Latest Odisha News

BREAKING NEWS

ଆଉ ନାହିଁ Z+ ଉପରେ ଭରସା, ଏଣିକି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କରିବ ସ୍ୱତନ୍ତ୍ର ସ୍କ୍ୱାଡ୍

ଭୁବନେଶ୍ଵର: ଏଣିକି ଆଉ ନାହିଁ ଜେଡ୍‍ ପ୍ଲସ୍‍ ସୁରକ୍ଷା ଉପରେ ଭରସା । ଏବେଠାରୁ ମୁଖ୍ୟମନ୍ତ୍ରୀଙ୍କ ଲାଗି କାର୍ଯ୍ୟ କରିବ ସ୍ୱତନ୍ତ୍ର ସ୍କ୍ୱାଡ୍‍ । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ହେବେ ୯୧ ଜଣ ସ୍ୱତନ୍ତ୍ର ଅଧିକାରୀ । ଅନ୍ତର୍ଘାତୀ କାର୍ଯ୍ୟ, ଆକ୍ରମଣ ତଥା ଦଳ ଭିତରେ ହେଉଥିବା ଷଡ଼ଯନ୍ତ୍ରରୁ ମୁଖ୍ୟମନ୍ତ୍ରୀଙ୍କୁ ରକ୍ଷା କରିବା ପାଇଁ କାର୍ଯ୍ୟ କରିବ ଏହି ସ୍ୱତନ୍ତ୍ର ପୁଲିସ ସ୍କ୍ୱାଡ୍‍ । ଏହାଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ନେଇ ରାଜ୍ୟ ପୋଲିସର ସବୁଦିନିଆ ସମସ୍ୟା ଲାଘବ ହୋଇପାରିବ ବୋଲି ଆଶା କରାଯାଇଛି।

ଏହି ନୂଆ ସୁରକ୍ଷା ବାହିନୀରେ ୨୬ଟି ବିଭିନ୍ନ ବର୍ଗର ଅଧିକରୀ ରହିବେ। ଦୁଇଜଣ ଡେପୁଟି କମାଣ୍ଡାଣ୍ଟ ଏହାର ମୁଖ୍ୟ ହେବେ । ତାଙ୍କ ତଳକୁ ସଶସ୍ତ୍ର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ଇନ୍ସପେକ୍ଟର, ଏସଆଇ, ଏଏସଆଇ ରହିବେ । ଏହାଙ୍କ ତଳେ ରହିବେ ହାବିଲ୍‍ଦାର, ଡ୍ରାଇଭର ଓ କନଷ୍ଟେବଳ । ଏହି ଦଳର ସମସ୍ତ ସଦସ୍ୟଙ୍କୁ ଅନ୍ତର୍ଘାତୀ କାର୍ଯ୍ୟକୁ ଠାବ କରିବା ତାହାକୁ ରୋକିବା ଦିଗରେ ଅତ୍ୟାଧୁନିକ ଟ୍ରେନିଂ ଦିଆଯିବ । ତାଙ୍କ ପାଖରେ ବୋମା ନିଷ୍କ୍ରିୟ କୌଶଳ ରହିବା ସହ ଏକ କୁକୁର ଦଳ ବି କାର୍ଯ୍ୟକରିବ ।

ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ସ୍ଵତନ୍ତ୍ର ସୁରକ୍ଷା ବାହିନୀ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ପ୍ରମୁଖ ବ୍ୟକ୍ତିଙ୍କ ସୁରକ୍ଷା ଲାଗି ପୋଲିସର ଜେଡ୍‍ ପ୍ଲସ୍‍ ସୁରକ୍ଷା ବ୍ୟବସ୍ଥାକୁ ଗ୍ରହଣ କରାଯାଇଥାଏ । ସୂଚନାଯୋଗ୍ୟ ଯେ, ନିକଟରେ ତତ୍କାଳୀନ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା । ଆଉ ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ଥିଲା ତାଙ୍କରି ସୁରକ୍ଷାରେ ଥିବା ଜଣେ ସୁରକ୍ଷା କର୍ମୀ । ତେବେ ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢିଥିଲା । ସେପଟେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ଆହୁରି ସଂଗଠିତ କରିବା ଲାଗି ଗୃହରେ ମଧ୍ୟ ଯୁକ୍ତି ଉପସ୍ଥାପନ କରାଯାଇଥିଲା । ତେଣୁ ଗୃହ ବିଭାଗ ଏହି ଘଟଣାକୁ ତର୍ଜମା କରି ସ୍ୱତନ୍ତ୍ର ସୁରକ୍ଷା ବଳ ଗଠନ ଲାଗି ପ୍ରସ୍ତାବକୁ ସ୍ୱିକୃତୀ ଦେଇଛନ୍ତି ।

 

Leave A Reply

Your email address will not be published.