Latest Odisha News

BREAKING NEWS

କୁମ୍ଭମେଳାରୁ ଫେରିଲେ କ୍ୱାରେଣ୍ଟାଇନ୍: ଏସବୁ ରାଜ୍ୟ ଲଗାଇଲେଣି କଟକଣା

ନୂଆଦିଲ୍ଲୀ: ଦେଶରେ କରୋନାର ସୁପର ସ୍ପ୍ରେଡର ହୋଇ ପାରନ୍ତି କୁମ୍ଭମେଳା ଫେରାନ୍ତ । କୁମ୍ଭମେଳା ଫେରନ୍ତାଙ୍କୁ ନେଇ ଏବେ ଦେଶରେ ଚିନ୍ତା ବଢ଼ିଛି । ବିଭିନ୍ନ ରାଜ୍ୟ ସରକାର ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । କୁମ୍ଭମେଳା ଫେରନ୍ତାଙ୍କ ଟେଷ୍ଟିଂ ସହ କ୍ୱାରେଣ୍ଟାଇନ୍ କରାଯାଉଛି । ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଓଡ଼ିଶା ପରେ ଦିଲ୍ଲୀ ସରକାର ବି କୁମ୍ଭମେଳାରୁ ଫେରୁଥିବା ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ।

ମହାରାଷ୍ଟ୍ର ସରକାର କୁମ୍ଭମେଳା ଫେରନ୍ତାଙ୍କ ପାଇଁ କ୍ୱାରେଣ୍ଟାଇନକୁ ବାଧ୍ୟତାମୂଳକ କରିଛନ୍ତି । ରେଲଓ୍ୱେ ଷ୍ଟେସନରେ ରାପିଡ୍ ଆଣ୍ଟି ଜେନ୍ ଟେଷ୍ଟ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଗୁଜୁରାଟରେ ବି କୁମ୍ଭମେଳା ଫେରନ୍ତାଙ୍କ ଚେକିଂକୁ କଡ଼ାକଡ଼ି କରାଯାଉଛି । ଟେଷ୍ଟିଂ ନେଇ ସରକାର ଘୋଷଣା କରିବା ପରେ ୩୩୦ ଜଣଙ୍କର ନମୁନା ପରୀକ୍ଷା ହୋଇଥିଲା । ସେଥିରୁ ୩୩ ପଜିଟିଭ୍ ବାହାରିଥିଲେ । ଏହାପରେ RT-PCR ଟେଷ୍ଟିଂ ପାଇଁ ନିର୍ଦ୍ଦେଶ ଦେବା ସହ ୧୪ ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କରିଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ।
ଜବଲପୁରରେ କୁମ୍ଭମେଳା ଫେରନ୍ତା କରୋନା ସଂକ୍ରମିତ ଜଣେ ସାଧୁଙ୍କୁ ମୃତ୍ୟୁ ପରେ ମଧ୍ୟପ୍ରଦେଶରେ ଚେକିଂ କଡ଼ାକଡ଼ି । RT-PCR ସହ କ୍ୱାରେଣ୍ଟାଇନରୁ ବାଧ୍ୟତାମୂଳକ କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ । ସେହିପରି କର୍ଣ୍ଣାଟକ ସରକାର କୁମ୍ଭମେଳା ଫେରନ୍ତାଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ କହିଛନ୍ତି । କୋଭିଡ୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଲେ ବାହାରକୁ ବାହାରିବା ପାଇଁ କୁହାଯାଇଛି ।

ସେହିପରି ଓଡ଼ିଶା ସରକାର ବି କୁମ୍ଭମେଳା ଫେରନ୍ତାଙ୍କ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି । କୁମ୍ଭମେଳାରେ ଅଂଶଗ୍ରହଣ କରି ରାଜ୍ୟକୁ ଫେରିଲେ ଆରଟିପିସିଆର ପରୀକ୍ଷା କରିବା ବାଧ୍ୟ । ସଂପୃକ୍ତ ବ୍ୟକ୍ତିଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏନେଇ ସବୁ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.