ପୁରୀ: ଜଗନ୍ନାଥ ମନ୍ଦିରର ଉତ୍ତର ପଶ୍ଚିମ ଦିଗରେ ମାର୍କଣ୍ଡେଶ୍ୱର ସାହି ରହିଛି । ପୁରୀ ସହରର ଏହି ପୁରାତନ ସାହିର ଶେଷ ଭାଗରେ ମାର୍କଣ୍ଡେଶ୍ୱର ମହାଦେବ ମନ୍ଦିର ଓ ସରୋବର ରହିଛି । ଏହାର ନିକଟରେ ମାର୍କଣ୍ଡେୟ ଆଶ୍ରମ ଅବସ୍ଥାପିତ । ପ୍ରଥମେ ଏଠାରେ ସପ୍ତ ମାତୃକା ମୂର୍ତି ପୂଜା ପାଉଥିଲେ । କାଳକ୍ରମେ ଶାକ୍ତମାନଙ୍କ ପୂଜା ଉପାସନ ସହ ଶିବ ଉପସକମାନଙ୍କ ପୂଜା ଉପାସାନା ଯୋଡି ବର୍ତମାନ ଶିବଶାକ୍ତ ଉପାସାନା ସ୍ଥଳୀ ରୂପେ ପ୍ରସିଦ୍ଧ ଲାଭ କରିଛି । ମାର୍କଣ୍ଡେଶ୍ୱର ଜଳାଶୟ ଏକାଦଶ ଶତାବ୍ଦୀରେ ଚୋଡଗଙ୍ଗ ଦେବ ଖନନ କରାଇଥିଲେ ।
ତପସ୍ୟା ଖାତରୁ ବିରାଟ ଜଳାଶୟ
ଶ୍ରୀକ୍ଷେତ୍ରକୁ ଆସିଥିବା ଭକ୍ତମାନେ ଏଠାରେ ବୁଡ ପକାଇ ଶ୍ରୀମନ୍ଦିର ଦର୍ଶନ ପାଇଁ ଯାଇଥାନ୍ତି । ଏଠାରେ ଜଗନ୍ନାଥ ମନ୍ଦିରର କାଳୀୟଦଳନ ନୀତି ଓ ବଳଭଦ୍ରଙ୍କ ଜନ୍ମନୀତି ଅନୁଷ୍ଠିତ ହେଉଅଛି । ସ୍କନ୍ଦ ପୁରାଣରେ ବର୍ଣ୍ଣିତ ଅଛି ମହାପ୍ରଳୟ କାଳରେ ଶ୍ରୀନାରାୟଣ ପ୍ରଳୟ ଜଳର ଉପରିଭାଗରେ ଦୃଶ୍ୟମାନ କଳ୍ପବଟର ପତ୍ରପୁଟରେ ବାଳମୁକୁନ୍ଦ ରୂପେ ଶୟନ କରିଥିଲେ । କଳ୍ପଜିବୀ ମାର୍କଣ୍ଡେୟ ତାଙ୍କ ନିକଟକୁ ଯାଇଥିଲେ । ନାରାୟଣ ଏହି ସମୟରେ ତାଙ୍କ ମୁଖ ଖୋଲି ଦେଇଥିଲେ, ଋଷି ପାଟି ବାଟେ ପ୍ରବେଶ କରି ଠାକୁରଙ୍କ ଉଦର ମଧ୍ୟରେ ସାରା ବିଶ୍ୱ ବ୍ରହ୍ମାଣ୍ଡ ଦର୍ଶନ କରିଥିଲେ । ପରେ ମହାପ୍ରଭୂଙ୍କଠାରୁୂ ସେ ବର ଲାଭ କରି ନୀଳଗିରିର ବାୟୁ କୋଣରେ ଏକ ଖାତ ଭିତରେ ରହି ତପସ୍ୟା କରିଥିଲେ । କାଳକ୍ରମେ ଏହି ଖାତ ବିରାଟ ଜଳାଶୟ ମାର୍କଣ୍ଡ ପୁଷ୍କରିଣୀ ନାମରେ ନାମିତ ହେଲା । ମହାଦେବଙ୍କ କୃପାରୁ ବାଳକ ମାର୍କଣ୍ଡ ଚିରାୟୁରେ ପରିଣତ ହୋଇଥିଲା । ଯମ ଦେବତା ମଧ୍ୟ ତାଙ୍କ ପାଖକୁ ମାଡିବାକୁ ସାହସ କରିପାରୁ ନ ଥିଲେ । ସ୍ୱୟଂ ମାର୍କଣ୍ଡେଶ୍ୱର ପଂଚୁ ପାଣ୍ଡବଙ୍କ ମଧ୍ୟରେ ଜଣେ ହୋଇ ଚନ୍ଦନ ଯାତ୍ରାରେ ଯୋଗ ଦେଇ ଚାପ ଖେଳନ୍ତି ।
କଣ୍ଡୁ ଆଶ୍ରମ ରେ ପଣ୍ଡୁ ନୃସିଂହ ପୂଜା ପାଆନ୍ତି
ହରଚଣ୍ଡୀ ସାହି ଓ ଗୌଡବାଡ ସାହି ମଧ୍ୟ ଭାଗରେ ଶ୍ରୀଯମ୍ବେଶ୍ୱର ମହାଦେବଙ୍କ ଦକ୍ଷିଣ ପଶ୍ଚିମ ଦିଗରେ କଣ୍ଡୁ ଆଶ୍ରମ ଅବସ୍ଥାପିତ । କଣ୍ଡୁ ଋଷିଙ୍କ ଇଷ୍ଟଦେବତା ପଣ୍ଡୁ ନୃସିଂହ ଏଠାରେ ପୂଜା ପାଉଛନ୍ତି । ଏବେ ଏହି ଆଶ୍ରମର ନବ କଳେବର ହୋଇଛି କହିଲେ ଭୁଲ ହେବ ନାହିଁ । ଏଥିପାଇଁ ଜଣେ ଭକ୍ତଙ୍କ ଦାନ ପ୍ରଶଂସନୀୟ । ସେ ନିଜ ନାମ ମଧ୍ୟ କେଉଁଠାରେ ପ୍ରକାଶ କରି ନାହାନ୍ତି । ସ୍ଥାନୀୟ ନୃସିଂହ ଜାଗା ପକ୍ଷରୁ ନିୟମିତ ଭାବେ ଏଠାରେ ପୂଜାର୍ଚ୍ଚନା ଚାଲିଛି । ଏହି ଆଶ୍ରମକୁ ଶ୍ରୀମନ୍ଦିରରୁ ଶ୍ରୀସୁଦର୍ଶନ, ଚକ୍ରନାରାୟଣ, ବାଡି ନୃସିଂହ, ପଣ୍ଡୁ ନୃସିଂହ ବିମାନରେ ବସି ବିମାନବଡୁଙ୍କ କାନ୍ଧରେ ଆସିଥାନ୍ତି । ଏଠାରେ ସେମାନେ ପନ୍ତି ଖାଇଥାନ୍ତି । ଶ୍ରୀସୁଦର୍ଶନ ରାଧାଷ୍ଟମୀ ତିଥିରେ ଯମ୍ବେଶ୍ୱର ମହାଦେବ ପାଖକୁ ଆସି ଶ୍ରୀମନ୍ଦିର ଜମାଖର୍ଚ୍ଚ ଖାତାକୁ ତନଖି କରିଥାନ୍ତି । ସେହିପରି ଶ୍ରୀମଦନମୋହନ ଓ ଶ୍ରୀଦେବୀ ଗୁଆଲିରେ ଆସି ଶ୍ରୀଯମ୍ବେଶ୍ୱରଙ୍କ ବୃଷଭ ପୃଷ୍ଠରେ ବସି ଅଭ୍ୟର୍ଥିତ ହୋଇଥାନ୍ତି । ଶ୍ରୀଯମ୍ବେଶ୍ୱର ମାମୁଁ ହୋଇ ବଡ ଠାକୁରଙ୍କୁ ପୋଢ଼ୁଆଁ କରିଥାନ୍ତି ।
Comments are closed.