Latest Odisha News

BREAKING NEWS

୨ ବର୍ଷ ପୂର୍ତ୍ତିରେ ମୁହାଁମୁହିଁ ବିଜେଡି ଓ ବିଜେପି: ସରକାରଙ୍କୁ ଘେରିଲେ ରାଜା ସ୍ୱାଇଁ, ପାଲଟା ଜବାବ ଦେଲେ ମନମୋହନ ସାମଲ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଶାସକ ଦଳକୁ ଜୋରଦାର ସମାଲୋଚନା କରିଛି ବିରୋଧୀ ବିଜେଡି। ଦଳର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ବିଜେପି ସରକାର ଏହି ଦୁଇ ବର୍ଷ ମଧ୍ୟରେ ୧୨ ଥର ନିଜ ନିଷ୍ପତ୍ତିରୁ ୟୁ ଟର୍ଣ୍ଣ ନେଲେଣି। ଚାଷୀ, ମହିଳା ଏବଂ ସାଧାରଣ ଜନତା ସରକାରଙ୍କ ଦ୍ୱାରା ପ୍ରତାରିତ ହୋଇଛନ୍ତି।

 

ରାଜା ସ୍ୱାଇଁ ଅଭିଯୋଗ କରିଛନ୍ତି ଯେ ରାଜ୍ୟରେ ଲକ୍ଷ ଲକ୍ଷ ହିତାଧିକାରୀଙ୍କୁ ମାସିକ ୩,୫୦୦ ଟଙ୍କା ଭତ୍ତା ମିଳୁନାହିଁ। ସୁଭଦ୍ରା ଯୋଜନା ଓ ଚାଷୀଙ୍କୁ ନେଇ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇନାହିଁ। ଛାତ୍ର ସଂସଦ ନିର୍ବାଚନ ହୋଇପାରିନାହିଁ ଏବଂ ମେଟ୍ରୋ ପ୍ରକଳ୍ପ ମଧ୍ୟ ବନ୍ଦ ରହିଛି। ଏପରିକି ପ୍ରଦୂଷଣ ସାର୍ଟିଫିକେଟ ଆଳରେ ଲୋକଙ୍କୁ ହଇରାଣ କରାଯାଉଛି ଏବଂ ଶ୍ରୀମନ୍ଦିରରେ ଭକ୍ତମାନେ ଦର୍ଶନ ପାଇଁ ଡହଳ ବିକଳ ହେଉଛନ୍ତି।

 

ବିଜେଡିର ଏହି ସମସ୍ତ ଅଭିଯୋଗର କଡ଼ା ଜବାବ ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେ କହିଛନ୍ତି ଯେ ଯେଉଁମାନେ ବିଫଳତାର କଥା କହୁଛନ୍ତି ସେମାନେ ନିଜ ଶେଷ ୧୫ ବର୍ଷର ଶାସନ କାଳରେ କେଉଁ ସଫଳତା ପାଇଥିଲେ ତାହା ଆଗ କୁହନ୍ତୁ। ଦୁଇ ବର୍ଷର କାର୍ଯ୍ୟର ସମ୍ପୂର୍ଣ୍ଣ ରିପୋର୍ଟ କାର୍ଡ ଆସନ୍ତା ୧୨ ତାରିଖରେ ଜନସାଧାରଣଙ୍କ ସାମ୍ନାରେ ରଖାଯିବ।

 

ସରକାର ଗଠନ ହେବାର ୨୪ ଘଣ୍ଟା ମଧ୍ୟରେ ସଂକଳ୍ପ ପତ୍ର ଅନୁଯାୟୀ କାର୍ଯ୍ୟ ଆରମ୍ଭ ହୋଇଥିବା ଶ୍ରୀ ସାମଲ ଦାବି କରିଛନ୍ତି। ଚାଷୀଙ୍କୁ ଇନପୁଟ୍ ସବସିଡି ମିଳିବା ସହ ମହାପ୍ରଭୁଙ୍କ ଚାରିଦ୍ୱାର ଏବଂ ରତ୍ନଭଣ୍ଡାର ଖୋଲିଛି। ବିଜେପି ଯାହା କହିଛି ତାହା କରି ଦେଖାଇଛି ବୋଲି ସେ ଦୃଢ଼ତାର ସହ ପ୍ରକାଶ କରିଛନ୍ତି।

Comments are closed.