Latest Odisha News

ଗୋଟିଏ ଦୁର୍ଘଟଣା ବଦଳାଇଦେଲା ମହାଦେବଙ୍କ ଜୀବନର ଗତିପଥ,ସଂସାର ଚଳିବ କେମିତି?

ନବରଙ୍ଗପୁର : ଗୋଟିଏ ଦୁର୍ଘଟଣା ବଦଳାଇଦେଲା ସବୁକିଛି । ଆଉ ଉଜାଡ଼ି ଦେଲା ଗୋଟିଏ ହସଖୁସିର ସଂସାର । ସ୍ତ୍ରୀ ଛାଡି ଚାଲିଗଲା ଆରପାରିକୁ, ପୁଅ,ଝିଅ ଅଧାରୁ ପାଠ ଛାଡିଲେ, ବିକଳାଙ୍ଗ ହୋଇଗଲେ ମହାଦେବ, ଆଉ କଷ୍ଟ ହୋଇଯାଇଛି ଘର ଚଳିବା, ସମ୍ପର୍କୀୟ ଓ ପଡ଼ୋଶୀ ଦୟାକଲେ ପେଟ ଚାଖଣ୍ଡକୁ ମିଳୁଛି ଦାନା। ଏଭଳି ଦୟନୀୟ ଅବସ୍ଥାରେ ବଞ୍ଚୁଛନ୍ତି ମହାଦେବଙ୍କ ପରିବାର ।

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଗାଁର ମହାଦେବ ଭତରା ତାଙ୍କ ସ୍ତ୍ରୀ ଦଶା ଭତରା ୨୪ ମାସ ତଳେ କୋଟପାଡ଼ ଯିବା ସମୟରେ ଉକିଆପାଲି ଗାଁ ଛକ ନିକଟରେ ବିପରୀତ ଦିଗରୁ ଏକ ଟିପ୍ପର ଧକ୍କାଦେଇଥିଲା । ଫଳରେ ଘଟଣା ସ୍ଥଳରେ ମହାଦେବଙ୍କ ସ୍ତ୍ରୀ ଦଶା ଭତରାଙ୍କ ମୃତ୍ୟୁ ହୋଇଥିବା ବେଳେ ମହାଦେବଙ୍କୁ ଗୁରୁତର ଅବସ୍ଥାରେ କୋଷାଗୁମୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା  । ମହାଦେବଙ୍କ ଗୋଡ଼ ପାଦରେ ଗଭୀର ଆଘାତ ଲାଗିଥିଲା  । ଫଳରେ ଡ଼ାକ୍ତର ମହାଦେବଙ୍କ ଡାହାଣ ଗୋଡ଼ର ୪ ଟି ଆଙ୍ଗୁଠି କାଟିଦେଇଥିଲେ,ମହାଦେବଙ୍କ ଜୀବନ ବଞ୍ଚିଗଲା ସିନା ସେ ଚାଲିବାର ସାମର୍ଥ୍ୟ ହରାଇ ବସିଲେ ମହାଦେବ। ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିବା ମହାଦେବ ଏବେ ପଙ୍ଗୁ ହୋଇ ଘରେ ଶେଯରେ ପଡି ରହୁଛନ୍ତି ମହାଦେବ। ଜୀବିକା ଯୋଗାଉଥିବା ପୌତୃକ ଚାଷଜମିକୁ ନିଜର ଚିକିତ୍ସା ପାଇଁ ୫୦ହଜାର ଟଙ୍କାରେ ବିକ୍ରି କରିଦେଇଛନ୍ତି ।

ଭଙ୍ଗା ଦଦରା ଘରେ ଛୋଟ ଛୋଟ ଦୁଇ ପୁଅ ଓ ଝିଅସହ ଅତି କଷ୍ଟରେ ଜୀବନ କାଟୁଛନ୍ତି ମହାଦେବ । ବାପାଙ୍କ ଅବସ୍ଥା ଦେଖି ୧୦ମ ଶ୍ରେଣୀ ଅଧାରୁ ପାଠ ଛାଡି ଘରେ ଚୁଲି ସମ୍ଭାଳୁଛି ନାବାଳିକା ଝିଅ ବୃନ୍ଦାବତୀ  । ବଡପୁଅ ରାମଦାସ ୪ର୍ଥ ଶ୍ରେଣୀରୁ ପାଠ ଛାଡି ଗାଁ ଗୌଉଡିଆ ସାଜିଛି । ସାନ ପୁଅ ହରିନାଥ ପାଠ ଛାଡି ବାପାଙ୍କ ଆବଶ୍ୟକତା ପୂରଣ କରିବାପାଇଁ ସବୁବେଳେ ପାଖେ ପାଖେ ରହୁଛି । ଏମିତି କଟୁଛି ମହାଦେବଙ୍କ ଜୀବନ ।

ମହାଦେବଙ୍କ ପରିବାରର ଅବସ୍ଥା ଦେଖି ସମ୍ପର୍କୀୟ ଓ ପଡ଼ୋଶୀ ମାନେ ସାହାଯ୍ୟ କରୁଛନ୍ତି । ତେବେ ଦୁର୍ଘଟଣା ଘଟାଇଥିବା ଟିପ୍ପର ମାଲିକ ୪୦ ହଜାର ଟଙ୍କା ଏବଂ ଇନ୍ସୁରାନ୍ସ ଟଙ୍କା ମହାଦେବଙ୍କ ପରିବାରକୁ ଦିଆଯିବ ବୋଲି ବୁଝାମଣା ହୋଇଥିଲା  ।ହେଲେ ଦୁର୍ଘଟଣାର ୨ ବର୍ଷରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ୧ ଟଙ୍କା ମିଳିନଥିବା କହିଛନ୍ତି ମହାଦେବ । ସହାୟତା ଯୋଗେଇଦେବା ପାଇଁ ଏନେଇ ପ୍ରଶାସନକୁ ନିବେଦନ କରିଛନ୍ତି ମହାଦେବ ।

Comments are closed.