Latest Odisha News

BREAKING NEWS

ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡାଦେଶ

କଟକ: ରାୟଗଡ଼ା ଜିଲ୍ଲା ଗୁଣୁପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଝଟକା । ନିଜ ସ୍ତ୍ରୀକୁ ହତ୍ୟା ମାମଲାରେ ଭୁବନେଶ୍ୱର ଏଡିଜେ କୋର୍ଟଙ୍କ ଆଜୀବନ ଦଣ୍ଡାଦେଶକୁ କାଏମ ରଖିଲେ ହାଇକୋର୍ଟ । ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜଙ୍କ ଆଦେଶ ବିରୋଧରେ ଶ୍ରୀ ଗମାଙ୍ଗ ଦାଖଲ କରିଥିବା ଅପିଲ ଖାରଜ ହୋଇଛି ।

ସୂଚନାଯୋଗ୍ୟ, ୧୯୯୫ ମସିହା ଅଗଷ୍ଟ ୨୯ରେ ଗୁଣୁପୁରର ପୂର୍ବତନ ବିଧାୟକ ସ୍ତ୍ରୀ ଶଶୀରେଖା ଗମା‌ଙ୍ଗଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ସେହିଦିନ ୧୦ଟା ୪୫‌ରେ ଶ୍ରୀ ଗମାଙ୍ଗ ଖାରବେଳନଗର ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ ଯେ ସେ ରହୁଥିବା ଏମଏଲଏ କଲୋନୀର ବାଥରୁମରେ ତାଙ୍କ ପତ୍ନୀ ଶଶୀରେଖାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଛି ।

ଏହାପରେ ଘଟଣାର ତଦନ୍ତ ପରେ ଜଣାପଡିଥିଲା ଯେ, ଏହା ଆତ୍ମହତ୍ୟା ନୁହେଁ ବରଂ ସୁଚିନ୍ତିତ ହତ୍ୟା । ଆଉ ଏଥିରେ ଗମାଙ୍ଗଙ୍କର ଏହି ଘଟଣାରେ ସଂପୃକ୍ତି ଥିବା ପ୍ରମାଣ ପାଇଥିଲା ପୋଲିସ । ସେ ଆଧାରରେ ପୁଲିସ ଘଟଣାରେ ପ୍ରଥମେ ଅପମୃତ୍ୟୁ ଓ ପରେ ହତ୍ୟା ମାମଲା ରୁଜୁ କରିଥିଲା ।

ପତ୍ନୀ ଶଶୀରେଖାଙ୍କୁ ହତ୍ୟା କରିବା ପରେ କିରାସିନି ଢାଳି ଜାଳିଦେବା ପାଇଁ ଉଦ୍ୟମ କରିଥିଲେ । ପ୍ରମାଣ ନଷ୍ଟ ପାଇଁ ସେ ଏଭଳି କରିଥିବା କୋର୍ଟରେ ପ୍ରମାଣିତ ହୋଇଥିଲା ।

ଭୁବନେଶ୍ୱରର ସ୍ୱତନ୍ତ୍ର କୋର୍ଟ ୧୧ ଜଣ ସାକ୍ଷୀଙ୍କ ବୟାନ ଓ ୧୫ ଟି ଦସ୍ତାବିଜ ଆଧାରରେ ସ୍ତ୍ରୀଙ୍କୁ ହତ୍ୟା ମାମଲାରେ ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ୨୦୨୩ରେ ଦୋଷୀ ସାବ୍ୟସ୍ତ କରି ଆଜୀବନ ଦଣ୍ଡାଦେଶ ଦେଇଥିଲେ । ଏହି ରାୟକୁ ଆଜି ହାଇକୋର୍ଟ କାଏମ ରଖିଛନ୍ତି ।

Comments are closed.