Latest Odisha News

‘ଡିଜିଟାଲ ଫସଲ ସର୍ବେକ୍ଷଣ ମାଧ୍ୟମରେ ସିଏମ୍-କିଷାନ ସହ ଅନ୍ୟ ଆର୍ଥିକ ସୁବିଧା ପାଇପାରିବେ ଚାଷୀ’

ଭୁବନେଶ୍ୱର: ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଡିଜିଟାଲ ଫସଲ ସର୍ବେକ୍ଷଣର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ, ଇ- ଚାଷ ଆପ୍ ଜରିଆରେ ଡିଜିଟାଲ ଫସଲର ସର୍ବେକ୍ଷଣ କରାଯାଉଛି, ଯେଉଁଥିରେ କୃଷକଙ୍କ ଫସଲ ଓ ଚାଷଜମିର ତଥ୍ୟ ସରକାରଙ୍କ ପାଖରେ ପହଂଚି ପାରୁଛି । ଏହି ସର୍ବେକ୍ଷଣ ସେପ୍ଟେମ୍ବର ମାସ ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।

ସେହିପରି, ସର୍ବେକ୍ଷଣ ଆଧାରରେ ଚାଷୀମାନେ ସିଏମ୍- କିଷାନ ତଥା ଅନେକ ଅନ୍ୟ ଯୋଜନା ଅନ୍ତର୍ଗତ ଆର୍ଥିକ ସୁବିଧା ପାଇ ପାରିବେ ଏବଂ ଏହାର ପ୍ରଥମ କିସ୍ତି ଆସନ୍ତା ସେପ୍ଟେମ୍ବର ୮ ତାରିଖ ନୁଆଁଖାଇ ଦିନ ଡିବିଟି ମାଧ୍ୟମରେ ପ୍ରଦାନ କରାଯିବ । ତେବେ ବାଦ ପଡିଥିବା ସମସ୍ତ ଯୋଗ୍ୟ ଚାଷୀ ଏହା ଦ୍ୱାରା ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ ।

କୃଷକଙ୍କ ତଥ୍ୟ ଏକ ରେଜିଷ୍ଟ୍ରିରେ ଆଇଡି ସହ ରହିବ । ଏଥିପାଇଁ ପ୍ରତିଜିଲ୍ଲାରେ ନୋଡାଲ ଅଧିକାରୀ ମାନେ ରହିବେ ଓ ସେମାନେ ପ୍ରତ୍ୟକ୍ଷ ଭାବେ କ୍ଷେତ୍ର ପରିଦର୍ଶନରେ ଯାଇ ସର୍ବେକ୍ଷଣର ଅନୁଧ୍ୟାନ କରିବେ । ବାଦ ପଡିଯାଇଥିବା ଯୋଗ୍ୟ ହିତାଧିକାରୀଙ୍କ ତଥ୍ୟ ସଂଗ୍ରହ କରି ବିଭାଗକୁ ଜଣାଇବେ । ଏନେଇ ଏକ ମାର୍ଗଦର୍ଶିକା ତିଆରି ହେବ ଓ ସିଏମ୍ କିଷାନ ପୋର୍ଟାଲ ବର୍ଷ ତମାମ ଖୋଲା ରହିବ ବୋଲି ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ କହିଛନ୍ତି ।

ଚାଷୀମାନେ ନୂଆ ପୋର୍ଟାଲ ଜରିଆରେ ଆବେଦନ କିମ୍ବା ତଥ୍ୟ ଅପଡେଟ କରିବା ପାଇଁ କୌଣସି ପ୍ରକାର ଦେୟ ପ୍ରଦାନ କରିବେ ନାହିଁ । ଏହାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ପ୍ରମୁଖ ଶାସନ ସଚିବ କହିଥିଲେ ।

Comments are closed.