍ଚିହ୍ନ ହୋଇଯିବ ।
ପ୍ରତିବର୍ଷ ଆମେ ପୃଥିବୀ ଦିବସ ପାଳୁଛେ । ପୃଥବୀକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ କଥା କହୁଛେ । କିନ୍ତୁ ସେସବୁ କେତେଦୂର କାମରେ ପରିଣତ ହେଉଛି , କେବଳ ଦେଖଣାହାରୀଙ୍କୁ ଜଣା । ମାଟି ଉପରେ ହିଁ ଚାଷ କରେ କୃଷକ । ସବୁର ଆଧାର ମାଟି । ନିଜର ସ୍ୱାର୍ଥକୁ ଚରିତାର୍ଥ କରିବାପାଇଁ ମଣିଷ କ’ଣ ବା ନ କରୁଛି? ମାଟି ବୋଲି ଗୋଟିଏ ଶବ୍ଦ ଅଛି ବୋଲି ବି ଆଜି ସେ ଭୁଲିଯାଇଛି । ଜୀବନରେ ସଂଜ୍ଞା ବଦଳିଛି ସତ ଆଉ ତାଭିତରେ ମାଟିର ସଂଜ୍ଞା ଆଜି ଅସ୍ଥିର ପ୍ରାୟ । ଯଦି ଆମେ ନିଜେ ପ୍ରଦୂଷଣର ବିରୋଧ କରି ପରିବେଶକୁ ନଷ୍ଟ କରିବା ତାହେଲେ ପୃଥିବୀ କିପରି ସୁରକ୍ଷିତ ରହିବ , ସେକଥା ଥରେ ଭାବନ୍ତୁ । ଯେଉଁ ପୃଥିବୀ ଆମକୁ ବଞ୍ଚିବାର ରାହା ଯୋଗାଇଛି ତାକୁ ନଷ୍ଟ କରିବାର କୌଣସି ଅଧିକାର ଆମର ନାହିଁ । ପ୍ରକୃତି ହେଉଛି ପୃଥିବୀର ଏକ ବୃହତ୍ତର ଅଂଶ । ଲହାକୁ ଆଖି ଆଗରେ ରଖି ଆମେ ପରିବେଶକୁ ସୁରକ୍ଷା ଦେବା ପାଇଁ ଦୃଢ଼ ସଂକଳ୍ପ ବଦ୍ଧ ହେବା ଆବଶ୍ୟକ । କାରଣ ଏମାନେ ହିଁ ପୃଥିବୀକୁ ସୁରକ୍ଷତି କରିବା ପାଇଁ ଗୋଟିଏ ପ୍ରମୁଖ ଅସ୍ତ୍ର । ଅନ୍ତତଃ ଆଜିର ଦିନରେ ପଣ କରିବା ସଭିଏଁ ଗଛ ଲଗାଇତବାକୁ ପ୍ରାଧାନ୍ୟ ଦେବା । ଅତିକମ୍ରେ ଗୋଟିଏ ଗୋଟିଏ ଗଛ ଲଗାଇ ଆମେ ଏ ପରିବେଶକୁ ପୁଣି ଥରେ ସବୁଜିମାର ଆବରଣରେ ଆଚ୍ଛାଦିତ କରିବା । ପୁଣି ଥରେ ଏକ ସବୁଜ ପୃଥିବୀର ପରିକଳ୍ପନା କରିବା ।
କୃଷି ସ୍ନାତକୋତ୍ତର , ମୃତ୍ତିକା ବିଜ୍ଞାନ ,
ସୋଆ , ଭୁବନେଶ୍ୱର ,
ମୋ – ୯୪୩୮୪୬୭୦୭୯
Comments are closed.