Latest Odisha News

ଗୁପ୍ତ ନୀତି ଲାଗି ୪ଘଣ୍ଟା ଯାଏଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରରେ ଗୁରୁବାର ହେବାକୁ ଥିବା ମହାପ୍ରଭୁଙ୍କ ଗୁପ୍ତନୀତି ପାଇଁ ପାଖାପାଖି ୪ ଘଣ୍ଟା ଧରି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ଏହି ସମୟ ମଧ୍ୟରେ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ନାହିଁ ।

ମିଳିଥିବା ସୂଚନା ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି ପାଇଁ ଅପରାହ୍ନ ସାଢ଼େ ୪ଟାରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ଏହି ସମୟ ମଧ୍ୟରେ ଭକ୍ତମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ଅନୁମତି ମିଳିବ ନାହିଁ ଏବଂ ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରରେ ଜୟବିଜୟ ଦ୍ୱାର ମଧ୍ୟ ବନ୍ଦ ରହିବ।

“ପ୍ରତି ସପ୍ତାହର ବୁଧବାର କିମ୍ବା ଗୁରୁବାର ଦିନ ଏହି ବନକ ଲାଗି ନୀତି ଅନୁଷ୍ଠିତ ହୋଇଥାଏ ଏବଂ ଆଜି ସେହି ନୀତି ପାଳନ କରାଯିବାକୁ ଅଛି । ଶ୍ରୀମନ୍ଦିରରର ଅନେକ ନୀତିକାନ୍ତି ମଧ୍ୟରୁ ବନକଲାଗି ଗୋଟିଏ ନୀତି । ଏହି ଗୁପ୍ତ ନୀତି ସମୟରେ ଶ୍ରୀମନ୍ଦିରରେ ଜୟବିଜୟ ଦ୍ୱାର ମଧ୍ୟ ବନ୍ଦ ରହିଥାଏ” ବୋଲି କହିଛନ୍ତି ଜଗନ୍ନାଥ ସଂସ୍କୃତିର ଗବେଶକ ନରେଶ ଦାସ ।।

ଆହୁରି ମଧ୍ୟ ଦତ୍ତ ମହାପାତ୍ର ସେବକମାନେ ଏହି ନୀତି ସମ୍ପନ୍ନ କରିଥାନ୍ତି । ହିଙ୍ଗୁଳ, ହରିତାଳ, କେଶର, କଇଁଥ ଅଠା, କସ୍ତୁରୀ ଏବଂ ତେଲର ମିଶ୍ରଣରେ ଏହି ‘ବନକ’ ପ୍ରସ୍ତୁତ କରାଯାଇଥାଏ । ପରବର୍ତ୍ତୀ ସମୟରେ ଏହି ବନକକୁ ଶ୍ରୀଜିଉଙ୍କ ଶ୍ରୀଙ୍ଗାରରେ ବ୍ୟବହାର କରାଯାଇଥାଏ ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.