Latest Odisha News

BREAKING NEWS

ଆରମ୍ଭ ହେଲା ଏକକ ପରୀକ୍ଷା ଲାଗି ତ୍ରୁଟି ସମୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଏକକ ପରୀକ୍ଷାର ତ୍ରୁଟି ସମୀକ୍ଷା କରାଯିବ । ଏକକ ପରୀକ୍ଷାର ଆସନ୍ତାବର୍ଷ ଯେପରି ସେହି ତ୍ରୁଟି ନରହେ ସେଥିଲାଗି ଗୁରୁତ୍ୱ ଦେବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି ।

ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଆଗକୁ ହେବାକୁ ଥିବା ବାର୍ଷିକ ପରୀକ୍ଷାରେ ଏକକ ପରୀକ୍ଷାରେ ଯେପରି କୌଣସି ସମସ୍ୟା ନରହିବ ସେଥିଲାଗି ବିଭାଗୀୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେବେ କେଉଁ କାରଣରୁ ଷାଣ୍ମାଷିକ ପରୀକ୍ଷାରେ ପ୍ରଶ୍ନପତ୍ର ଅଭାବ ଉପୁଜିଲା ତାହାର ଯାଞ୍ଚ ଏବଂ ବ୍ୟବସ୍ଥାରେ ବିଶୃଙ୍ଖଳାର କାରଣ ଖୋଜିବ ବିଭାଗ ।ତେବେ ଯେଉଁ ସମସ୍ୟା ସୃଷ୍ଟି ହୋଇଥିଲା ସେଥିରେ ସାମିଲ ଥିବା ଅଧିକାରୀଙ୍କୁ କେବଳ ଚେତାବନୀ ଦିଆଯିବ । ବିଭାଗର ଏପରି ସମୀକ୍ଷା ବ୍ୟବସ୍ଥାକୁ ସବୁ ସ୍ତରରେ ସ୍ୱାଗତ କରାଯାଇଛି ।

୨୦୧୯ରେ ପ୍ରଥମଥର ଲାଗି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏକ ସମୟରେ ଷାଣ୍ମାଷିକ ପରୀକ୍ଷା ଏବଂ ସମାନ ପ୍ରଶ୍ନପତ୍ରର ବ୍ୟବସ୍ଥା ମାଧ୍ୟରେ ଏକକ ପରୀକ୍ଷା ଆରମ୍ଭ ହୋଇଥିଲା । ମାତ୍ର ପ୍ରଥମରୁ ଅଷ୍ଟମ ଶେଣୀ ପର୍ଯ୍ୟନ୍ତ ଏହି ଷାଣ୍ମାଷିକ ପରୀକ୍ଷା ଲାଗି ମୋଟ୍ ୩କୋଟି ୬୦ଲକ୍ଷ ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଥିବା ବେଳେ ପରୀକ୍ଷାର୍ଥୀଙ୍କ ଲାଗି ପ୍ରଶ୍ନପତ୍ର ନିଅଣ୍ଟ ପଡ଼ିଥିଲା । ଏପରିକି ଗୋଟିଏ ଶ୍ରେଣୀରେ କିଛି ପିଲାଙ୍କୁ ପ୍ରସ୍ତୁତ ପ୍ରଶ୍ନପତ୍ର ମିଳିଥିବା ବେଳେ ଆଉକିଛି ପିଲାଙ୍କୁ ଜେରକ୍ସ ପ୍ରଶ୍ନପତ୍ର ଏବଂ କିଛି ପିଲାଙ୍କୁ କୌଣସି ପ୍ରକାର ପ୍ରଶ୍ନପତ୍ର ମିଳିନଥିବାରୁ ସେମାନଙ୍କ ଲାଗି ବିଭିନ୍ନ ବିଷୟର ପ୍ରଶ୍ନ କଳାପଟାରେ ଲେଖାଯାଇଥିଲା । ଅନେକ ସ୍କୁଲରେ ପ୍ରଶ୍ନପତ୍ର ଅଣ୍ଟି ନଥିଲା । ଫଳରେ ପ୍ରଶ୍ନପତ୍ର ଜେରକ୍ସ କରି ଦିଆଯାଇଥିବା ବେଳେ ଆଉ କିଛି ସ୍କୁଲରେ ପିଲାଙ୍କ ଲାଗି ପ୍ରଶ୍ନ କଳାପଟାରେ ଲେଖାଯାଇଥିଲା । ଯାହାକୁ ନେଇ ଅନେକ ସ୍କୁଲରେ ଏହାକୁ ଅଭିଭାବକମାନେ ବିରୋଧ କରିଥିଲେ ।
ଟିବିପିଏମ୍ ମୋଟ୍ ୩କୋଟି ୬୦ଲକ୍ଷ ପ୍ରଶ୍ନ-ଊତ୍ତର ପୁସ୍ତିକା ପ୍ରସ୍ତୁତ କରିଥିଲା । ଜିଲ୍ଲାଶିକ୍ଷା ଅଧିକାରୀ ସେମାନଙ୍କର ଦାୟୀତ୍ୱରେ ତାଙ୍କ ଅଧିନରେ ଥିବା ସବୁ ବ୍ଲକର ସ୍କୁଲକୁ ପ୍ରଶ୍ନପତ୍ର ପଠାଇବାର ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଥିଲା । ।

ରାଜ୍ୟର ସବୁ ଜିଲ୍ଲାରେ ଯେଉଁ ପ୍ରଶ୍ନପତ୍ର ସ୍କୁଲକୁ ପଠାଯିବ ସେଥିଲାଗି ଟ୍ରାନ୍ସପୋର୍ଟ, ଲେବର ଚାର୍ଜ ବାବଦରେ ଯାହା ସବୁ ଖର୍ଚ୍ଚ ହେବ ସେହି ଅର୍ଥ ଜିଲ୍ଲାର ଏଲ୍ଇପି ହେଡ୍ରେ ବ୍ୟୟ ହୋଇଥିଲା । ବ୍ଲକ ସ୍ତରରେ ବିଇଓ ଏବଂ ଜିଲ୍ଲା ସ୍ତରରେ ଡିଇଓ ପ୍ରଶ୍ନପତ୍ର ଗ୍ରହଣ କରବାର ଦାୟତ୍ୱି ଦିଆଯାଇଥିବା ବେଳେ ଏହି ପରୀକ୍ଷାର ସମସ୍ତ ପରିଚାଳନା ଦାୟୀତ୍ୱ ବିଆରସିସି, ସିଆର୍ସିସିଙ୍କ ଦ୍ୱାରା କରିବାକୁ ମଧ୍ୟ କୁହାଯାଇଥିଲା । ତଥାପି ଯୋଜନା ଫେଲ୍ ମାରିଲା । ରାଜ୍ୟର ୬୫ହଜାର ୨୭୯ଟି ସ୍କୁଲରେ ଏକକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଚଳିତବର୍ଷ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ମୋଟ୍ ୫୯ଲକ୍ଷ ୭୨ହଜାର ୮୭୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ଛାତ୍ରଙ୍କ ସଂଖ୍ୟା ୩୦ଲକ୍ଷ ୮୩ହଜାର ୩୩ ଥିବା ବେଳେ ଛାତ୍ରୀଙ୍କ ସଂଖ୍ୟା ୨୮ଲକ୍ଷ ୮୯ହଜାର ୮୩୭ ରହିଛି । ପ୍ରାୟ ୧୭ଟି ଜିଲ୍ଲାର ୧୭ହଜାର ୨୨ଟି ସ୍କୁଲରେ ସର୍ବାଧିକ ତ୍ରୁଟି ଘଟିଥିବା ଜଣାପଡିଛି । ସେହିପରି ୩ଲକ୍ଷ ୫୩ ହଜାର ପ୍ରଶ୍ନପତ୍ର ନିଅଣ୍ଟ ରହିଥିଲା । ପିଲାଙ୍କ ସଂଖ୍ୟା ଅନୁଯାୟୀ ୩କୋଟି ୬୦ଲକ୍ଷ ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଥିବା ବେଳେ ପ୍ରଶ୍ନପତ୍ର ପ୍ୟାକିଂରେ ତ୍ରୁଟି ଲାଗି ଏପରି ସମସ୍ୟା ହୋଇଥିବା ଜଣାପଡ଼ିଥିଲା । ତେବେ ପୂର୍ବରୁ ଏହି ତ୍ରୁଟିର ଅନୁଧ୍ୟାନ କରାଯିବ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିଶ୍ରୁତି ଦେଇଥିଲେ ।

Leave A Reply

Your email address will not be published.