Latest Odisha News

BREAKING NEWS

ଦୂତୀଙ୍କ ଆଭିମୁଖ୍ୟକୁ ନିନ୍ଦା କଲେ ଓସିଏ ସମ୍ପାଦକ ସଂଜୟ ବେହେରା ଓ ପୂର୍ବତନ ଭାରତୀୟ କ୍ରିକେଟର୍ ଦେବାଶିଷ ମହାନ୍ତି

ପୂର୍ବତନ ଭାରତୀୟ କ୍ରିକେଟର୍ ଦେବାଶିଷ ମହାନ୍ତିଙ୍କ ସମେତ ଓଡିଶା କ୍ରିକେଟ୍ ଆସୋସିଏସନ୍‌ର ସମ୍ପାଦକ ସଂଜୟ ବେହେରା ମଧ୍ୟ ଦୂତୀଙ୍କ ଆଭିମୁଖ୍ୟକୁ ନିନ୍ଦା କରିଛନ୍ତି

ଭୁବନେଶ୍ୱର: ଭାରତୀୟ ସ୍ପ୍ରିଣ୍ଟ କୁଇନ୍ ଦୂତୀ ଚାନ୍ଦଙ୍କୁ ନେଇ ବିବାଦ ଘନେଇବାରେ ଲାଗିଛି । ଆଜି ଦୂତୀଙ୍କର ଏକ ଫେସବୁକ୍ ପେଜ ପୋଷ୍ଟ ସାରା ଓଡିଶାରେ ହଟଚମଟ ସୃଷ୍ଟି କରିଛି । ଜଣେ ସଫଳ ଅଲିମ୍ପିଆନ୍ ଭାବେ ସେ ରାଜ୍ୟ ସରକାରଙ୍କଠାରୁ ଯଥେଷ୍ଟ ସମ୍ମାନ ଓ ପୁରସ୍କାର ପାଇଛନ୍ତି । ତଥାପି ଓଡିଶା ସରକାରଙ୍କୁ ଅତି ନିମ୍ନଧରଣର ଭାଷା ପ୍ରୟୋଗ କରି କଟୁ ସମାଲୋଚନା କରିବାକୁ ସେ ପଛାଇନଥିଲେ ।

ଆଜି ନିଜ ଫେସବୁକ ପୋଷ୍ଟରେ ଧାବିକା ଦୂତୀ ଚାନ୍ଦ ହକି ଖେଳକୁ ପ୍ରାଧାନ୍ୟ ଦେବା ଓ ଆଥଲେଟିକ୍ସକୁ ଅବହେଳା କରିବା ନେଇ ଏକ ସମାଲୋଚନା ସୂଚକ ପୋଷ୍ଟ କରିଥିଲେ । କିଛି ସମୟ ପରେ ସେ ସେହି ପୋଷ୍ଟକୁ ଡିଲିଟ୍ ମଧ୍ୟ କରିଥିଲେ । ହେଲେ ଡିଲିଟ୍ ହେବା ପୂର୍ବରୁ ଦୂତୀଙ୍କ ଅଗ୍ରହଣୀୟ ପୋଷ୍ଟ ଖାସ କରି ସାରା ଓଡିଶାରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇସାରିଥିଲା ।

ଏ ନେଇ ଅନେକ କ୍ରୀଡାବିତ୍ ଓ ଜଣାଶୁଣା ବ୍ୟକ୍ତିତ୍ୱ ଦୂତୀଙ୍କ ଏପରି କାରନାମାକୁ ନିନ୍ଦା ମଧ୍ୟ କରିଥିଲେ । ଏହି ଧାରାରେ ପୂର୍ବତନ ଭାରତୀୟ କ୍ରିକେଟର୍ ଦେବାଶିଷ ମହାନ୍ତିଙ୍କ ସମେତ ଓଡିଶା କ୍ରିକେଟ୍ ଆସୋସିଏସନ୍‌ର ସମ୍ପାଦକ ସଂଜୟ ବେହେରା ମଧ୍ୟ ଦୂତୀଙ୍କ ଆଭିମୁଖ୍ୟକୁ ନିନ୍ଦା କରିଛନ୍ତି । ଅଫିସିଆଲ୍ ପ୍ରେସ ବିବରଣୀ ଜରିଆରେ ଉଭୟ ଦେବାଶିଷ ମହାନ୍ତି ଓ ସଂଜୟ ବେହେରା ଦୂତୀଙ୍କ ଅଭିଯୋଗ ତଥା ସମାଲୋଚନାକୁ ଭିତ୍ତିହୀନ ବୋଲି ପ୍ରକାଶ କରିଛନ୍ତି ।

ଭାରତ ସରକାରଙ୍କ ପ୍ରତି ଦୂତୀଙ୍କ ଏଭଳି ଆଚରଣକୁ ନେଇ ସୋସିଆଲ ମିଡିଆ ୟୁଜରମାନେ ତୀବ୍ର ମାତ୍ରାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଅନ୍ୟପଟେ ପୂର୍ବତନ ଭାରତୀୟ ହକି ଖେଳାଳି ଦିଲ୍ଲୀପ ତିର୍କୀ ମଧ୍ୟ ଦୂତୀଙ୍କ ଏଭଳି ପୋଷ୍ଟକୁ ଦୁର୍ଭାଗ୍ୟଜନକ ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.