ବ୍ରହ୍ମପୁର:ଲଗାଣ ବର୍ଷାରେ ଫସଲ କ୍ଷତି ହେବା ପରେ କୀଟନାଶକ ପିଇ ଦେଇଥିବା ଗଞ୍ଜାମ ଜିଲାର ଜଣେ ଚାଷୀଙ୍କ ଶନିବାର ମୃତ୍ୟୁ ହୋଇଯାଇଛି । ମୃତକ ଜଣକ ହେଲେ ପୋଲସରା ବ୍ଲକ ପାତାଳସିଙ୍ଗି ଗ୍ରାମର ଚାଷୀ ରମେଶ ରାହା(୫୬)। ଗତ ରମେଶଙ୍କ ଫସଲ ନଷ୍ଟ ହୋଇଯାଇଥିଲା ।
ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରୁ ସୁନା ବନ୍ଧକ ରଖି ୨ ଲକ୍ଷ ଟଙ୍କା ଋଣରେ ଆଣିଥିଲେ । କିନ୍ତୁ ଫସଲ ନଷ୍ଟ ହୋଇଯାଇଥିବା ଯୋଗୁ ଧାର ଟଙ୍କା ସୁଝି ପାରିନଥିଲେ । ଚଳିତ ବର୍ଷ ମଧ୍ୟ ଧାନ ତଳି ପକାଇଥିଲେ । ଲଗାଣ ବର୍ଷାର ବଢ଼଼ି ପାଣିରେ ତଳିସବୁ ନଷ୍ଟ ହୋଇଯାଇଥିଲା। ଫଳରେ ରମେଶ ଚିନ୍ତାରେ ପଡ଼ି ଯାଇଥିଲେ ।
ଚଳିତ ବର୍ଷ ମଧ୍ୟ ସେ ପାଣ୍ଡିରିପଡ଼ା ସେବା ସମବାୟ ସମିତିରୁ କିଛି ଟଙ୍କା ଋଣ ଆଣିଥିଲେ । ଋଣ ସୁଝିବା ତାଙ୍କ ପାଇଁ ଚିନ୍ତାର ବିଷୟ ହୋଇଥିଲା । ଗତ ଗୁରୁବାର ରମେଶ ଚାଷ ଜମିରେ କୀଟନାଶକ ପିଇଦେଇଥିଲେ ।
ପରିବାର ଲୋକେ ତାଙ୍କୁ ପ୍ରଥମେ ପାଣ୍ଡିରିପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ହେଲେ ଅବସ୍ଥା ସଂକଟାପନ୍ନ ଥିବା ଯୋଗୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା ।
ଶନିବାର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଫସଲ ନଷ୍ଟ ହେବା ଯୋଗୁ ବାପା ଆତ୍ମହତ୍ୟା କରିଥିବା ପୁଅ ସଞ୍ଜୟ ରାହା ପ୍ରକାଶ କରିଛନ୍ତି।
ଅପର ପକ୍ଷରେ ରମେଶ ରାହା ଚାଷ ଉଜୁଡ଼ି ଯିବା ଯୋଗୁଁ ଆତ୍ମହତ୍ୟା କରି ଦେଇଥିବା କଥା ପ୍ରଚାରିତ ହେବା ପରେ ପୋଲସରା ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ପରିଡ଼ା ଓ ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଳିକ ଗାଁକୁ ଯାଇଥିଲେ ।
ରମେଶ ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା କରିଥିବା ଗ୍ରାମବାସୀ କହିଛନ୍ତି ବୋଲି ଥାନାଧିକାରୀ ମଳିକ ପ୍ରକାଶ କରିଛନ୍ତି।
Comments are closed.