Latest Odisha News

BREAKING NEWS

Fake Currency: ସ୍କର୍ପିଓରୁ ୮ଲକ୍ଷର ନକଲି ନୋଟ ଜବତ;ଦୁଇ ଗିରଫ

ସୁବର୍ଣ୍ଣପୁର: ଗାଡ଼ିରୁ ୮ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ନକଲି ନୋଟ୍‌ ଉଦ୍ଧାର । ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଉଭୟଙ୍କ ପାଖରୁ ଦୁଇଟି ମୋବାଇଲ ଜବତ କରିଛି ପୋଲିସ। ସୁବର୍ଣ୍ଣପୁର ସହର ସ୍ଥିତ ଏସ୍‌ବିଆଇ ମୁଖ୍ୟ ଶାଖା ସମ୍ମୁଖରେ ପୋଲିସ ବିପୁଳ ପରିମାଣର ଜାଲ ନୋଟ ଜବତ କରିଛି । ଗତକାଲି ରାତିରେ ସୋନପୁର ଥାନା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ବ୍ଲକ ଛକ ନିକଟରେ ଓଡି-୩୪ଜେଡ୍‌-୧୯୧୯ ନମ୍ବର ବିଶିଷ୍ଟ ଏକ କଳାରଙ୍ଗର ସ୍କୋର୍ପିଓକୁ ଅଟକାଇ ଯାଞ୍ଚ କରିଥିଲା। ଗାଡ଼ି ଭିତରେ ଥିବା ଗୋଟିଏ ନାଲି ବ୍ୟାଗରୁ ଲକ୍ଷାଧିକ ଟଙ୍କାର ନକଲି ନୋଟ୍ ଜବତ କରାଯାଇଛି।

ସେହି ବ୍ୟାଗରେ ୧୬୯୫ ଟି ୫ ଶହ ଟଙ୍କିଆ ଅର୍ଥାତ୍ ୮ ଲକ୍ଷ ୪୭ ହଜାର ୫୦୦ ଟଙ୍କାର ନୋଟ୍ ଥିଲା। ପୋଲିସ ଯାଞ୍ଚ କରିବା ସମୟରେ ତାହା ନକଲି ନୋଟ୍ ବୋଲି ଜାଣିବାକୁ ପାଇଥିଲା । ପରେ ପୋଲିସ ବ୍ୟାଗ ଜବତ କରିବା ସହିତ ସମ୍ପୃକ୍ତ ଦୁଇ ଯୁବକଙ୍କୁ ଗିରଫ ମଧ୍ୟ କରିଥିଲା। ଗିରଫ ଯୁବକ ହେଲେ ଯାଜପୁର ଜିଲ୍ଲା ଯଖପୁର ଅଞ୍ଚଳର ଅଭିଳାଷ ପୁରୁଷୋତ୍ତମ ଶତପଥୀ ଓରଫ ଲିବୁନ୍‌ ଓ ନୟାଗଡ଼ା ଜିଲ୍ଲା ଖଣପା ଥାନା ଅନ୍ତର୍ଗତ ମର୍ଦ୍ଦରାଜପୁର ଗ୍ରାମର ପ୍ରଶାନ୍ତ ଦାସ ।

ସେମାନେ ବରଗଡ଼ ଜିଲ୍ଲାରୁ ଏହା ସଂଗ୍ରହ କରି ସୁବର୍ଣ୍ଣପୁର ଜିଲ୍ଲା ଏବଂ ଅନ୍ୟାନ୍ୟ ଅଞ୍ଚଳକୁ ଚାଲାଣ କରୁଥିବା ପ୍ରକାଶ କରିଥିଲେ। ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ଏସ୍‌ପି କହିଛନ୍ତି, ଜାଲନୋଟ କାରବାର ସମ୍ପର୍କରେ ଗୋଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ତଦନୁଯାୟୀ ସହରରେ ପୋଲିସ ପେଟ୍ରୋଲିଂ କଡାକଡି କରାଯାଇଥିଲା। ଜାଲ ନୋଟ ବୋଲି ଖାଲି ଆଖିରେ ଦେଖିଲେ ଜଣା ପଡିଯାଉଛି। ସବୁ ନୋଟର କ୍ରମିକ ନଂ ୦୦ ୦୦ ୦୦ ଥିଲା।

Leave A Reply

Your email address will not be published.