Latest Odisha News

BREAKING NEWS

‘ଚାଷୀ ଋଣ ଛାଡ଼’ ସମ୍ପର୍କୀତ ବଲ୍ ଏବେ ନବୀନଙ୍କ କୋର୍ଟରେ !

ଭୁବନେଶ୍ୱର: ଚାଷୀ ଋଣ ଛାଡ଼ ପ୍ରସଙ୍ଗ ଏବେ ଓଡ଼ିଶା ରାଜ୍ୟ ସରକାରଙ୍କ ପ୍ରତି ଏକ ପ୍ରକାର ଚାପ ସୃଷ୍ଟି କରିଛି କହିଲେ ଚଳେ । ତେବେ ଏହି କୃଷି ଋଣ ଛାଡ଼ ପ୍ରସଙ୍ଗ ସହିତ ଧାନ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ସମ୍ପର୍କରେ ଆସନ୍ତା ନୂଆବର୍ଷ ଅବସରରେ ଶାସନାଧୀନ ସରକାର କୌଣସି ଘୋଷଣା କରିବା ନେଇ ସମ୍ଭାବନା ରହିଥିବା କଥା ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ନବଗଠିତ ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ସରକାର ଶାସନଭାର ନେବାର କିଛି ଘଣ୍ଟା ମଧ୍ୟରେ ଚାଷୀ ଋଣ ଛାଡ଼ ଘୋଷଣା ସମସ୍ତ ରାଜ୍ୟରେ ଏକପ୍ରକାର ଚାପ ସୃଷ୍ଟି କରିଛି । ଓଡ଼ିଶା ରାଜ୍ୟ ସରକାରଙ୍କ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଗଣମାଧ୍ୟମ ଆଗରେ ଏସମ୍ପର୍କରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ‘ଅପେକ୍ଷା କରନ୍ତୁ, ଦେଖନ୍ତୁ କ’ଣ ହେଉଛି’ କହିବା ପରେ ରାଜ୍ୟ ସରକାର ଏନେଇ କୌଣସି ପ୍ରକାରର ଘୋଷଣା କରିପାରନ୍ତି ବୋଲି ଏକ ସମ୍ଭାବନା ସୃଷ୍ଟି ହେବା ସ୍ୱାଭାବିକ ।

ତେବେ କଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ ଡ଼ି କୁମାର ସ୍ୱାମୀ ଏସମ୍ପର୍କୀୟ ଘୋଷଣା ଏପର୍ଯ୍ୟନ୍ତ ନକରିବା ଚାଷୀ ଋଣ ଛାଡ଼ ଘୋଷଣା ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହେବା ସ୍ୱାଭାବିକ । ନିର୍ବାଚନ ଫଳାଫଳ ଘୋଷିତ ହେବା ପରେ କଂଗ୍ରେସ ସହିତ ମିଶି କୁମାର ସ୍ୱାମୀଙ୍କ ନେତୃତ୍ୱରେ ଆଞ୍ଚଳିକ ଦଳ କର୍ଣ୍ଣାଟକରେ ଶାସନଭାର ଗ୍ରହଣ କରିଥିଲେ । ତେବେ ନିର୍ବାଚନ ପୂର୍ବରୁ ପ୍ରଚାର ସମୟରେ କୁମାର ସ୍ୱାମୀ କ୍ଷମତାକୁ ଆସିଲେ କର୍ଣ୍ଣାଟକରେ ସମସ୍ତ କୃଷି ଋଣ ଛାଡ଼ କରାଯିବ ବୋଲି ଭୋଟର୍ ମାନଙ୍କୁ ପ୍ରତିଶୃତି ଦେଇଥିଲେ । ତେବେ ସମସ୍ତ ପ୍ରଚେଷ୍ଟା ସତ୍ୱେ ରାଜ୍ୟ ସରକାରଙ୍କ ଦ୍ୱାରା ଏହି ଋଣ ଛାଡ଼ ସମ୍ଭବ ନହେବା ଯୋଗୁଁ କୁମାରସ୍ୱାମୀ ସରକାର କେନ୍ଦ୍ର ସରକାରଙ୍କ ସାହାଯ୍ୟ ଓ ସହଯୋଗ ଅପେକ୍ଷାରେ ରହିଛନ୍ତି ।

ବିଗତ ଅନେକ ବର୍ଷ ଧରି ରାଜ୍ୟର କୃଷକମାନେ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଲାଗି ଦାବି କରି ଆସୁଥିଲେ ମଧ୍ୟ ନବୀନ ପଟ୍ଟନାୟକ ସରକାର ଚାଷୀଙ୍କ ଦାବି ପୂରଣ କରିବାରେ ପଛଘୁଞ୍ଚା ଦେଇଚାଲିଛନ୍ତି ।

ଚଳିତ ବର୍ଷ ଜୁନ ମାସରେ ମୁଖ୍ୟମନ୍ତ୍ରୀ ଚାଷୀ ଋଣ ଛାଡ଼କୁ ନେଇ ଏକ ଜାତୀୟ ପଲିସିରେ ଅନ୍ତଭୃକ୍ତ କରିବା ନେଇ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିଲେ, ଅବଶ୍ୟ ସେହି ସମୟରେ କେତେକ ରାଜ୍ୟର ବିଧାନ ସଭା ନିର୍ବାଚନ ପୂର୍ବରୁ ଏହା ବିଶେଷ ଭାବେ ଚର୍ଚ୍ଚାର ପରିିସରକୁ ଆସିଥିଲା । ଏବେ ମଧ୍ୟ ଏହି ଚାଷୀ ଋଣର ପ୍ରାସଙ୍ଗିକତା ବୃଦ୍ଧି ପାଇବା ସହିତ ଏହା ସପକ୍ଷରେ ବେଶ୍ ସମର୍ଥନ ହାସଲ ମଧ୍ୟ ହୋଇପାରିଛି ।

ଏହି ପରାମର୍ଶ ବିଭିନ୍ନ ରାଜ୍ୟ ନିର୍ବାଚନକୁ ପ୍ରଭାବିତ କରିବା ସହିତ ଅଧିକାଂଶ ରାଜନୈତିକ ଦଳମାନେ ବିନା ପ୍ରତିଶୃତିରେ ନିର୍ବାଚନର ଅବ୍ୟବହିତ ପୂର୍ବରୁ ସମ୍ପୂର୍ଣ୍ଣ ଋଣଛାଡ଼ ନେଇ ଘୋଷଣା କରିବାକୁ ଲାଗିଲେ । ଏହି ଋଣଛାଡ଼ ହେଲେ ଏହାର ଭରଣା କରିବାକୁ କିପରି ଏବଂ କେଉଁଠୁ ଅର୍ଥ ଆସିବ ସେଥିପ୍ରତି ସତର୍କ ଦୃଷ୍ଟିପାତ ନକରିବା ଯୋଗୁଁ ଏହି ଘୋଷଣା ଗୁଡ଼ିକ ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ ହୋଇପାରି ନାହିଁ ।

ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନରେ ଫଳାଫଳ ଏହି ପ୍ରସଙ୍ଗକୁ ଭିତ୍ତି କରି ହୋଇଥିବା କଥାକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିହେବ ନାହିଁ, ଓଡ଼ିଶାରେ ବିଜୁ ଜନତା ଦଳ ଲଗାତର ୫ମ ଥର ଲାଗି ଶାସନଭାର ନେବାକୁ ହେଲେ ଆସନ୍ତା ୨୦୧୯ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଏହି ପ୍ରସଙ୍ଗକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ବର୍ତ୍ତମାନର ରାଜନୈତିକ ପ୍ରେକ୍ଷାପଟ୍ଟରେ ଏହି ପ୍ରସଙ୍ଗଠାରୁ ଦୁରେଇ ରହିବା ବିଜେଡ଼ି ଲାଗି ଏକ ପ୍ରକାର କଷ୍ଟସାଧ୍ୟ ବ୍ୟାପାର ଭଳି ସାବ୍ୟସ୍ତ ହେଉଛି, କାରଣ ଦଳର ମୁଖିଆ ଏହି ପ୍ରସଙ୍ଗ ସପକ୍ଷରେ ମନ୍ତବ୍ୟ ଦେଇ କହିଛନ୍ତି ବର୍ତ୍ତମାନର ପରିଣାମ ରାଷ୍ଟ୍ର ମନୋଭାବର ପ୍ରତିବିମ୍ବ ସ୍ୱରୂପ ପରିଲକ୍ଷିତ ହେଉଛି ।

ନବୀନ ପଟ୍ଟନାୟକ କଂଗ୍ରେସ, ଟିଆରଏସ ଏବଂ ଏମଏନଏଫ ଦଳକୁ ନିର୍ବାଚନରେ ବିଜୟ ହାସଲ ଲାଗି ଶୁଭେଚ୍ଛା ଜଣାଇବା ସହିତ କୃଷକମାନଙ୍କ ହିତସାଧନ କରିନଥିବା ହେତୁ ୫ଟି ରାଜ୍ୟରେ ବିଜେପିର ପରାଜୟ ଘଟିଲା ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ । ତେବେ ଚାଷୀମାନଙ୍କ ହିତ ସାଧନ ନିମନ୍ତେ ନବୀନ ପଟ୍ଟନାୟକଙ୍କ ଦଳ ସ୍ୱାମୀନାଥନ କମିଟି ଅନୁଯାୟୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ନେଇ କେନ୍ଦ୍ରକୁ ପରାମର୍ଶ ମଧ୍ୟ ଦେଇଛନ୍ତି ।

ତେବେ ୨୦୧୯ ନିର୍ବାଚନ ପରେ ଦଳ କ୍ଷମତାକୁ ଆସିଲେ ବିରୋଧୀ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି ସମସ୍ତ ଚାଷୀ ଋଣ ଛାଡ଼ କରିଦେବାର ଘୋଷଣା କରିବା ଫଳରେ ଶାସକ ବିଜୁ ଜନତା ଦଳର ଏବେ ମୁଣ୍ଡବ୍ୟଥା ବୃଦ୍ଧି ପାଇବାରେ ଲାଗିଛି ।

ଏପରିକି ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଘୋଷଣା କରି କହିଛନ୍ତି, ବିଜେପି କ୍ଷମତାକୁ ଆସିଲେ ଚାଷୀମାନଙ୍କୁ ବିନା ସୁଧରେ ଋଣ ପ୍ରଦାନ କରାଯିବ । ତେବେ କେବଳ ଆଗାମୀ ନିର୍ବାଚନକୁ ଲକ୍ଷ୍ୟ କରି ଏହି ସବୁ ଘୋଷଣା ଜାରି ରହିଥିବା ଏବେ ସ୍ପଷ୍ଟ ହୋଇଯାଇଛି ।

ମିଳିଥିବା ସୂଚନାନୁଯାୟୀ, ରାଜ୍ୟ ସରକାର ବର୍ତ୍ତମାନ ଏହାକୁ ନେଇ କୌଣସି ନିଷ୍ପତ୍ତି ନେବାକୁ ରାଜକୋଷର ବିତ୍ତୀୟ ହିସାବ କିତାବ ସଂକ୍ରାନ୍ତୀୟ ପ୍ରକ୍ରିୟା ଆରମ୍ଭ କରିଦେଲେଣି । ରାଜ୍ୟ ସରକାର କୃଷି ଋଣ ଛାଡ଼କୁ ନେଇ ଦୋ ଦୋ ପାଞ୍ଚ ହେଉଥିଲେ ମଧ୍ୟ ବିରୋଧୀ ଦଳଗୁଡ଼ିକର ଏନେଇ ଘୋଷଣାନାମାକୁ ମୂଲ୍ୟାଙ୍କନ କରୁଛନ୍ତି । ଜଣେ ବରିଷ୍ଠ ବିଜେଡ଼ି ନେତାଙ୍କ ସୂଚନାନୁଯାୟୀ, ସଂସଦ ସାମ୍ନାରେ ଜାନୁଆରୀ ୮ ତାରିଖ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ପରେ ଏନେଇ କୌଣସି ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇପାରେ ବୋଲି କହିଛନ୍ତି ।

Leave A Reply

Your email address will not be published.