Latest Odisha News

BREAKING NEWS

ପ୍ରସିଦ୍ଧ ଗାୟକ ନକୁଳ ନାଥଶର୍ମା; ଯିଏ ସ୍ୱତନ୍ତ୍ର ଶୈଳୀରେ ପରିବେଷଣ କରନ୍ତି ପାଲା…

ଭୁବନେଶ୍ୱର: ସ୍ୱତନ୍ତ୍ର ଗାୟନ ଶୈଳୀ ପାଇଁ ପାଲା ଜଗତରେ ପରିଚିତ ଗାୟକ ପଦ୍ମ, ନକୁଳ ନାଥଶର୍ମା । ଅତି ସୁମଧୁର କଣ୍ଠ ସହ ଲାଲିତ୍ୟପୂର୍ଣ୍ଣ ଗାୟନ ତାଙ୍କୁ ସାରା ରାଜ୍ୟରେ ପ୍ରତିଷ୍ଠା ଦେଇଛି । ୧୯୫୧ ମସିହା ଜାନୁଆରୀ ୨୯ ତାରିଖରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଗୁହାଳି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ନକୁଳ ନାଥଶର୍ମା । ବାପା ଶିବନାଥ ଶର୍ମା ଏବଂ ମାଆ ଅନ୍ନପୂର୍ଣ୍ଣା ଦେବୀଙ୍କର ୪ ପୁଅ ଏବଂ ଗୋଟିଏ ଝିଅ ମଧ୍ୟରେ ସବୁଠୁ ସାନ ହେଉଛନ୍ତି ନକୁଳ ।

ପିଲା ଦିନରୁ କଳା, ସାହିତ୍ୟ ଓ ସଂସ୍କୃତି ପ୍ରତି ନକୁଳଙ୍କର ରହିଥିଲା ପ୍ରଚଣ୍ଡ ଆଗ୍ରହ । ତେବେ କଲେଜରେ ପଢିବା ସମୟରେ ସେ ପାଲା ଗାୟନ ପ୍ରତି ମନ ବଳାଇଥିଲେ । ୧୯୭୫ ମସିହାରେ ପ୍ରି-ୟୁନିଭର୍ସିଟି ପଢୁଥିବା ବେଳେ ନକୁଳ ପାଲା ଶିଖିବା ଆରମ୍ଭ କଲେ । ସେ ସମୟର ପ୍ରତିଷ୍ଠିତ ଗାୟକ କପିଳନାଥଙ୍କ ବାୟକ ଗଗନ ବିହାରୀ ନାଥଶର୍ମା ପ୍ରଥମେ ନକୁଳ ନାଥଙ୍କୁ ପାଲା ଶିଖାଇଥିଲେ, ପରେ ଚାମର ଦାନ କରିଥିଲେ ଭଦ୍ରକ ଜଗନ୍ନାଥ ପ୍ରସାଦର ଗାୟକ ଶଙ୍କର୍ଷଣ ମିଶ୍ର । ତେବେ ନକୁଳ ନାଥଶର୍ମାଙ୍କୁ ପ୍ରଭାବିତ କରିଥିଲା କପିଳ ନାଥଶର୍ମାଙ୍କ ପାଲା, ଯିଏ ସମ୍ପର୍କରେ ନକୁଳ ନାଥଙ୍କର ମାମୁଁ ଶ୍ୱଶୁର ହୋଇଥିଲେ । କ୍ଷେତ୍ରବାସୀ ମିଶ୍ରଙ୍କୁ ମଧ୍ୟ ଅନୁକରଣ କରିଥିଲେ ନକୁଳ ନାଥଶର୍ମା ।

ଗୋଟିଏ ପଟେ ପାଲା ଅନ୍ୟପଟେ ପାଠପଢା ଆଗେଇ ଚାଲିଥିଲା ନକୁଳ ନାଥଶର୍ମାଙ୍କର । ପ୍ରି-ୟୁନିଭର୍ସିଟି ପଢା ଶେଷ ପରେ ୧୯୮୫ ମସିହାରେ ସେ ଗୁହାଳି ପଞ୍ଚାୟତ ହାଇସ୍କୁଲ, ପଦାସାହିରେ ସେ ସଂସ୍କୃତ ଶିକ୍ଷକ ଭାବେ ଯୋଗଦେଇଥିଲେ । ଶିକ୍ଷକତା ସହିତ ସେ ଉକ୍ରଳ ବିଶ୍ୱ ବିଦ୍ୟାଳୟରେ ସଂସ୍କୃତରେ ଏମଏ ମଧ୍ୟ କଲେ । ପାଲା ଜଗତକୁ ଯେଉଁ କେତେଜଣ ଉଚ୍ଚ ଶିକ୍ଷିତ ଗାୟକ ଆସିଛନ୍ତି ସେମାନଙ୍କ ମଧ୍ୟରେ ଅନ୍ୟତମ ନକୁଳ ନାଥଶର୍ମା ।

ନକୁଳ ନାଥଶର୍ମାଙ୍କ ପାଲା ଗାୟନର ଅନ୍ୟତମ ବିଶେଷତ୍ୱ ହେଉଛି ସେ ହେଉଛନ୍ତି ବର୍ତ୍ତମାନ ସମୟରେ ଜଣେ ବିଳମ୍ବିତ ଲୟର ଗାୟକ । ତାଙ୍କ କହିବା ଅନୁସାରେ, ଗାୟନ ଦୃଷ୍ଟିରୁ ପାଲା ଗାୟକ ମାନଙ୍କୁ ମୁଖ୍ୟତଃ ତିନୋଟି ବର୍ଗରେ ବିଭକ୍ତ କରାଯାଇପାରିବ, ଯଥା- ଦୃତ, ମଧ୍ୟ ଓ ବିଳମ୍ବିତ ଲୟ । ଏଥିସହ ଦୃତ-ମଧ୍ୟ ଏବଂ ମଧ୍ୟ-ବିଳମ୍ବିତ ଆଉ ଦୁଇଟି ଲୟର ଗାୟକ ମଧ୍ୟ ରହିଛନ୍ତି । ଦୃତ ଲୟର ଗାୟକ ମାନଙ୍କ ମଧ୍ୟରେ ଜଗନ୍ନାଥ ବେହେରା, ପ୍ରହଲ୍ଲାଦ ସାହୁ ଏବଂ ବିଚିତ୍ର ନାଥଶର୍ମା ଯିବେ । ସେହିପରି ମଧ୍ୟ ଲୟର ଗାୟକ ହେଉଛନ୍ତି, କ୍ଷେତ୍ରବାସୀ ମିଶ୍ର, ପରମାନନ୍ଦ ଶରଣ, କପିଳ ନାଥଶର୍ମା, ପର୍ଶୁରାମ ପଣ୍ଡା ଇତ୍ୟାଦି । ତେବେ ଦୃତ-ମଧ୍ୟ ଲୟର ଗାୟକମାନେ ହେଉଛନ୍ତି, ଲକ୍ଷ୍ମୀଧର ରାଉତ, ବଳଭଦ୍ର ପଣ୍ଡା, ବୈରାଗୀ ବେହେରା, ଲକ୍ଷ୍ମୀଧର ଦାଶ ପ୍ରମୁଖ । ସେହିପରି ମଧ୍ୟ-ବିଳମ୍ବିତ ଲୟର ଗାୟକ ହେଉଛନ୍ତି, ଦତ୍ତକୃଷ୍ଣ ପଣ୍ଡା, ଉପେନ୍ଦ୍ର ବେଉରା ଇତ୍ୟାଦି । ତେବେ ବିଳମ୍ବିତ ଲୟର ଗାୟକ ହେଉଛନ୍ତି ନକୁଳ ନାଥଶର୍ମା, ଭୀମ ନାଥ, ଦୁର୍ଯ୍ୟୋଧନ ପଣ୍ଡା ପ୍ରମୁଖ ।
ସାଧାରଣତଃ ବିଳମ୍ବିତ ଲୟର ଗାୟନ ଅତି ଶ୍ରୁତିମଧୁର ହୋଇଥାଏ । ବିଷୟ ବସ୍ତୁ ଯଦିଓ ଅତି ଧୀର ଗତିରେ ଆଗେଇଥାଏ, ହେଲେ ବିଭିନ୍ନ ବର୍ଗର ଦର୍ଶକ ବୁଝିବାରେ ସହଜ ହୋଇଥାଏ । ଏହି ଶ୍ରେଣୀର ଗାୟନ କାଳଜୟୀ ହୋଇଥାଏ, ଦର୍ଶକଙ୍କ ହୃଦୟକୁ ଛୁଇଁଯାଏ, ଯାହା ନକୁଳ ନାଥଶର୍ମାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ ।

ଦୀର୍ଘ ୩୨ ବର୍ଷ ଶିକ୍ଷକତା କରିବା ପରେ ୨୦୧୫ ମସିହାରେ ନକୁଳ ନାଥଶର୍ମା ଚାକିରି ଜୀବନରୁ ଅବସର ନେଇଛନ୍ତି । ଏବେ ବି ସେ ରାଜ୍ୟର ପୁରପଲ୍ଲୀରେ ବର୍ଷକୁ ୧୫୦ରୁ ୨୦୦ ରାତି ପାଲା ଗାୟନ କରୁଛନ୍ତି । ତାଙ୍କର ଦୁଇ ପୁଅ ଏବଂ ଦୁଇ ଝିଅ । ଦୁଇ ଝିଅଙ୍କୁ ବିବାହ ଦେଇସାରିଥିବା ବେଳେ ଦୁଇ ପୁଅ ସେମାନଙ୍କ କ୍ଷେତ୍ରରେ ପ୍ରତିଷ୍ଠିତ । ପାଲା ପାଇଁ ନିଜ ଜୀବନଙ୍କୁ ନକୁଳ ନାଥଶର୍ମା ଉତ୍ସର୍ଗ କରିଦେଇଥିବା ବେଳେ ପତ୍ନୀ ସଞ୍ଜୁକ୍ତା ନାଥଶର୍ମା ପ୍ରଥମରୁ ଆଜି ପର୍ଯ୍ୟନ୍ତ ପରିବାରର ଦାୟିତ୍ୱ ତୁଲାଇଛନ୍ତି । ପାଲା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନକୁଳ ନାଥଶର୍ମାଙ୍କୁ ରାଜ୍ୟର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅନେକ ପୁରସ୍କାର, ମାନପତ୍ର ଏବଂ ଉପାଧି ମିଳିଛି ।

Leave A Reply

Your email address will not be published.