Latest Odisha News

BREAKING NEWS

ପ୍ରସିଦ୍ଧ ପାଲା ଗାୟକ ଉଗ୍ରସେନ ପାଢୀ; ରାଗ-ରାଗିଣୀ, ଛାନ୍ଦ-ଚୌପଦୀରେ ଯିଏ ସିଦ୍ଧହସ୍ତ !

ଭୁବନେଶ୍ୱର: ପାଲା ଜଗତର ଜଣେ ପ୍ରତିଷ୍ଠିତ ଗାୟକ ଉଗ୍ରସେନ ପାଢୀ । ପୁରାତନ ମୌଳିକତାକୁ ଅକ୍ଷୁର୍ଣ୍ଣ ରଖି ସମୟ ଉପଯୋଗୀ ପାଲା ପରିବେଷଣ କରିବାରେ ସେ ବେଶ୍ ସିଦ୍ଧହସ୍ତ ।

୧୯୫୫ ମସିହା ଆଶ୍ୱିନ ମାସ ଅଷ୍ଟମୀ ତିଥିରେ କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ପୁଇଚନ୍ଦା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଉଗ୍ରସେନ ପାଢୀ । ବାପା ଜଗଦୀଶ ପାଢୀ ଏବଂ ମାଆ ବିକିମଣୀଙ୍କର ତିନି ପୁଅ ଏବଂ ଗୋଟିଏ ଝିଅ ମଧ୍ୟରେ ସେ ତୃତୀୟ ତଥା ସାନ ପୁଅ । ଉଗ୍ରସେନଙ୍କ ଘରେ ପାଲାର ପରମ୍ପରା ରହିଆସିଥିଲା । ଜେଜେବାପା କାଳନ୍ଦୀ ପାଢୀ ଥିଲେ ଜଣେ ପ୍ରଖ୍ୟାତ ପାଲା ଗାୟକ, ବାପା ଜଗଦୀଶ ପାଢୀ ମଧ୍ୟ ବିଶିଷ୍ଟ ପାଲା ଗାୟକ ଥିଲେ । ଏହାସହ ବଡବାପାଙ୍କ ପୁଅ କୈଳାସ ଚନ୍ଦ୍ର ପାଢୀ ଏବଂ ନିଜ ବଡଭାଇ ନିରଞ୍ଜନ ପାଢୀ ମଧ୍ୟ ଗାୟକ ଥିଲେ । ଗୋଟିଏ ପଟେ ଘରେ ଥିଲା ପାଲାର ମାହୋଲ ଅନ୍ୟପଟେ ମାଆ ମଧ୍ୟ ଥିଲେ ଜଣେ ଉଚ୍ଚକୋଟୀର କଳାକାର । ମାଆ ହାରମୋନିୟମ ବଜାଇବା ସହ ସୁନ୍ଦର ଭାବରେ ଭଜନ, ଜଣାଣ, ଓଡିଶୀ ଏବଂ ଚମ୍ପୂ ଆଦି ପରିବେଷଣ କରୁଥିଲେ, ଯାହାର ପ୍ରଭାବ ପିଲାଟି ଦିନରୁ ପଡିଥିଲା ଉଗ୍ରସେନଙ୍କ ଉପରେ ।

ନିଜର ଆଗ୍ରହ ଏବଂ ମାଆଙ୍କ ପ୍ରେରଣା ପାଇ ଉଗ୍ରସେନ ପାଲା ଗାୟକ ହେବା ପାଇଁ ପ୍ରୟାସ କରିଥିଲେ । ମାଟ୍ରିକ ପରେ ସେ ଆଉ ଅଧିକ ପଢା ପ୍ରତି ଧ୍ୟାନ ନଦେଇ ପାଲା ଶିଖିବାକୁ ଲାଗିଲେ । ମାତ୍ର ୧୯ ବର୍ଷ ବୟସ ବେଳେ ସେ ବାପାଙ୍କଠାରୁ ଚାମର ଗ୍ରହଣ କରି ପ୍ରଥମେ ଖଜରା ସ୍ଥିତ ଗତନାଥ ମହାଦେବଙ୍କ ପୀଠରେ ପାଲା ପରିବେଷଣ କଲେ । ପରବର୍ତ୍ତୀ ସମୟରେ ପିପିଲି ମାଝିପୁରର ରାଜକିଶୋର ସାହୁଙ୍କୁ ଗୁରୁ କରି ଅଧିକ ଶିକ୍ଷା ଗ୍ରହଣ କଲେ । ପରେ ଭାଗବତ ଭୂଷଣ ଗାୟକ ଚିନ୍ମୟ ବଳଭଦ୍ର ପଣ୍ଡାଙ୍କୁ ମଧ୍ୟ ଗୁରୁ କରିଥିଲେ ।

କୋଣାର୍କ ରାଣୀପଡାଠାରେ ଉଗ୍ରସେନ ପାଢୀ ପ୍ରଥମ ବାଦୀପାଲା ପରିବେଷଣ କରିଥିଲେ ଲକ୍ଷ୍ମୀଧର ଦାଶଙ୍କ ସହିତ । ପରବର୍ତ୍ତୀ ସମୟରେ ରାଜ୍ୟର ପ୍ରାୟ ଅଧିକାଂଶ ବରିଷ୍ଠ ପାଲା ଗାୟକଙ୍କ ସହ ସେ ବାଦୀପାଲାରେର୍ତ୍ତୀର୍ଣ୍ଣ ହୋଇଥିଲେ । ବର୍ତ୍ତମାନ ବରିଷ୍ଠ ପାଲା ଗାୟକ ନାରାୟଣ ମହାରଣା, ବନମାଳୀ ପତି, ମଦନ ମୋହନ ଜେନା, ଅଭିମନ୍ୟୁ ନାୟକ ପ୍ରମୁଖ ଗାୟକଙ୍କ ସହ ପାଲା ପରିବେଷଣ କରି ଦର୍ଶକଙ୍କ ମନଜିଣିବାରେ ସକ୍ଷମ ହେଉଛନ୍ତି ।

ପୁରାତନ ଶୈଳୀରେ ବିଭିନ୍ନ ରାଗ, ରାଗିଣୀରେ ଛାନ୍ଦ, ଚୌପଦୀ ଆଦି ଗାଇବାରେ ସେ ବେଶ୍ ଧୁରୀଣ । ପାଲା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ ଏବଂ ସମ୍ବର୍ଦ୍ଧିତ ହେବା ସହ ଅନେକ ଉପାଧି ମଧ୍ୟ ପାଇଛନ୍ତି । ଉଗ୍ରସେନ ପାଢୀଙ୍କ ଏକମାତ୍ର ପୁଅ ଉମେଶ ଚନ୍ଦ୍ର ପାଢୀ ମଧ୍ୟ ଏମକମ୍ ପଢା ଶେଷ ପରେ ଅଡିଟର ଚାକିରି କରିବା ସହିତ ତିନି ବର୍ଷ ହେଲା ପାଲା ଗାୟନ ଆରମ୍ଭ କରିଛନ୍ତି । କହିବାକୁ ଗଲେ ପାଢୀ ପରିବାର ପୂରା ପାଲା ପାଇଁ ସମର୍ପିତ ।

Leave A Reply

Your email address will not be published.