ସଞ୍ଜିତା ପ୍ରଧାନ
ତୁମେ, ମୁଁ, ସେମାନେ
ମାପି ହେଉ ନଥିବା ଦୂରତ୍ୱର ବଳୟ
ପରିମାପର ବିଚିତ୍ର ଅଭାବ ।
ଦେଖ ! ପେଟର ଭୋକ ସ୍ବେଦ ଏଠି
ମାଲିକର ହୁକୁମ ରକ୍ତର ପାଉଣା ମାଗେ
ଚର୍ମ ଘୋଡେଇ କଙ୍କାଳ ଦିନରାତି ଖଟେ
କୋରଡ଼ିଆ ଆଖି ଦୁଇ ଜଳେଇଯାଏ
ଖୁଦ ମହଙ୍ଗା ପଡ଼େ ।
ତେବେ ବି ଲଙ୍ଗଳା ଛୁଆ ସ୍ବପ୍ନ ଦେଖେ
ଜୀର୍ଣ୍ଣ ଶରୀରେ ଲଟକି ଯାଇଥିବା ପେଟ
ଜୀବନ ସହ ଲଢ଼ିଇ କରିବା ଶିଖେ
ବର୍ଣ୍ଣବୋଧର ଅକ୍ଷର ସହ ଖେଳେ
ସୁଟ୍ ବୁଟ୍ ପିନ୍ଧା ଶରୀରର ଛାଇରେ
ନିଜର ପ୍ରତିଛବି ଆବିଷ୍କାର କରି ଖୁସି ହୁଏ ।
ଅଭାବ ବୋଇଲେ ସରୁନଥିବା ବିଶ୍ୱଯୁଦ୍ଧଟେ
ନେଇଯାଏ ପିଲାଳିଆମୀ
ଦେଇଯାଏ ଲିଭୁ ନଥିବା କ୍ଷତ ଚିହ୍ନ
କ୍ଷତରେ ଦାଉ ଦାଉ ଜଳେ ଭିନ୍ନ ଏକ ପୃଥିବୀ
ଯିଏ ଲୋଡ଼େ ଥିଲାପଣ ।
ପଙ୍କରେ ପଦ୍ମ ଫୁଟେ
ଅଭାବ ଅସୁବିଧା ଅନୁଭୂତି ଅଭିଜ୍ଞତା ଦିଏ
ହାରିହାରି ଜିତୁଥିବା ମଣିଷ ବିଜୟୀ ଆଖ୍ୟା ପାଏ
ରକ୍ତାକ୍ତ ପାଦ ବାଟଟେ ଖୋଜି ବାହାର କରେ
ଅନେକ ବିଫଳତା ପରେ ସଫଳତା ହୁଙ୍କାର ମାରେ
ଲଂଗଳା ଛୁଆ ସାହେବ ଆସନେ ବସେ
ଟଙ୍କାର ଗୁଲାମ୍ ସାଜିଥିବା ବାବୁମାନେ
ଚାରିକଡେ ଭିଡ଼ ଜମାନ୍ତି
ତୁମେ, ମୁଁ, ସେମାନେ ବ୍ୟତିକ୍ରମ ଦେଖନ୍ତି
ମନକୁ ପାଇଲେ ଠିକ୍
ନ ପାଇଲେ ବି ଅନ୍ୟ ସ୍ୱରେ ସ୍ୱର ମିଶାନ୍ତି ।
ସୁନ୍ଦରଗଡ଼
Comments are closed.