Latest Odisha News

BREAKING NEWS

ମ୍ୟାଟ୍ରିକ୍ ପାସହାର ବୃଦ୍ଧି ଲାଗି ସରକାରଙ୍କ ବ୍ଲୁପ୍ରିଣ୍ଟ୍; ୧୭ ହଜାର ଶିକ୍ଷକ ନେବେ ଅତ୍ୟାଧୁନିକ ତାଲିମ୍ !

ଭୁବନେଶ୍ୱର: ସରକାରୀ ସ୍କୁଲରେ ଶିକ୍ଷାଦାନ କରୁଥିବା ଶିକ୍ଷକଙ୍କ ଦକ୍ଷତା ଯାଞ୍ଚ କରାଯିବ । ବିଷୟ ଭିତ୍ତିକ ଶିକ୍ଷକଙ୍କ ବରିଷ୍ଠତା, ଶିକ୍ଷାଗତଯୋଗ୍ୟତା ସାଙ୍ଗକୁ ଶିକ୍ଷାଦାନ ଶୈଳୀକୁ ଅନୁଧ୍ୟାନ କରାଯିବ । ରାଜ୍ୟରେ ସ୍କୁଲ ଶିକ୍ଷାଦାନରେ ସୁଧାର ଆଣିବା ସହ ଗୁଣାତ୍ମକ ଶିକ୍ଷା ଏବଂ ମାଟ୍ରିକରେ ପାସ୍ହାର ବୃଦ୍ଧି ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି କାର୍ଯ୍ୟନୁଷ୍ଠାନ । ଏହି ପ୍ରକ୍ରିୟାରେ ଯେଉଁମାନଙ୍କର ଶିକ୍ଷାଦାନ ବ୍ୟବସ୍ଥାରେ ଦୁବର୍ଳ ଥିବା ଜଣାପଡ଼ିବ ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି ।

ତେବେ ଖୁବ ଶୀଘ୍ର ରାଜ୍ୟର ସରକାରୀ ସ୍କୁଲରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ମଧ୍ୟରୁ ୧୭ହଜାର ଶିକ୍ଷକଙ୍କୁ ରିଫ୍ରେସର କୋର୍ସ ମାଧ୍ୟମରେ ପାରଙ୍ଗମ କରାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି ।  ୨୦୨୦ ମେ’ରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବାକୁ ଯୋଜନା ରହିଛି ।

ସରକାରୀ ସ୍କୁଲ ଗୁଡିକରେ ଉଭୟ ନବମ ଏବଂ ଦଶମ ଶ୍ରେଣୀରେ ଶିକ୍ଷାଦାନ କରୁଥିବା ଶିକ୍ଷକମାନେ ଯେପରି ସହଜ ଏବଂ ସରଳ ଭାବେ ଭାବେ ପଢ଼ାଇବେ ସେଥି ପାଇଁ ଏହି ପ୍ରଶିକ୍ଷଣ ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

ପ୍ରକାଶ ଥାଉକି, ଏଣିକି ରାଜ୍ୟର ସବୁ ରକାରୀ ସ୍କୁଲରେ ଶିକ୍ଷକଙ୍କ ପଢ଼ାଇବା ଶୈଳୀ ଉପରେ ରହିବ ନଜର । ଏନେଇ ଆସନ୍ତା ଶିକ୍ଷାବର୍ଷରୁ କଟକଣା କଡ଼ାକଡ଼ି ହେବ । ଏହି ବ୍ୟବସ୍ଥା ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଲାଗୁ କରାଯିବ । ଛାତ୍ରଛାତ୍ରୀମାନେ ଯେପରି ଶ୍ରେଣୀ ପାଠପଢ଼ା ପ୍ରତି ଆକୃଷ୍ଟ ହେବେ ଏବଂ ସହଜ ଭାବେ ବୁଝିପାରିବେ ସେଥିଲାଗି ଗୁରୁତ୍ୱ ଦିଆଯିବ ।

ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ବିଗତ ବର୍ଷର ରିପୋର୍ଟକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ, ରାଜ୍ୟର ସରକାରୀ ସ୍କୁଲଗୁଡିକରେ ଶିକ୍ଷାଦାନ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ଘଟିନଥିଲା । ପୁରୁଣା ଢ଼ାଞ୍ଚାରେ ଶ୍ରେଣୀରେ ପାଠପଢ଼ା ହେଉଥିବା ବେଳେ ଅନେକ ସମୟରେ ପରୀକ୍ଷା ପୂର୍ବରୁ କୋର୍ସ ଶେଷ ହୋଇପାରୁନଥିଲା । ଯାହାଫଳରେ ପୁର୍ବରୁ ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଶ୍ରେଣୀ ପାଠପଢ଼ା ଅପେକ୍ଷା ଟ୍ୟୁସନକୁ ଅଧିକ ଗୁରୁତ୍ୱ ଦେଉଥିଲେ । ଯାହାର ପ୍ରଭାବ ପରୀକ୍ଷାରେ ପଡୁଥିଲା ।

ତେଣୁ ସ୍କୁଲରେ ଶ୍ରେଣୀ ପଢ଼ାକୁ ଅଧିକ ଗୁରୁତ୍ୱ ଦେବା ସହ ଶିକ୍ଷକମାନେ ଯେପରି ନିର୍ଦ୍ଧାରିତ ସମୟ ମଧ୍ୟରେ କୋର୍ସ ଶେଷ କରିବେ ସେଥିଲାଗି ମଧ୍ୟ ପ୍ରଶିକ୍ଷଣ ଦିଆଯିବ । ରାଜ୍ୟରେ ୯୦ହଜାରରୁ ଅଧିକ ଶିକ୍ଷକଙ୍କୁ ଏହି ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେବାକୁ ଯୋଜନା ଥିବା ବେଳେ ପ୍ରଥବ ପର୍ଯ୍ୟାୟରେ ୧୭ହଜାର ଶିକ୍ଷକଙ୍କୁ ଖରାଦିନ ଛୁଟିରେ ପ୍ରଶିକ୍ଷଣ ଦିଆଯିବ ।

ଯେଉଁଥିରେ ଗଣିତ, ବିଜ୍ଞାନ, ଇଂରାଜୀ ବିଷୟରେ ଅତିରିକ୍ତ ୧୫ଘଣ୍ଟାର ପ୍ରଶିକ୍ଷଣ ରହିବ । ଏନେଇ ଜିଲ୍ଲାୱାରୀ ସ୍କୁଲଗୁଡିକରୁ ଶିକ୍ଷକଙ୍କୁ ଚୟନ କରାଯିବା ସହ ବରିଷ୍ଠତା ଭିତ୍ତିରେ ପ୍ରର୍ଯ୍ୟାୟକ୍ରମେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ତେବେ ଏହି ପ୍ରଶିକ୍ଷଣ ଦେବା ଲାଗି ଏସ୍ସିଇଆର୍ଟି, ଓସେପା ଏବଂ ବିଭାଗ ପ୍ରଶିକ୍ଷକଙ୍କ ସମେତ ବାହାର ରାଜ୍ୟର ୮ଜଣ ଟ୍ରେନର ରହିବେ ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶେଷ ହେବା ପରେ ଦୁର୍ଗାପୁଜା ଏବଂ ଡିସେମ୍ବରରେ ୨ଟି ପର୍ଯ୍ୟାୟରେ ପୁଣି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ । ତେବେ ୨୦୨୧ ଜୁନ ପୂର୍ବରୁ ନବମ ଏବଂ ଦଶମ ଶ୍ରେଣୀରେ ପଢ଼ାଉଥିବା ସବୁ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରଶିକ୍ଷଣ ମାଧ୍ୟରେ ସେମାନଙ୍କର ଦକ୍ଷତା ବୃଦ୍ଧି କରିବାକୁ ଯୋଜନା ରହିଛି । ଏଥିପାଇଁ ଯେଉଁ ଖର୍ଚ୍ଚ ହେବ ତାହା ସମାଗ୍ରିକ ଯୋଜନାରେ ମିଳିଥିବା ଅନୁଦାନରୁ ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.