ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରୁ ପଥର ଖସିବା ଓ ତାର ମରାମତି ନିମନ୍ତେ ହୋଇଥିବା ସମସ୍ତ ଆଲୋଚନା ବିଷୟରେ ଆମେ ଜାଣିଲେ ଏ ବିଷୟ ଲେଖିବାର ତତ୍ପର୍ଯ୍ୟ ଏହିକି ଯେ ସେତେବେଳେ ମଧ୍ୟ ବିଭିନ୍ନ ବିବାଦ ଥିଲା। କିନ୍ତୁ ଇଂରେଜ ଶାସକମାନେ ପୁରୀ ରାଜାଙ୍କୁ ଶ୍ରୀମନ୍ଦିର ର ସର୍ବୋତ୍ତମ ତତ୍ତ୍ୱାବଧାରକ ରୂପେ ସ୍ୱୀକାର କରିଥିଲେ ଓ ତାଙ୍କରି ପରାମର୍ଶରେ ସମସ୍ତ କାର୍ଯ୍ୟ ସମ୍ପାଦନ କରୁଥିଲେ। ବର୍ତ୍ତମାନ ମଧ୍ୟ ଏହି ପରମ୍ପରା ବଜାୟ ରହିଲେ ଶ୍ରୀମନ୍ଦିର ପରିଚାଳନା ସଠିକ ହୁଅନ୍ତା। ପୁରୀ ରାଜାଙ୍କ ପରାମର୍ଶ ଅନୁସାରେ ସରକାର ଅର୍ଥ ଅନୁମୋଦନ କରି କାର୍ଯ୍ୟ ଆରମ୍ଭ କଲେ। ଏହି ମରାମତି ଚାଲିଥିବା ସମୟରେ ଶ୍ରୀଜୀଉମାନେ ଜଗମୋହନରେ ଅସ୍ଥାୟୀ ମଞ୍ଚରେ ଉପବେଶନ କଲେ। ସେତେବେଳେ ମହାପ୍ରସାଦ ଭୋଗ ଲାଗିବ କି ନାହିଁ ସେ ବିଷୟରେ ଅନେକ ବାଦ ବିବାଦ ହେଲା। ଏପରିକି ସନ୍ୟାସୀ, ବ୍ରହ୍ମଚାରୀ, ଓ ବ୍ରାହ୍ମଣମାନେ କିଛି ଦିନ ପାଇଁ ମହାପ୍ରସାଦ ସେବା କରିବା ଛାଡିଦେଲେ। ପରେ ବିଭିନ୍ନ ସଭା ଓ ପଣ୍ଡିତମାନଙ୍କ ଉପଦେଶ ପ୍ରକାରେ ଯଥାବିଧି ମହାପ୍ରସାଦ ଭୋଗ ଲାଗିଲା ଓ ସମସ୍ତେ ସେବା କଲେ।
୧୮୭୬ମସିହା ମେ ମାସ ସୁଦ୍ଧା ଖସିଥିବା ପଥର ଜାଗାରେ ନୂଆ ପଥର ଲାଗିଲା। କିନ୍ତୁ ସେହି ବର୍ଷ ରଥ ଯାତ୍ରା ପରେ ଠାକୁରମାନେ ରତ୍ନସିଂହାସନକୁ ଫେରିଲେ। ଏଭଳି ଘଟଣା ଅନେକ ଘଟିଛି ଶ୍ରୀମନ୍ଦିରରେ ୧୯୩୭, ୧୯୩୯,୧୯୬୧,୧୯୬୯,୧୯୭୫, ୧୯୭୯, ୧୯୮୫, ୧୯୮୮, ୧୯୯୦, ୧୯୯୧, ୧୯୯୨, ୨୦୦୪ରେ ଏଭଳି ଘଟଣାମାନ ଘଟିଥିବାର ପ୍ରମାଣ ଅଛି। ଏହାଛଡା ମାଦଳା ପାଞ୍ଜି ଓ ଐତିହାସିକ ବିବରଣୀ ଅନୁସାରେ ଖ୍ରୀଷ୍ଟାବ୍ଦ ୭୮୦ ରୁ ଖ୍ରୀଷ୍ଟାବ୍ଦ ୧୭୩୧ ଯାଏଁ ପ୍ରାୟ ୯୫୧ଥର ଠାକୁରମାନେ ଏପରି ଘଟଣା ଯୋଗୁ ସ୍ଥାନାନ୍ତରିତ ହୋଇଛନ୍ତି। ସବୁଥର ବିଭିନ୍ନ ସମସ୍ୟାର ଉତ୍ତମ ସମାଧାନ ଖୋଜି ମହାପ୍ରଭୁ ସ୍ୱୟଂ ସେବକମାନଙ୍କୁ ପଥ ଦେଖାଇଛନ୍ତି। ସେ ଇତିହାସକୁ ଲେଖି ବସିଲେ ଗୋଟିଏ ପୋଥି ହେବ। ତେଣୁ ଆଗାମୀ ଅଧ୍ୟାୟରେ ଆଉ ଇତିହାସ ପୃଷ୍ଠା ନ ଲେଉଟାଇ ଜାଣିବାକୁ ଚେଷ୍ଟା କରିବା ଶ୍ରୀମନ୍ଦିରରେ ପ୍ରଚଳିତ କିଛି ନିଆରା ଶବ୍ଦଙ୍କ ବିଷୟରେ। ବର୍ତ୍ତମାନ ସମୟ ଆରାଧନା ଓ ନୀତିବାଣୀର।
କୃଷ୍ଣ ଚରିତ ଭାଗବତ
ପଦପଦକେ ଯେ ଅମୃତ।
ଏ ଭାଗବତ ରସ ଚିତ୍ତେ
ସୁଜନେ ଦିଅ କର୍ଣ ପଥେ।
ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )
Comments are closed.