Latest Odisha News

ଜଗନ୍ନାଥ ରାଜା ଛୁଆ ବା ଶାସକରେ ସୀମିତ ନୁହଁନ୍ତି, ସେ ସାରା ଜଗତର-ତଥାଗତ

ଭଦ୍ରକ: ଢେଙ୍କାନାଳର ପୂର୍ବତନ ସାଂସଦ ତଥା ଧରିତ୍ରୀ ସମ୍ପାଦକ ତଥାଗତ ସତପଥୀଙ୍କ ମୁହଁରେ ଜଗନ୍ନାଥ ତତ୍ତ୍ୱ ! ସେତିକି ନୁହେଁ, ଜଗନ୍ନାଥଙ୍କ ତତ୍ତ୍ୱ ସହ ଓଡ଼ିଶାର ସଂସ୍କୃତି କିପରି ଜଡିତ ତାହା ମଧ୍ୟ ବର୍ଣ୍ଣନା କରିଛନ୍ତି ।   ଜଗନ୍ନାଥ ହେଉଛନ୍ତି ଆମ ଓଡ଼ିଶାର ଠାକୁର । ଜଗନ୍ନାଥଙ୍କ ନାଁ ସହ ଯୋଡି ହୋଇ ରହିଛି ଜଗତ । ଯାହା ସାରା ବିଶ୍ୱର କଥା କୁହେ ।  କୌଣସି ରାଜାର ଛୁଆ ନୁହେଁ ବା ଶାସକ ମଧ୍ୟରେ ସେ ସୀମିତ ନୁହଁନ୍ତି ଜଗନ୍ନାଥ । ସେ ସାରା ବିଶ୍ୱର ।  ତାଙ୍କ ନାଁରେ ସାରା ବିଶ୍ୱର ବ୍ୟାପକତା ରହିଛି  ।  ଏହା ତ  ଓଡ଼ିଶାର ବିଶେଷତ୍ୱ ।

ଶ୍ରୀ ସତପଥୀ କହିଥିଲେ, ଆମେ  ଓଡ଼ିଆ ହୋଇ ବି ଏହି ମହାନ ତତ୍ତ୍ୱକୁ  ଭୁଲି ଯାଉଛୁ । ଆମେ ପର ଭାଷା ଓ ପର ମାଟିକୁ ଭଲ ପାଉଛେ । କିନ୍ତୁ ଆମ ନିଜ ମାଟି, ଭାଷା, ଐତିହ୍ୟ ଓ ଇତିହାସକୁ ଭୁଲି ଯାଉଛେ । ଆମ ମାତୃଭାଷାକୁ ଭଲ ପାଇବାର ଆଗ୍ରହ ଆମ ଭିତରେ ସୃଷ୍ଟି ହେବା ଆବଶ୍ଯକ ।

ଭଦ୍ରକ ୨୨ ତମ ପୁସ୍ତକ ମେଳାର ଷଷ୍ଠ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଧରିତ୍ରୀ ସମ୍ପାଦକ ତଥାଗତ ସତପଥି  । ସେ  ତାଙ୍କ ଅଭିଭାଷଣରେ ଓଡ଼ିଆଙ୍କ ଭାଷା ପ୍ରୀତିକୁ ସମାଲୋଚନା କରିଥିଲେ ।  ଓଡ଼ିଆ ହୋଇ ବି ଆମେ କିପରି ଆମ ଭାଷାକୁ ଅବହେଳା କରୁ ତାହାର କଟାକ୍ଷ କରିଥିଲେ । ସେ  କହିଥିଲେ  ଓଡ଼ିଶାର ଲୋକ କନା ଭୁଲିଗଲେଣି କିନ୍ତୁ କପଡା ମନେ ରଖିଛନ୍ତି । ଛୋଟ ପିଲାଙ୍କ ମୁହଁରେ କଥା କଥାକେ ଫିର..ଭି.. ।

ସେ କହିଥିଲେ, ଭାଷାରେ ମିଶ୍ରଣ ଭଲ  ।  ନିଜ ଭାଷା, ନିଜ ଧର୍ମକୁ ଅପଭ୍ରଂଶ ଆମେ ନିଜେ କରୁଛୁ ।  କିନ୍ତୁ ନିଜ ଭାଷା, ନିଜ ମାଟି, ନିଜ  ଐତିହ୍ୟ ଓ ସଂସ୍କୃତିକୁ ଭୁଲି ଯିବା ଠିକ ନୁହେଁ  ବୋଲି ସେ କହିଥିଲେ ।

ପୁସ୍ତକ ମେଳା କମିଟି ସଭାପତି ଅଜୟ ନାୟକଙ୍କ ସଭାପତିତ୍ୱରେ ମୁଖ୍ୟବକ୍ତା ଭାବେ ପଣ୍ଡିତ ବିରେନ୍ଦ୍ର ପଣ୍ଡା, ଅନ୍ୟତମ ଅତିଥି ଶ୍ରମିକ ନେତା ଦିବ୍ୟସିଂହ ନାୟକ, ପ୍ରାଧ୍ୟାପକ ନାସିର ବକ୍ସ, ସାମାଜିକ କର୍ମୀ ପ୍ରଭାତ ବିଶ୍ୱାଳ, ଅଧ୍ୟାପକ ଦତ୍ତାତ୍ରେୟ ଦାଶ ଯୋଗ ଦେଇଥିଲେ। କମିଟି ସମ୍ପାଦକ ରୂପକ ବିହାରୀ ରାୟ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

 

Leave A Reply

Your email address will not be published.