Latest Odisha News

BREAKING NEWS

ପାଲା ଜଗତର ପ୍ରଚଣ୍ଡ ପ୍ରତିଭା: ଭାଗବତ ଭୂଷଣ ବଳଭଦ୍ର ପଣ୍ଡା

ଏକବିଂଶ ଶତାବ୍ଦୀରେ ପାଲା ଜଗତରେ ଯେଉଁ କେତେଜଣ ଗାୟକ ବିପ୍ଳବ ଆଣିଛନ୍ତି, ନୂଆ ଧାରା ସୃଷ୍ଟି କରିଛନ୍ତି ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେଉଛନ୍ତି ଭାଗବତ ଭୂଷଣ ତଥା ଗାୟକ ଚିନ୍ମୟ ବଳଭଦ୍ର ପଣ୍ଡା । ବିଶେଷ କରି ପାଲାରେ ଆଧ୍ୟାତ୍ମିକ ଚିନ୍ତନ, ସାମାଜିକବାର୍ତା, ସମାଜ ଶିକ୍ଷା, ଅନ୍ଧବିଶ୍ୱାସ ଓ କୁସଂସ୍କାର ବିରୋଧରେ ସଚେତନତା ଆଦି ପ୍ରବେଶ କରାଇଥିଲେ ବଳଭଦ୍ର ପଣ୍ଡା ।

ସବୁଠାରୁ ବଡକଥା ହେଉଛି ପାଲାରେ ଭାଗବତକୁ ବ୍ୟାପକ ଭାବେ ପ୍ରଥମେ ବଳଭଦ୍ର ପଣ୍ଡା ହିଁ ପ୍ରବେଶ କରାଇଥିଲେ । ତାଙ୍କୁ ଦେଖି ଆଜି ଅନେକ ଗାୟକ ପାଲାରେ ଭାଗବତ ଗାୟନ କରୁଛନ୍ତି । ପାଲାକୁ ସାଧାରଣ ଲୋକଙ୍କଠାରୁ ଆଣି ବୁଦ୍ଧିଜୀବୀଙ୍କ ପାଖରେ ପହଞ୍ଚାଇବାରେ ମଧ୍ୟ ପଣ୍ଡା ମହୋଦୟଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

୧୯୪୫ ମସିହା ଜୁଲାଇ ୧ ତାରିଖରେ ପୁରୀ ଜିଲ୍ଲା ପିପିଲି ନିକଟବର୍ତୀ ସଂସ୍କୃତି ସଂପନ୍ନ ସୁରଙ୍ଗପୁର ଗ୍ରାମରେ ଏକ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ବଳଭଦ୍ର ପଣ୍ଡା । ବାପା କୃଷ୍ଣଚନ୍ଦ୍ର ପଣ୍ଡା ଓ ମାଆ ମୁକ୍ତାଦେବୀ । ୫ ବର୍ଷ ବୟସରେ ବଳଭଦ୍ରଙ୍କର ପାଠପଢା ଆରମ୍ଭ ହୋଇଥିଲା ଚାଟଶାଳୀରୁ । ବର୍ଣ୍ଣବୋଧ, କଡାଗଣ୍ଡା ପଣିକିଆ ଶେଷ ହେବାପରେ ସେ ଛାନ୍ଦରତ୍ନାକର, ଚାଣକ୍ୟ ନୀତି, ବଳି ବାମନାଷ୍ଟକ, ଗୋବିନ୍ଦ ବିରୁଦାବଳୀ, ଅମରକୋଷ ଆଦି ମୁଖସ୍ତ କଲେ । ଏସବୁ ତାଙ୍କୁ ପରେ ପାଲାରେ ବହୁତ ସହାୟକ ହୋଇଥିଲା । ବଳଭଦ୍ରଙ୍କୁ ଯେତେବେଳେ ମାତ୍ର ୭ ବର୍ଷ, ସେତେବେଳେ ବାପାଙ୍କର ବିୟୋଗ ହେଲା । ଏଇଠି ତାଙ୍କ ପାଠପଢାରେ ଡୋରୀ ବନ୍ଧାହେଲା ।୯ ବର୍ଷ ବେଳେ ବ୍ରତୋପନୟନ ପରେ ସେ ଗ୍ରାମର ଠାକୁର ଶ୍ରୀ ଶ୍ରୀ ରାଧାମୋହନ ଦେବଙ୍କ ପୂଜାର୍ଚ୍ଚନାରେ ଲାଗିଲେ । ସଂଧ୍ୟାବେଳେ ଗାଁରେ ଖଞ୍ଜଣୀ ଭଜନରେ ନିଜକୁ ସାମିଲ କରି ଆଧ୍ୟାତ୍ମିକ ଦିଗପ୍ରତି ଆକୃଷ୍ଟ ହୋଇପଡିଲେ ।

ପାଲା ଜଗତରେ ବଳଭଦ୍ର ପଣ୍ଡାଙ୍କର ପ୍ରବେଶ ଥିଲା ଏକ ଘଟଣା କ୍ରମରେ । ୧୯୬୬ ମସିହା କଥା । ସାଙ୍ଗମାନଙ୍କ ସହ ସେ ପାଲା ଦେଖିବାକୁ ଯାଇଥିଲେ କୁଦିଆରି ଗ୍ରାମକୁ । ମୂରଲୀଧର ପ୍ରଧାନ ଓ ବଂଶୀଧର ଚଇନିଙ୍କ ମଧ୍ୟରେ ଚାଲିଥିଲା ବାଦିପାଲା । ମଂଚରେ କୌଣସି ପ୍ରସଙ୍ଗରେ ବଂଶୀଧର ଚଇନିଙ୍କ ମତକୁ ଜଣେ ସ୍ଥାନୀୟ ଲୋକ ତୀବ୍ର ବିରୋଧ କରିଥିଲେ । ଏହା ବଳଭଦ୍ରଙ୍କୁ ଅସହ୍ୟ ହେଲା, ସେ ସଂପୃକ୍ତ ବ୍ୟକ୍ତିଙ୍କ ସହ ଯୁକ୍ତି କରିଥିଲେ ।

ଯେଉଁ ବ୍ୟକ୍ତି ବଂଶୀଧର ଚଇନିଙ୍କ ପରି ବିଶିଷ୍ଟ ପାଲା ଗାୟକଙ୍କ ମତକୁ ଗ୍ରହଣ କରୁନାହିଁ ସେ କାହିଁକି ଏଇ ଯୁବକଙ୍କ କଥାକୁ କର୍ଣ୍ଣପାତ କରିବ । ଯାହା ହେଉ ପାଲା ଦେଖି ସମସ୍ତେ ଫେରିଲେ । କିନ୍ତୁ ଫେରିବା ବେଳେ ବଳଭଦ୍ରଙ୍କ ଗାଁର ଜଣେ ବାୟକ ଆଦିକନ୍ଧ ପରିଡା ତାଙ୍କୁ ଅନୁରୋଧ କଲେ ପାଲା ଗାୟନ ଆରମ୍ଭ କରିବାକୁ । ଥରେ କି ଦୁଇଥର ନୁହଁ ପୂରା ରାସ୍ତା ସାରା ଗୋଟିଏ କଥା, ଭାଇନା ତୁମେ ପାଲା ଦଳଟିଏ ଗଠନ କରି ଗାଇବା ଆରମ୍ଭ କର । ଏପଟେ ବଳଭଦ୍ର ନାହିଁ ନାହିଁ କରୁଥାନ୍ତି । ରାସ୍ତାରେ ପଡିଲା ଦୟା ନଦୀ, ଏଇ ନଦୀ ଭିତରେ ଆଣ୍ଠୁଏ ପାଣିରେ ବଳଭଦ୍ରଙ୍କୁ ପାଲା ଗାଇବା ପାଇଁ ଶପଥ ପାଠ କରାଇଲେଆଦିକନ୍ଧ । ତଥାପି ବଳଭଦ୍ର ମନା କରୁଥାନ୍ତି । ଶେଷରେ ବଳଭଦ୍ରଙ୍କ ଅତିପ୍ରିୟ ସାଙ୍ଗ ଉଲ୍ଲାସ ଚନ୍ଦ୍ର ପ୍ରଧାନ ଏଥିରେ ହସ୍ତକ୍ଷେପ କଲେ । ସେ କହିଲେ ମୁଁ କହୁଛି ଶପଥ କର । ଉଲ୍ଲାସଙ୍କ ସହ ବଳଭଦ୍ରଙ୍କର ଏପରି ସମ୍ପର୍କ ଥିଲା ଯେ ଜଣେ ଯାହା କହେ ଅନ୍ୟ ଜଣେ କେବଳ ପାଳନ କରେ, କୌଣସି ପ୍ରଶ୍ନ ପଚାରେ ନାହିଁ ।

ପରଦିନ ସକାଳେ ବଳଭଦ୍ର ଶୋଇଥାନ୍ତି, ଏଇ ସମୟରେ ଘରେ ପହଂଚିଲେ ଉଲ୍ଲାସ । ସାଙ୍ଗକୁ ସାଥିରେ ଧରି ଟ୍ରେନରେ କଟକଚାଲିଲେ । କଟକ ଷ୍ଟେସନରେ ଓହ୍ଲାଇ ବାହାରିଲେ ବଡ ବହି ଦୋକାନ ଅଭିମୁଖେ । ଶେଷରେ ଧର୍ମଗ୍ରନ୍ଥ ଷ୍ଟୋରରୁ ସେତେବେଳ ସମୟରେ ୭୫୧ ଟଙ୍କାର ବହି କିଣା ଗଲା । ଏହାପରେ ଯେତେବେଳେ ଚାମର କିଣିବାକୁ ଉଲ୍ଲାସ କହିଲେ, ସେତେବେଳେ ବଳଭଦ୍ର ବୁଝିଲେ ଯେ, ପାଲା ଗାୟନ ପାଇଁ ଏସବୁ କାମ ଚାଲିଛି । ବହି କିଣା ପରେ ୭୦ ଟଙ୍କାରେ ଚାମର, ୪୦ ଟଙ୍କାରେ ପୋଷାକ, ୧୦ ଟଙ୍କାରେ ଗିନି କିଣା ହେଲା । ଗାଁର ସାଥୀ ପିଲାମାନଙ୍କୁ ଧରି ଆରମ୍ଭ ହେଲା ପାଲା ଶିଖିବା ।

ପ୍ରାୟ ୩ରୁ ୪ ମାସ ଆଖଡା ହେବା ପରେ ଗୁରୁ ଖୋଜିବା ଆରମ୍ଭ ହେଲା । ସେତେବେଳେ ବେଶ୍ ନାଁ କରିଥାନ୍ତି ଗାୟକ ସମ୍ରାଟ୍ ଅଭୟ ଚରଣ ସ୍ୱାଇଁ । ତାଙ୍କୁ ଗୁରୁ କରିବାକୁ ଚାହିଁଥିଲେ ବଳଭଦ୍ର । ଶ୍ରୀପଂଚମୀ ପୂର୍ବରାତିରେ ସେ ପହଂଚିଲେ । ପରଦିନ ଭୋରରୁ ଚାମର ଦାନ କଲେ । ଏହିଠାରୁ ଆରମ୍ଭ ହେଲା ବଳଭଦ୍ର ପଣ୍ଡାଙ୍କର ପାଲା ଯାତ୍ରା ।

ପାଲାକୁ ଗତାନୁଗତିକ ଧାରାରୁ ବାହାର କରି ଭିନ୍ନ ଏକ ଦିଗରେ ଆଣିବା ପାଇଁ ସେ ପ୍ରଥମ ଦିନରୁ ପ୍ରୟାସ ଆରମ୍ଭ କରିଥିଲେ । ପରବର୍ତୀ ସମୟରେ ଯେତେବେଳେ ପାଲାରେ ମାଳିକାକୁ ଅମରେଶ୍ୱର ଦାସ, ସମାଲୋଚନାକୁ ଲକ୍ଷ୍ମୀଧର ରାଉତ, ବେଦ, ବେଦାନ୍ତ ଦର୍ଶନକୁ ଦତକୃଷ୍ଣ ପଣ୍ଡା, ପଂଚସଖା ସାହିତ୍ୟକୁ ଲକ୍ଷ୍ମୀଧର ଦାଶ ପ୍ରବେଶ କରାଇଥିଲେ ସେତେବେଳେ ବଳଭଦ୍ର ପଣ୍ଡା ଭାଗବତକୁ ପାଲାକୁ ଆଣିଥିଲେ । ଭାଗବତ ସହ ଗୀତା, ବେଦ, ଉପନିଷଦ, ଦର୍ଶନରେ ମଧ୍ୟ ବଳଭଦ୍ରଙ୍କର ଗଭୀର ପ୍ରବେଶ ।

ପାଲା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ମିଳିଛି ଅନେକ ପୁରସ୍କାର, ସମ୍ମାନ । ପାଲା ଆକାଶର ଏହି ଉଜ୍ଜ୍ୱଳ ନକ୍ଷତ୍ର ଆଜି ଘରେ ଘରେ ପରିଚିତ । ପାଲା ଜଗତକୁ ସେ ଅନେକ ଛାତ୍ରଛାତ୍ରୀ ମଧ୍ୟ ଭେଟି ଦେଇଛନ୍ତି । ପାଲାର ବିକାଶ ଓ ସଂରକ୍ଷଣ ପାଇଁ ମଧ୍ୟ କାର୍ଯ୍ୟରତ ବଳଭଦ୍ର ପଣ୍ଡା ।

Leave A Reply

Your email address will not be published.