Latest Odisha News

BREAKING NEWS

ପାଲା ଜଗତର ପ୍ରତିଭାଦୀପ୍ତ ଗାୟକ: ଚନ୍ଦ୍ରଶେଖର ପାଢୀ

ବର୍ତ୍ତମାନ ସମୟରେ ଯେଉଁ କେତେଜଣ ପ୍ରତିଷ୍ଠିତ ଯୁବ ଗାୟକ ପାଲା ଜଗତକୁ ଆଚ୍ଛନ୍ନ କରି ରଖିଛନ୍ତି ସେମାନଙ୍କ ମଧ୍ୟରେ ଅନ୍ୟତମ ଚନ୍ଦ୍ରଶେଖର ପାଢୀ । ଆକର୍ଷଣୀୟ ଚେହେରା ସାଙ୍ଗକୁ ଉଚ୍ଚକୋଟୀର ଗାୟନ ଏବଂ ସଂସ୍କୃତରେ ପାରଦର୍ଶିତା ତାଙ୍କୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରିଛି ।

୧୯୮୦ ମସିହା ଜୁଲାଇ ୧୧ ତାରିଖରେ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ସୁନାରୀ ଶାସନରେ ଜନ୍ମ ଗ୍ରହଣ କରିଥିଲେ ଚନ୍ଦ୍ରଶେଖର ପାଢୀ । ବାପା ବାୟକ ରତ୍ନ ଦାମୋଦର ପାଢୀ ଏବଂ ମାଆ ରେବତୀ ପାଢୀ । ଗାଁ ସ୍କୁଲରେ ଚନ୍ଦ୍ରଶେଖରଙ୍କ ପ୍ରାଥମିକ ଶିକ୍ଷା ସମାପ୍ତ ହୋଇଥିଲା । ଏହାପରେ ସେ ଗ୍ରାମ ନିକଟସ୍ଥ ଆରୁହାବାଡରେ ମାଧ୍ୟମିକ ଶିକ୍ଷା ଗ୍ରହଣ କଲେ । ସାବିରା ହାଇସ୍କୁଲରେ ପଢିବା ସମୟରେ ନିଜେ ଜଣେ ପାଲା ଗାୟକ ହେବାକୁ ମନସ୍ଥ କରିଥିଲେ ଚନ୍ଦ୍ରଶେଖର ।

ଦାମୋଦର ପାଢୀ ଜଣେ ବିଶିଷ୍ଟ ବାୟକ ଥିଲେ । ଚନ୍ଦ୍ରଶେଖରଙ୍କ ସଂସ୍କୃତ ଶିକ୍ଷକ ପଣ୍ଡିତ ନିତ୍ୟାନନ୍ଦ ବାରିକ ପାଲା ଆଖଡା କରୁଥିଲେ ଦାମୋଦରଙ୍କ ଘରେ । ତେଣୁ ପିଲା ଦିନରୁ ନିଜ ଘରେ ପାଲାର ମାହୋଲ ଦେଖିଥିଲେ ଚନ୍ଦ୍ରଶେଖର । ପିଲା ଦିନରୁ ଚନ୍ଦ୍ରଶେଖର ସଂସ୍କୃତ ଶିକ୍ଷା ଗ୍ରହଣ କରିଥିଲେ, ହାଇସ୍କୁଲ ଶିକ୍ଷା ଶେଷ ହେବା ବେଳକୁ ସେ ଅନେକ ଶ୍ଲୋକ ମୁଖସ୍ତ କରିସାରିଥିଲେ । ୧୯୯୫ ମସିହାରେ ହାଇସ୍କୁଲ ପରୀକ୍ଷା ପରେ ଚନ୍ଦ୍ରଶେଖର ପାଲା ଶିଖିବାକୁ ସ୍ଥିର କଲେ ।

ନିଜ ଘର ପାଖର ସମ୍ପର୍କୀୟ ଗାୟକ ଚିନ୍ତାମଣି ଦାଶଙ୍କୁ ଗୁରୁ କରିବାକୁ ସ୍ଥିର ହେଲା । ଏକ ଶୁଭ ଦିନରେ ଚିନ୍ତାମଣି ଦାଶଙ୍କଠାରୁ ଚନ୍ଦ୍ରଶେଖର ଚାମର ଗ୍ରହଣ କରି ପାଲା ଆଖଡା ଆରମ୍ଭ କଲେ । ଏହାମଧ୍ୟରେ ସୋର କଲେଜରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ପଢା ଶେଷ ହେଲା । ହେଲେ ଚାକିରି ପଛରେ ନଦୌଡି ପାଲାକୁ ନିଜର ପେଷା ଆଉ ନିଶା କରିବାକୁ ସ୍ଥିର କଲେ ଚନ୍ଦ୍ରଶେଖର ।

ଚନ୍ଦ୍ରଶେଖର ପ୍ରଥମେ ନିଜ ଗ୍ରାମରେ ପାଲା ପରିବେଷଣ କରିଥିଲେ, ତେବେ ପ୍ରଥମ ବାଦୀପାଲା ଗାଇଥିଲେ କେନ୍ଦୁଝର ଫୁଲପାହାଡୀଠାରେ । ସେଠାରେ ସେ କଳାକର ନାୟକଙ୍କ ସହ ପ୍ରଥମ ବାଦୀପାଲାରେ ସମ୍ମୁଖୀନ ହୋଇଥିଲେ । ଏହାପରଠାରୁ ଆଉ ସେ ପଛକୁ ଫେରିନାହାଁନ୍ତି ।

ବାଲେଶ୍ୱର ଜିଲ୍ଲାର ବିଶିଷ୍ଟ ଗାୟକ ଗୋବିନ୍ଦ ପାଢୀଙ୍କ ପାଲା ଚନ୍ଦ୍ରଶେଖରଙ୍କୁ ବେଶ୍ ଆକୃଷ୍ଟ କରିଥିଲା । ବିଶେଷ କରି ତାଙ୍କର ରସପୂର୍ଣ୍ଣ ପଞ୍ଚମ ବରାଡି ଗାୟନ ଅନୁପ୍ରାଣିତ କରିଥିଲା ଚନ୍ଦ୍ରଶେଖରଙ୍କୁ । ପରବର୍ତ୍ତୀ ସମୟରେ ସେ ଗାୟକ ତପନ ଲକ୍ଷ୍ମଣ ଚରଣ ରାଉତଙ୍କୁ ଗୁରୁଭାବେ ଗ୍ରହଣ କରିଥିଲେ ।

ବର୍ତ୍ତମାନ ସମୟରେ ରାଜ୍ୟରେ ଯେଉଁକେତେ ଜଣ ଯୁବ ଗାୟକ ବର୍ଷକୁ ୨୦୦ ରାତିରୁ ଅଧିକ ପାଲା ପରିବେଷଣ କରୁଛନ୍ତି ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଚନ୍ଦ୍ରଶେଖର ପାଢୀ । ବିଶେଷ କରି ସେ କୌଣସି ଗାୟକଙ୍କୁ ନକଲ ନକରି ନିଜର ସ୍ୱତନ୍ତ୍ର ଶୈଳୀରେ ପାଲା ପରିବେଷଣ କରୁଥିବାରୁ ଦର୍ଶକଙ୍କୁ ବାନ୍ଧିରଖିବାରେ ସଫଳ ହେଉଛନ୍ତି । ଉଚ୍ଚକୋଟୀର ପାଲା ପରିବେଷଣ କରି ସେ ଅନେକ ସାଂସ୍କୃତିକ ଓ ପାଲା ମଞ୍ଚରୁ ବହୁ ସମ୍ମାନ ଓ ପୁରସ୍କାର ଲାଭ କରିଛନ୍ତି ।

Leave A Reply

Your email address will not be published.