Latest Odisha News

BREAKING NEWS

ୟେମେନରେ ଫସିଛନ୍ତି ଓଡିଆ ପୁଅ ସାର୍ଥକ ନାୟକ

ଭୁବନେଶ୍ବର: ଚାରିମାସ ହେଲା ୟେମେନରେ ଫସିଛି ପୁଅ । ଉଦ୍ଧାର କରିବାକୁ କେନ୍ଦ୍ର ସରକାରଙ୍କୁ ଗୁହାରି କରିଛନ୍ତି ବାପା ବିଦ୍ୟାଧର ନାୟକ। ଭାରତୀୟ ନାବିକ ତଥା ସେକେଣ୍ଡ ଅଫିସର ସାର୍ଥକ ନାୟକ ଗତ ଚାରି ମାସ ହେଲା ଲୋହିତ ସାଗରରେ ୟେମେନର ରାସ ଇସା ବନ୍ଦରରେ ଅକୋୟା ଗ୍ୟାସ ନାମକ ଜାହାଜରେ ଫସି ରହିଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ତାଙ୍କ ବାପା ବିଦ୍ୟାଧର ନାୟକ ନିବେଦନ କରିଛନ୍ତି।

କେମିତି ଫସିଲେ ସାର୍ଥକ ?

ଗତ ଫେବ୍ରୁଆରୀ 29 ତାରିଖରେ ଅକୋୟା ଗ୍ୟାସ ନାମକ ଏଲପିଜି ଜାହାଜ ଆଫ୍ରିକାର ଡିଜିବୁଟି ବନ୍ଦରରୁ ବାହାରି ମାର୍ଚ୍ଚ 1ତାରିଖରେ ୟେମେନର ରାସ ଇସାରେ ପହଞ୍ଚିଥିଲା। ତେବେ ରାସ ଇସାରେ ଗ୍ୟାସ ନିଷ୍କାସନ ପାଇଁ ପାଇପଲାଇନ୍ ବ୍ୟବସ୍ଥା ନଥିବାରୁ ଜାହାଜରୁ ଲରିକୁ ଛୋଟ ଟ୍ୟାଙ୍କଗୁଡିକୁ ଅନଲୋଡ୍ କରିବାକୁ ପ୍ରାୟ ମାସେ ସମୟ ଲାଗିଲା। ଏହାପରେ ଜାହାଜଟି ସେଠାରୁ ନିଜ ଗନ୍ତବ୍ୟସ୍ଥଳକୁ ବାହାରିବା କଥା । ତେବେ କିଛି ୟେମେନ ଗୋଷ୍ଠୀ ଜୋର ଜବରଦସ୍ତି ସେଠାରେ ଜାହାଜକୁ ଅଟକାଇ ରଖିଛନ୍ତି।

ଚାରିମାସ ହେଲା ବନ୍ଦୀ ଜୀବନ

ସମୁଦ୍ର ଭିତରେ ଜାହାଜଟି ଗତ 4ମାସ ହେଲା ରହିଥିବା ବେଳେ ବନ୍ଧୁକଧାରୀ ୟେମେନ ପୋଲିସ ମଧ୍ୟ ଜାହାଜକୁ ଜଗିରହିଛି। ନାବିକଙ୍କ ପାସପୋର୍ଟ ଓ ସିଡିସିକୁ ଜବତ କରାଯାଇଛି। ଏହା ମଧ୍ୟରେ ଜାହାଜ ମଧ୍ୟରେ ବି ଅନେକ ଗଣ୍ଡଗୋଳ ଓ ମାରପିଟ୍ ଘଟଣା ସାମନାକୁ ଆସିଛି। ମାସ ମାସ ଧରି ବନ୍ଦୀ ଅବସ୍ଥାରେ ରହିବାରୁ ଅନେକ ନାବିକଙ୍କ ମାନସିକ ସ୍ଥିତି ବିଗିଡିବାରେ ଲାଗିଛି। ଜାହାଜରେ ସାର୍ଥକ ନାୟକ ଏକମାତ୍ର ଭାରତୀୟ ଥିବା ବେଳେ ପାକିସ୍ତାନର 18ଜଣ, ୟୁକ୍ରେନର 3ଜଣ, ଶ୍ରୀଲଙ୍କାର 2ଜଣ ଓ ଲାଟଭିଆର ଜଣେ ରହିଛନ୍ତି।

କାହିଁକି କୋର୍ଟରେ ଗଡୁଛି ମାମଲା ?

ୟେମେନ କୋର୍ଟରେ ଜାହାଜ ବିରୋଧରେ ଏକ ମାମଲା ଦାୟର କରାଯାଇ 5ମିଲିୟନ ଡଲାର ଦାବି କରାଯାଉଛି। ଜାହାଜର ମାଲିକ ଟଙ୍କା ଦେବାକୁ ବି ରାଜି ଅଛନ୍ତି। ତେବେ ୟେମେନରେ ସରକାର ନଥିବାରୁ ସେ ଟଙ୍କା କିଏ ନେବେ, ସେନେଇ ନିଷ୍ପତ୍ତି ହୋଇପାରୁନି। କାରଣ ଟଙ୍କା ନେବାକୁ ଅନେକ ଗୋଷ୍ଠୀ ଦାବି କରୁଛନ୍ତି।

ଏଭଳି ସ୍ଥିତିରେ ସାର୍ଥକଙ୍କୁ ଉଦ୍ଧାର କରିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଗୁହାରି କରିଛନ୍ତି ବାପା ବିଦ୍ୟାଧର ନାୟକ। ବିଭିନ୍ନ ମନ୍ତ୍ରାଳୟ ସହ ସୋସିଆଲ୍ ମିଡିଆ ଏକ୍ସରେ ଯୋଗାଯୋଗ କରିବା ସହ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବି ଇମେଲ୍ କରି ଜଣାଇଛନ୍ତି। ପରିବହନ ଓ ଜଳପଥ ମନ୍ତ୍ରାଳୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ୟେମେନସ୍ଥିତ ଭାରତୀୟ ଦୂତାବାସଙ୍କୁ ସାର୍ଥକଙ୍କୁ ଭେଟିବାକୁ ଉଦ୍ୟମ କରିବାକୁ ଅନୁରୋଧ କରିଛି। ଏଥିସହ ସାର୍ଥକ କିପରି ଦେଶକୁ ଫେରିବେ, ସେନେଇ ବ୍ୟବସ୍ଥା କରିବାକୁ କହିଛି। ନିଜେ ବିଦ୍ୟାଧର ଜଣେ ଅବସରପ୍ରାପ୍ତ ନୌସେନା ନାବିକ। ପୂର୍ବରୁ ବିଦେଶରୁ ବିଭିନ୍ନ ସମୟରେ ଭାରତୀୟଙ୍କୁ ଉଦ୍ଧାର କରିଛନ୍ତି ଭାରତ ସରକାର। ସେହିପରି ପୁଅକୁ ୟେମେନରୁ ମୁକୁଳାଇ ଆଣିବାକୁ ବିଦ୍ୟାଧର ନିବେଦନ କରିଛନ୍ତି।

Leave A Reply

Your email address will not be published.