Latest Odisha News

BREAKING NEWS

ବଜାରରେ ବୁଲୁଛି ନକଲି ନୋଟ୍: ଠକୁ ଠକୁ ଲୋକଙ୍କ ହାବୁଡ଼ରେ ପଡ଼ିଲେ ଠକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣିଥରେ ସକ୍ରିୟ ହୋଇଉଠିଛନ୍ତି ନକଲି ନୋଟ୍ ବେପାରୀ। ସାଧାରଣ ଲୋକଙ୍କୁ ଚୂନ ଲଗାଇ ବଜାରରେ ଫେକ୍ କରେନ୍ସି ଚଳାଇବାକୁ ଉଦ୍ୟମ କରୁଥିବା ବେଳେ ରଙ୍ଗେ ହାତ ଧରାପଡ଼ିଛନ୍ତି ଦୁଇ ଜଣ ସନ୍ଦିଗ୍ଧ ଯୁବକ। ଭୁବନେଶ୍ୱରର ବଡ଼ଗଡ଼ ଥାନା ଅନ୍ତର୍ଗତ ଚିଲିପୋଖରୀ ଅଞ୍ଚଳରେ ଘଟିଥିବା ଏହି ଘଟଣା ଏବେ ସ୍ଥାନୀୟ ବ୍ୟବସାୟୀ ଓ ସାଧାରଣ ନାଗରିକଙ୍କ ମଧ୍ୟରେ ଛନକା ପୂରାଇ ଦେଇଛି।

 

ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଜଣ ଯୁବକ ଚିଲିପୋଖରୀ ଅଞ୍ଚଳରେ କିଛି ସାମଗ୍ରୀ କିଣିବା ଆଳରେ ଏକ ଦୋକାନରେ ନକଲି ନୋଟ୍ ଦେଇଥିଲେ। ତେବେ ନୋଟ୍‌ର ରଙ୍ଗ ଓ କାଗଜକୁ ଦେଖି ଦୋକାନୀଙ୍କର ସନ୍ଦେହ ହୋଇଥିଲା। ସେ ସାଙ୍ଗେ ସାଙ୍ଗେ ଆଖପାଖ ଲୋକଙ୍କୁ ଡାକି ନୋଟ୍‌କୁ ଯାଞ୍ଚ କରିବା ପରେ ତାହା ସମ୍ପୂର୍ଣ୍ଣ ନକଲି ବୋଲି ଜଣାପଡ଼ିଥିଲା। ଧରାପଡ଼ିବା ଭୟରେ ଯୁବକ ଦ୍ୱୟ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ, କିନ୍ତୁ ଉପସ୍ଥିତ ଲୋକମାନେ ବୁଦ୍ଧି ଖଟାଇ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲେ।

 

ଲୋକମାନେ ତୁରନ୍ତ ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ବଡ଼ଗଡ଼ ଥାନା ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଥାନାକୁ ଆଣି ଅଟକ ରଖିଛି ଏବଂ ସେମାନଙ୍କ ନିକଟରୁ କିଛି ନକଲି ନୋଟ୍ ଜବତ ହୋଇଥିବା ଜଣାପଡ଼ିଛି। ତେବେ ଏତେ ପରିମାଣର ଜାଲ୍ ନୋଟ୍ କେଉଁଠୁ ଆସିଲା? ଏହା ପଛରେ କୌଣସି ବଡ଼ ଆନ୍ତଃରାଜ୍ୟ ରାକେଟ୍ କାମ କରୁଛି କି? ସହରର ବଜାରକୁ ଆଉ କେତେ ପରିମାଣର ନକଲି ନୋଟ୍ ଛଡ଼ାଯାଇଛି? ଏସବୁ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ପୋଲିସ ତଦନ୍ତକୁ ଜୋର୍‌ଦାର୍ କରିଛି।

Leave A Reply

Your email address will not be published.