ଭୁବନେଶ୍ବର: ମୋବାଇଲ୍ ଚୋରି ପାଇଁ ସୁପାରୀ ପ୍ଲାନ। ସ୍ୱାମୀର ମୋବାଇଲ୍ ଲୁଟ୍ ପାଇଁ ସ୍ତ୍ରୀର ଷଡ଼ଯନ୍ତ୍ର। ସ୍ୱାମୀର ସହଯୋଗୀକୁ ସୁପାରୀ ଦେଇ ଅଡୁଆରେ ସ୍ତ୍ରୀ। ଧରାପଡିଛି ମୋବାଇଲ୍ ଚୋର ଆଉ ଧରାପଡିଛି ଚୋରି ପଛର ଷଡ଼ଯନ୍ତ୍ର। ପରକୀୟା ପ୍ରୀତି ଧରା ପଡ଼ିଯିବା ଭୟରେ ମୋବାଇଲରେ ଥିବା ଫଟୋ ଓ ଅଡ଼ିଓ ନଷ୍ଟ କରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲେ ସ୍ତ୍ରୀ ଓ ପ୍ରେମିକ। ହୋଟେଲକୁ ଡକାଇ ଅନ୍ୟ ଦ୍ୱାରା ମୋବାଇଲ ଚୋରି କରିନେଲେ। ମୋବାଇଲ୍ ଚୋରି ନେଇ ଅଭିଯୋଗ ପାଇ ଚୋରକୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ।
ଅଭିଯୁକ୍ତ ହେଉଛନ୍ତି ଲିପୁନ ବେହେରା ଏବଂ ତାଙ୍କ ଘର ଅନୁଗୋଳ। ସେ ଇନ୍ଫୋଭ୍ୟାଲି ଥାନା ଅରିଶଲରେ ରହୁଥିଲା। ଅଭିଯୁକ୍ତ ଠାରୁ ଲୁଟ୍ ହୋଇଥିବା ମୋବାଇଲ୍ ଜବତ କରାଯାଇଛି। ତେବେ ମୋବାଇଲ୍ ଲୁଟ୍ ପଛରେ ଅଭିଯୋଗକାରୀ କଣ୍ଟ୍ରାକ୍ଟରଙ୍କ ସ୍ତ୍ରୀଙ୍କର ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି। ସ୍ତ୍ରୀର ପରକୀୟା ପ୍ରୀତିର ପ୍ରମାଣ ଥିବାରୁ କଣ୍ଟ୍ରାକ୍ଟର ଥିବା ସ୍ବାମୀଙ୍କ ମୋବାଇଲ୍ କୁ ଲୁଟ୍ କରିବାକୁ ସ୍ତ୍ରୀ କିପରି ଭୟଙ୍କର ଷଡ଼ଯନ୍ତ୍ର କରିପାରେ ତାହା ସାମ୍ନାକୁ ଆସିଛି।
ପୁଲିସ ସୂଚନା ଅନୁଯାୟୀ, ଅଭିଯୋଗକାରୀ ଆଲୋକ ଜେନା ଏବଂ ରମେଶ ନାୟକ ଗୋଟିଏ ସଂସ୍ଥାରେ କାମ କରୁଥିଲେ । ରମେଶ ଆଲୋକଙ୍କ ଘରକୁ ଯିବାଆସିବା କରିନ୍ତି । ଏହା ଭିତରେ ଆଲୋକଙ୍କ ପତ୍ନୀ ସନ୍ଧ୍ୟାଙ୍କ ସହ ରମେଶଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଉଭୟଙ୍କ ମଧ୍ୟରେ ମୋବାଇଲରେ ଚାଟିଂଠାରୁ ଆରମ୍ଭ କରି ପ୍ରେମାଳାପ ଓ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ, ଭିଡ଼ିଓ ଆଦି ସନ୍ଧ୍ୟାଙ୍କ ମୋବାଇଲରେ ଥିଲା । ଏହା ଆଲୋକ ଜାଣିବା ପରେ ସନ୍ଧ୍ୟାଙ୍କଠାରୁ ଉକ୍ତ ମୋବାଇଲକୁ ଛଡ଼ାଇ ନେଇଥିଲେ । ଏହା ରମେଶ ଜାଣିବା ପରେ ଆଲୋକଙ୍କଠାରୁ ଉକ୍ତ ମୋବାଇଲ କେମିତି ଚୋରି କରି ସେଥିରେ ଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଅଡ଼ିଓ ଆଦିକୁ ନଷ୍ଟ କରିବେ ସେହି ଚିନ୍ତାରେ ଥିଲେ । ତେଣୁ ଆଲୋକଙ୍କ ବନ୍ଧୁ ଲିପୁନ ବେହେରାଙ୍କୁ ରମେଶ ୧୦ ହଜାର ଟଙ୍କା ସୁପାରି ଦେଇଥିଲେ । ଯେମିତି ହେଉ ଆଲୋକଙ୍କ ମୋବାଇଲ ଚୋରି କରି ତାଙ୍କୁ ଦେବା ପାଇଁ କହିଥିଲେ ।
ଗତ ୨୧ ତାରିଖରେ ଛତାବର ଛକ ନିକଟରେ ଆଲୋକଙ୍କୁ ତାଙ୍କ ବନ୍ଧୁ ଲିପୁନ ବେହେରା ସାକ୍ଷାତ କରିଥିଲେ । ରାତି ହୋଇ ଯାଇଥିବାରୁ ଲିପୁନ ତାଙ୍କୁ ହୋଟେଲରେ ରହିଯିବାକୁ ପ୍ଲାନ୍ କରି କହିଥିଲେ । ଆଲୋକ, ଲିପୁନ ଏବଂ ତାଙ୍କର ଅନ୍ୟଜଣେ ବନ୍ଧୁ ବଳରାମ ଦାସ ୩ ଜଣ ମିଶି ଭଗବାନପୁରରେ ଥିବା ହୋଟେଲ ତାଜ୍ ଇନ୍ରେ ରହିଥିଲେ । ସକାଳୁ ସକାଳୁ ଆଲୋକଙ୍କ ମୋବାଇଲ ଚୋରି ହୋଇଥିବା ଜାଣି ସେ ଖୋଜାଖୋଜି କରି ପାଇ ନଥିଲେ । ତେଣୁ ସେ ଏନେଇ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ ।
ଲିପୁନ ବେହେରା, ଆଲୋକଙ୍କ ପତ୍ନୀ ସନ୍ଧ୍ୟା ଜେନା ଓ ରମେଶ ନାୟକ ଷଡ଼ଯନ୍ତ୍ରକରି ତାଙ୍କ ମୋବାଇଲ ଚୋରି କରିଥିବା ସେ ପୁଲିସ ନିକଟରେ କହିଥିଲେ । ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ଜଣାପଡ଼ିଥିଲା, ଲିପୁନ ସେଦିନ ଭୋର ସମୟରେ କାହାକୁ କିଛି ନ ଜଣାଇ ହୋଟେଲ ଛାଡ଼ି ପଳାଇ ଯାଇଥିଲେ । ତେଣୁ ପୁଲିସ ଲିପୁନଙ୍କୁ ଉଠାଇ ଆଣିଥିଲା । ଜେରା ବେଳେ ସେ ରମେଶ ନାୟକ ଏବଂ ସନ୍ଧ୍ୟା ଜେନାଙ୍କ ପ୍ରରୋଚନାରେ ଉକ୍ତ ମୋବାଇଲ ଚୋରି କରିଥିବା କହିଥିଲେ। ଅଭିଯୁକ୍ତକୁ ଗିରଫ ପରେ ପୁଲିସ ଆଗରେ ମାନିଛି ସତ। ୧୦ହଜାର ଟଙ୍କା ସୁପାରୀ ଫାଇନାଲ ସହ ୫ହାଜାର ଟଙ୍କା ଆଡଭାନ୍ସ ନେଇ କିଭଳି ମୋବାଇଲ୍ ଚୋରି କରିଥିଲା ତାହା ସାମ୍ନାକୁ ଆସିଛି। ସ୍ତ୍ରୀ ଓ ସ୍ତ୍ରୀର ପୁରୁଷ ବନ୍ଧୁ କିଭଳି ସୁପାରି ଦେଇ ଏଭଳି ଚକ୍ରାନ୍ତ କରିଛନ୍ତି ତାହା ସାମ୍ନାକୁ ଆସିଛି।
ଉକ୍ତ ମୋବାଇଲରେ ସେମାନଙ୍କ କିଛି ଫଟୋ, ଅଡ଼ିଓ ଓ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରହିଥିଲା । ତେଣୁ ସେମାନଙ୍କ କଥାରେ ପଡ଼ି ଲିପୁନ ମୋବାଇଲ ଚୋରି କରିବା ସହ କୋରିଅରରେ ଉତ୍ତରପ୍ରଦେଶରେ ରହୁଥିବା ତାଙ୍କର ଜଣେ ବନ୍ଧୁଙ୍କ ନିକଟକୁ ପଠାଇ ଦେଇଥିବା କହିଥିଲେ । ପୁଲିସ କୋରିଅର ରସିଦ ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରିବା ସହ ଲିପୁନିଙ୍କୁ ଗିରଫ କରି ଆଜି କୋର୍ଟ ଚାଲଣ କରିଛି ।
