Latest Odisha News

BREAKING NEWS

ପୁରୀ ‘ବଡ ଆଖଡା ମଠ’ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ପୁରୀ: ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଦିନ ୫ଶହ ବର୍ଷ ପୁରୁଣା ବଡ ଆଖଡା ମଠକୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଘଟଣାସ୍ଥଳରେ ପ୍ରାୟ ୨୫ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିବା ନେଇ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହ ପ୍ରକାଶ କରିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ବଡ ଆଖଡା ମଠ ମହନ୍ତ (ପ୍ରମୁଖ) ହରି ନାରାୟଣ ଦାସ ଅଭିଯୋଗ କରି କହିଛନ୍ତି ଯେ, ଜିଲ୍ଲା ପ୍ରଶାସନ ଏକ ଦସ୍ତାବିଜରେ ହସ୍ତାକ୍ଷର ନେବା ଲାଗି ତାଙ୍କ ଉପରେ ଚାପ ପ୍ରୟୋଗ କରୁଛି । ଯେଉଁଥିରେ ମଠ ବିପଦ ସଙ୍କୁଳ ଅବସ୍ଥାରେ ଥିବା ନେଇ ଉଲ୍ଲେଖ ରହିଛି । ତେବେ ଏହି ବଡ ଆଖଡା ମଠ ବିପଦ ସଙ୍କୁଳ ଅବସ୍ଥାରେ ଥିବା ନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ) କିମ୍ବା ଏଣ୍ଡୋମେଣ୍ଟ କମିଶନ କିଛି କହିନାହାଁନ୍ତି ।

ଏହାବ୍ୟତିତ ମଙ୍ଗଳବାର ଦିନ ସୁରେଶ ରାଉତରାୟଙ୍କ ନେତୃତ୍ୱରେ କଂଗ୍ରେସର ଏକ କମିଟି ବଡ ଆଖଡା ମଠ ପରିଦର୍ଶନ କରିଛନ୍ତି ।

“ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରିବା ନେଇ ସରକାରଙ୍କ ନିଷ୍ପତ୍ତିକୁ ଆମେ ସମର୍ଥନ କରୁଛୁ । କିନ୍ତୁ ମଠ ଉଚ୍ଛେଦ ପ୍ରକ୍ରିୟାକୁ ତୁରନ୍ତ ସ୍ଥଗିତ କରାଯିବା ଉଚିତ୍ । ଏଭଳି ଭାବେ ମଠଗୁଡିକୁ ଉଚ୍ଛେଦ କଲେ ସାଧୁସନ୍ଥଙ୍କ ଅଭିଶାପ ଏହି ସରକାରର ଅନ୍ତ ଘଟାଇବ” ବୋଲି ଶ୍ରୀ ରାଉତ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

ଏପରିକି ବଡ ଆଖଡା ମଠ ସହ ବଣିଆ ପଟିରେ ଥିବା ସୁନାଗହଣା ଦୋକାନ ଓ ଏମାର ମଠର ବାକି ଅଂଶଗୁଡିକୁ ମଧ୍ୟ ମଙ୍ଗଳବାର ଦିନ ଭଙ୍ଗାଯିବା ନେଇ ଜିଲ୍ଳା ପ୍ରଶାସନ ନିଷ୍ପତ୍ତି ନେଇଥିବା ଜଣାପଡିଛି ।

ଐତିହାସିକଙ୍କ ମତରେ ବିଦେଶୀ ଆକ୍ରମଣରୁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ସୁରକ୍ଷା ପ୍ରଦାନ କରିବା ଲାଗି ନାଗା ସାଧୁମାନଙ୍କ ଦ୍ୱାରା ୧୪୦୪ ଶତାବ୍ଦୀରେ ବଡ ଆଖଡା ମଠର ପ୍ରତିଷ୍ଠା କରାଯାଇଥିଲା।

କୁମ୍ଭ ମେଳା ଅବସରରେ ୧୮ ସଦସ୍ୟ ବିଶିଷ୍ଟ ନାଗା ଆଖଡା (ପରିଷଦ) ଦ୍ୱାରା ବଡ ଆଖଡା ମଠର ମହନ୍ତଙ୍କୁ ନିଯୁକ୍ତ କରାଯାଇଥାଏ ।

Leave A Reply

Your email address will not be published.