Latest Odisha News

BREAKING NEWS

[ଭିଡ଼ିଓ] ଆପଣା ସାଜିଲେ ପର, ପର ସାଜିଲେ ଆପଣା

ଅନୁଗୁଳ: ଗୋହିରାପଶି ଗାଁରେ ଅଭାବନୀୟ ଘଟଣା । ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପାଖ ମାଡିଲେନି ପରିବାର କି ଗାଁ ଲୋକେ । ଶେଷରେ ଆଗେଇ ଆସିଥିଲେ କିଛି ସରକାରୀ ବାବୁ ଓ ସ୍ଥାନୀୟ ସରପଂଚ । ଦେଖାଇଥିଲେ ମାନବିକତାର ଜ୍ୱଳନ୍ତ ଉଦାହରଣ ।

ଗତକାଲି ସଂଧ୍ୟା ୮ଟାବଳେ ଗୋବିନ୍ଦ ମାଝୀ ନାମକ ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ । କରୋନାରେ ସଂକ୍ରମିତ ଗୋବିନ୍ଦଙ୍କ ଅକାଳ ମୃତ୍ୟୁ ଗାଁରେ ଖେଳାଇଥିଲା କୋକୁଆ ଭୟ । ଗୋବିନ୍ଦଙ୍କ ମୃତ୍ୟୁ କରୋନା ଜନିତ ଭାବି ପରିବାର ଲୋକଙ୍କ ସମେତ ଗାଁ ଲୋକେ ବି ପାଷାଣ ପାଲଟିଥିଲେ । ଏପରକି ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୃତଦେହ ଘରେ ପଡିରହିଥିଲା ।

ଗୋବିନ୍ଦଙ୍କ ମୃତ୍ୟୁ ଖବର ପାଇ ଗାଁରେ ପହଂଚିଥିଲେ ଛେଣ୍ଡିପଦା ବିଡିଓ । ପରିବାର ଲୋକ ତଥା ଗାଁ ଲୋକଙ୍କୁ ବୁଝାସୁଝା କରି ଶବ ସତ୍କାର କରିବାକୁ ଚେଷ୍ଟା କରିଥିଲେ । ହେଲେ ସମସ୍ତଙ୍କୁ ଘାରିଥିଲା କରୋନା ଭୟ । ଶେଷରେ ଅନ୍ୟ ଉପାୟ ନ ପାଇ ବିଡିଓଙ୍କ ସମେତ ସ୍ଥାନୀୟ ସରପଂଚ, ପଂଚାୟତ ସଂପ୍ରସାରଣ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଣ୍ଟା ଭିଡିଥିଲେ । ପିନ୍ଧିଥିଲେ ପପିଇ କିଟ୍‌, କାନ୍ଧେଇଥିଲେ ମୃତଦେହ । ମୃତଦେହକୁ ଘରୁ ଟେକିଆଣି କୋଭିଡ୍ ନିୟମ ଅନୁଯାୟୀ ଶବ ସତ୍କାର କରିଥିଲେ । କରୋନା ମହମାରୀ ସମୟରେ ଏପରି ଅନେକ ଘଟଣା ସାମ୍ନାକୁ ଆସୁଥିବାବେଳେ ବିଡିଓ ଓ ତାଙ୍କ ସହଯୋଗୀଙ୍କ ମହାନତାକୁ ଛୁଟିଛି ପ୍ରଶଂସାର ସୁଅ ।

Leave A Reply

Your email address will not be published.