ଚଣ୍ଡିଗଡ: ସାଧାରଣତଃ ଅଧିକାଂଶ ଲୋକ ନିଜ ବିବାହକୁ ସ୍ୱତନ୍ତ୍ର କରିବା ବିଭିନ୍ନ ପ୍ରକାରର ଆୟୋଜନ କରିଥାନ୍ତି । ବିଭିନ୍ନ ପ୍ରକାରର ଉପାୟ ମଧ୍ୟ ଆପଣାଇଥାନ୍ତି । ସେ ସାଜ୍ଜସଜ୍ଜା ହେଉ ବା ମେକ୍ଅପ୍, ବା ଭୋଜି ସବୁକିଛି ଭିନ୍ନ ଭିନ୍ନ ଷ୍ଟାଇଲରେ କରିବାକୁ ଚାହାଁନ୍ତି ସସସ୍ତେ । କିନ୍ତୁ ଆଜି ଆମେ ଏମିତି ଏକ ବିବାହ ବିଷୟରେ କହିବୁ ଯେଉଁ ବିବାହରେ ଚାଷୀ ଆଉ ଚାଷବାସର ବାସ୍ନା ରହିଛି । ବାସ୍ତବରେ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯାହାକୁ ଦେଖି ଲୋକେ କହୁଛନ୍ତି ଆଜିର ଯୁଗରେ କଣ ସତରେ ଏମିତି ହେଉଛି!
ଏ ହେଉଛି ପଞ୍ଜାବ କରି କଲନ ଗାଁରେ ହୋଇଥିବା ଅନନ୍ୟ ବାହାଘର। ଅଲଗା ଢଙ୍ଗରେ ବିବାହ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି କାନାଡାର ଏହି ଏନଆରଆଇ ଦମ୍ପତି । ଗହମ କ୍ଷେତରେ ବିବାହ କରି ଦୁନିଆ ପାଇଁ ଏକ ଉଦାହରଣ ହୋଇଛନ୍ତି । ବ୍ୟୟବହୁଳ ବିଳାସମୟ ବିବାହ ମଣ୍ଡପକୁ ବାଦ୍ ଦେଇ ସେମାନେ ବିବାହ ପାଇଁ ଏହି ଗହମ କିଆରୀକୁ ବାଛିଛନ୍ତି । ବାସ୍ତବରେ ଚାଷୀ ଆନ୍ଦୋଳନରୁ ପ୍ରେରଣା ପାଇ କ୍ଷେତରେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି କାନାଡିଆନ ଦମ୍ପତି ଦୁର୍ଲଭ ସିଂ ଓ ହରମନ କୌର ।
ସାଧାରଣତଃ ବାହାଘରରେ ବର ଶୋଭାଯାତ୍ରା କରି କନ୍ୟା ଘରକୁ ଯାଏ। କିନ୍ତୁ ଏହି ବିବାହରେ, କନ୍ୟା ସାତ ସମୁଦ୍ର ପାରି ହୋଇ କାନାଡାରୁ ବର ଘରେ ପହଞ୍ଚିଥିଲେ। ଫିରୋଜପୁରରେ ବର ଦୁର୍ଲଭ ସିଂଙ୍କ ଘର ହୋଇଥିବା ବେଳେ କନ୍ୟା ହରମୋନ କୌରଙ୍କ ଘର କାନାଡ଼ାରେ । କିନ୍ତୁ ଉଭୟେ କାନାଡ଼ାରେ ରୁହନ୍ତି । ଇତି ମଧ୍ୟରେ ନିଜ ମାଟି ସହିତ ସମ୍ପର୍କ ବଜାୟ ରଖିବା ପାଇଁ, ସେମାନେ ପଞ୍ଜାବରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କର ନିଷ୍ପତ୍ତି କେବଳ ପରମ୍ପରା ପାଳନ କରିବାରେ ସୀମିତ ନ ଥିଲା ବରଂ ଏହା ପଛରେ ଏକ ଗଭୀର ଚିନ୍ତାଧାରା ମଧ୍ୟ ଥିଲା।
ଦୁର୍ଲଭ ନିଜ ବିବାହକୁ ସ୍ୱତନ୍ତ୍ର କରିବା ପାଇଁ ନିଜର ଗହମ କିଆରିରେ ବିବାହ କରିବାକୁ ସ୍ଥିର କରିଥିଲେ । ଏଥିରେ ଘର ଲୋକ ମଧ୍ୟ ରାଜି ହୋଇଥିଲେ । ଜମିରେ ହୋଇଥିବା ଫସଲ ମଧ୍ୟରେ ଏକ ତମ୍ବୁ ପକାଇ ସମସ୍ତ ପ୍ରସ୍ତୁତି କରାଯାଇଥିଲା। ବିବାହ ମଣ୍ଡପକୁ ସବୁଜ ଗଛଲତାରେ ସଜାଯାଇଥିଲା । କେବଳ ସେତିକି ନୁହେଁ, ବିବାହ ଉତ୍ସବରେ ଯୋଗ ଦେଇଥିବା ସମସ୍ତ ଅତିଥିଙ୍କୁ ଉପହାର ସ୍ୱରୂପ ଗଛଚାରା ଦେଇ ବିଦାୟ ଦେଇଥିଲେ ବରକନ୍ୟା। ଏପରି କରିବାର ଉଦ୍ଦେଶ୍ୟ ହେଉଛି ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ବୋଲି କହିଛନ୍ତି ଦୁର୍ଲଭ ଓ ହରମୋନ ।
ହରମନ ଏବଂ ଦୁର୍ଲଭ କହିଛନ୍ତି, ହରିୟାଣା ସୀମାରେ ପଞ୍ଜାବ ଚାଷୀମାନେ ସେମାନଙ୍କର ଦାବି ପାଇଁ ଚାପ ପକାଇବା ପାଇଁ କରୁଥିବା ପ୍ରତିବାଦରୁ ସେମାନେ ଅନୁପ୍ରାଣିତ ହୋଇଛନ୍ତି। କ୍ଷେତରେ ବିବାହ କରି ସେ ବାର୍ତ୍ତା ଦେଇଥିଲେ ଯେ, ସେ କେବେବି ତାଙ୍କ ଗାଁରୁ ଦୂରକୁ ଯିବେ ନାହିଁ ଏବଂ ସବୁବେଳେ ତାଙ୍କ ମାତୃଭୂମି ସହିତ ଯୋଡ଼ି ହୋଇ ରହିବେ। ହରମନ କହିଥିଲେ, ଯେତେବେଳେ ଦିଲ୍ଲୀରେ ପ୍ରଥମ କୃଷକ ଆନ୍ଦୋଳନ ଆରମ୍ଭ ହୋଇଥିଲା, ସେତେବେଳେ ମଧ୍ୟ ଆମେ ଚାଷୀମାନଙ୍କୁ ସାହାଯ୍ୟ କରିଥିଲୁ। ଏବେ ମଧ୍ୟ ଆମେ ଆମର ବିବାହକୁ କୃଷକମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରୁଛୁ,ଯାହା ଦ୍ୱାରା ଅନ୍ୟ ଚାଷୀ ପରିବାର ଏଥିରୁ ଶିଖିପାରିବେ ଏବଂ ପୁରୁଣା ସମୟ ପରି ବଡ଼ ମହଲ ରଖିବା ପରିବର୍ତ୍ତେ ଲୋକମାନେ ଘର ବାହାରେ ନିଜ କ୍ଷେତରେ ତମ୍ବୁ ଲଗାଇ ବିବାହ କରିବା ଉଚିତ।
Comments are closed.