Latest Odisha News

BREAKING NEWS

ଚାଷୀଙ୍କ ଆଖିରୁ ନିଦ ହଜାଇ ଦେଲାଣି ବାତ୍ୟା ଭୟ: ପାଣିରେ ପଡିବ ହାଡଭଙ୍ଗା ପରିଶ୍ରମ ଓ ଟଙ୍କା

ଯାଜପୁର: ଆସୁଥିବା ବାତ୍ୟାକୁ ନେଇ ଏବେ ଚିନ୍ତାରେ ଯାଜପୁର ଜିଲ୍ଲାର ରବି ଧାନ ଚାଷୀ । ଅମଳ ହୋଇ ଖଳାରେ ପଡିରହିଛି ହଜାର ହଜାର କ୍ୱିଣ୍ଟାଲ ଧାନ । ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯାଇ ନାହିଁ । ଫଳରେ ବାତ୍ୟା ହେଲେ ସବୁ ଧାନ ନଷ୍ଟ ହୋଇଯିବ । ତାହାସହ ଉଜୁଡି ଯିବ ଚାଷୀର ଭାତହାଣ୍ଡି । ପାଣିରେ ପଡିବ ଚାଷୀର ହାଡିଭଙ୍ଗା ପରିଶ୍ରମ ଓ ଟଙ୍କା । ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ ।

ପ୍ରଥମେ କାଳବୈଶାଖୀ ଆଉ ଏବେ ଚାଷୀଙ୍କ ନିଦ ହଜାଇ ଦେଇଛି ବାତ୍ୟା । ଚଳିତ ବର୍ଷ ଯାଜପୁର ଜିଲ୍ଲାର କୋରାଇ, ଯାଜପୁର, ଦଶରଥପୁର, ବଡଚଣା, ଓ ଧର୍ମଶାଳା ଆଦି ବ୍ଲକ ଅଂଚଳରେ ରବି ଧାନ ଚାଷ କରାଯାଇଥିଲା । ଯାହା ଏବେ ଅମଳ ସରିଛି । ହେଲେ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯାଇନାହିଁ । ଫଳରେ ଅମଳ ହୋଇଥିବା ହଜାର ହଜାର କ୍ୱିଣ୍ଟାଲ ଧାନ ଏବେ ଖଳାରେ ପଡିରହିଛି ।

କେଉଁଠି ବିଲ ମଝିରେ ତ ଆଉ କେଉଁଠି ଖଳାରେ ଗଦା ହୋଇ ପଡିରହିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ । ବାତ୍ୟା ଦାଉରୁ କିଭଳି ନିଜ ଧାନକୁ ସୁରକ୍ଷିତ ରଖିପାରିବ, ସେନେଇ ପ୍ରାଣମୁର୍ଚ୍ଛା ଉଦ୍ୟମ ଚଳାଇଛି ଚାଷୀ ।

ସେପଟେ ଚଳିତବର୍ଷ ପ୍ରଶାସନ ପକ୍ଷରୁ ୧୦,୨୦୦ କ୍ୱେଂଟାଲ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ଏଥିପାଇଁ ୩୨ଟି ପ୍ୟାକ୍ସ(ପ୍ରାଥମିକ କୃଷି ସେବା ସମବାୟ ସମିତି) ଜରିଆରେ ୫ ହଜାର ୫ ଜଣ ଚାଷୀ ପଞ୍ଜୀକୃତ ହୋଇଥିଲେ । ହେଲେ ୨୦ ତାରିଖ ବେଳକୁ ବାତ୍ୟା ସମ୍ଭାବନା ଥିବା ନେଇ ରାଜ୍ୟ ସରକାର ବା ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯିବା ପରେ ଚାଷିଙ୍କ ମଧ୍ୟରେ ଛନକା ପଶିଛି ।

ଜିଲ୍ଲାରେ ଗତ ୧୫ ତାରିଖ ଠାରୁ ରବି ଧାନ ସଂଗ୍ରହ କରିବାକୁ ପ୍ରଶାସନିକ ନିଷ୍ପତି ହୋଇଥିଲା । ହେଲେ ଅଧିକାଂଶ ପ୍ରାଥମିକ କୃଷି ସେବା ସମବାୟ ସମିତି (ପ୍ୟାକ୍ସ) ଗୁଡିକୁ ଟାର୍ଗେଟ, ମିଲର ଟ୍ୟାଗିଂ ଓ ପ୍ୟାକ୍ସ ଗୁଡିକରେ କରୋନା ମୁକାବିଲା ଆଦି ବ୍ୟବସ୍ଥା ହୋଇ ନଥିବାରୁ ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହୋଇନାହିଁ । ଏବେ ଧାନ ସଂଗ୍ରହ ନେଇ ଅନିଶ୍ଚିତତା ଦେଖା ଦେଇଛି । ସେପଟେ ଧାନ ବିକ୍ରି କରିବାକୁ କେତେକ ଚାଷୀଙ୍କୁ ମୋବାଇଲ ଯୋଗେ ମେସେଜ ମିଳି ସାରିଛି ।

ହେଲେ ପ୍ୟାକ୍ସ କତୃପକ୍ଷଙ୍କୁ ପଚାରିଲେ ଏ ଯାଏ ପ୍ରଶାସନିକ ନିର୍ଦ୍ଦେଶ ହୋଇନାହିଁ ବୋଲି ଚାଷୀଙ୍କୁ ଉତର ମିଳୁଥିବା ଚାଷୀମାନେ କହିଛନ୍ତି । ପ୍ୟାକ୍ସ ପକ୍ଷରୁ ଧାନ ସଂଗ୍ରହ ନହେଲେ ବାତ୍ୟାରେ ତାହା ଉଜୁଡି ଯିବ । ଯାହାକୁ ନେଇ ଏବେ ଚିନ୍ତାରେ ଧାନ ଚାଷୀ । ଋଣ ଓ ଧାର କରଜ କରି ଧାନ ଚାଷ କରିଥିବା ଚଷା ପୁଅ ମୁଣ୍ଡରେ ଏବେ ଚଡକ ପଡିଛି । କେମିତି ସୁଝିବ ଋଣ ଓ କେମିତି ଚଳିବ ତା ପରିବାର, ସେହି ଚିନ୍ତା ଏବେ ଘାରିଛି । ଏଭଳି ପରିସ୍ଥିତିରେ ସରକାରଙ୍କ ସହାୟତା ଲୋଡିଛନ୍ତି ଚାଷୀ । ତେବେ ସରକାର ଏନେଇ କୌଣସି ପଦକ୍ଷେପ ନ ନେଲେ ରାଜରାସ୍ତାରେ ଧାନ ଢାଳି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ ।

Leave A Reply

Your email address will not be published.