ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ
ପ୍ରକୃତି ଓ ପରମ୍ପରାର ଏକ ମଧୁର ସମନ୍ୱୟ ଲୁଚି ରହିଛି । ସୂକ୍ଷ୍ମ ଦୃଷ୍ଟିରେ ଦେଖିଲେ ମାଟି ଓ ମୌସୁମୀର ମିଳନ ଏକ ଅପୂର୍ବ ପୁଲକ ଭରି ଦିଏ କୃଷକ ମନରେ । ପୃଥିବୀର ମାତୃତ୍ଵ କାମନା କରି ଜୟ ଗୀତ ଗାନ କରେ କୃଷକ । ଆଦ୍ୟ ଆଷାଢର ପ୍ରଥମ ବାରିପାତରେ ପୃଥିବୀ ଋତୁମତୀ ହୋଇଥିବାରୁ ଖୁସିରେ ଉତ୍ସବ ମୁଖର ହୋଇ ଉଠେ ଚର୍ତୁପାଶ୍ୱ । ପୂର୍ଣ୍ଣ ଯୌବନର ଦୀପ୍ତି ନେଇ ଧରିତ୍ରୀକୁ ଆସିଥାଏ ମାଟି ଓ ମୌସୁମୀର ମିଳନର ପର୍ବ ରଜ । ବର୍ଷ ସାରା ମୁଣ୍ଡ ଝାଳ ତୁଣ୍ଡରେ ମାରି କାମ କରୁଥିବା କୃଷକ ଶରୀର ପାଇଁ ବିଶ୍ରାମ ଆଉ ମନ ପାଇଁ ଆନନ୍ଦର ଅବସର ଆଣି ଦେଇଥାଏ ଏହି ପର୍ବ । ରଜ ହେଉଛି ଗଣ ପର୍ବ । ପ୍ରତ୍ୟେକ ଓଡିଆଙ୍କ ପାଇଁ ବିଶେଷ ଗୁରୁତ୍ୱ ରଖୁଥିବା କୃଷି ଭିତ୍ତିକ ପର୍ବ, ମା’ ବସୁଧା ପ୍ରତି ଏକ ସମ୍ମାନବୋଧ ଓ କୃତଜ୍ଞତା ପ୍ରଦାନ କରୁଥିବା ସୁନ୍ଦର ଉତ୍ସବ ହେଉଛି ‘ରଜପର୍ବ’ ।
ପୌରାଣିକ ଦୃଷ୍ଟିରୁ ରଜ ପର୍ବକୁ ଓଡ଼ିଆ ଜାତିର ଜାତୀୟ ମହୋତ୍ସବ ଭାବେ ଗ୍ରହଣ କରାଯାଏ । କିମ୍ବଦନ୍ତୀ ବହୁଳ ରଜ ପର୍ବ ବିଷୟରେ ବିଭିନ୍ନ ପୌରାଣିକ ଓ ସାମାଜିକ ପୃଷ୍ଠଭୂମି ଲୁଚି ରହିଛି । ଲଙ୍କାରେ ମହା ପ୍ରତାପୀ ରାଜା ରାବଣ ରାଜୁତି କରୁଥିବା ସମୟରେ ମୟଦାନବ ନାମରେ ଆଉ ଜଣେ ରାଜା ଭିନ୍ନ ଏକ ରାଜ୍ୟରେ ଶାସନ କରୁଥିଲା । ଉଭୟଙ୍କ ମଧ୍ୟରେ ନିବିଡ଼ ବନ୍ଧୁତ୍ୱ ଥିଲା । ରାବଣ ମୟଙ୍କ ଦରବାରକୁ ଯିବା ଆସିବା କରୁଥିଲା । ରାଜା ମୟଙ୍କର ମନ୍ଦୋଦରୀ ନାମରେ ଅତି ସୁନ୍ଦରୀ କନ୍ୟାଟିଏ ଥିଲା । ରାବଣ ପ୍ରତିଭାବାନ, ବୀର ଓ ସୁନ୍ଦର ଥିବାରୁ ଉଭୟେ ପରସ୍ପର ପ୍ରତି ଆକର୍ଷିତ ଓ ମିଳନରୁ ମନ୍ଦୋଦରୀ ଗର୍ଭଧାରଣ କଲେ । ଅବିବାହିତ ମନ୍ଦୋଦରୀଙ୍କ ଠାରୁ ସୁନ୍ଦରୀ କନ୍ୟାଟିଏ ଜନ୍ମ ନେବା ଫଳରେ ପିତା-ମାତାଙ୍କ ପାଇଁ ବଦନାମର କାରଣ ହେଲା । ତେଣୁ ରାଜା ମୟ ଉକ୍ତ ଶିଶୁ କନ୍ୟାକୁ ବିଳମ୍ବିତ ରାତ୍ରରେ ଦୂର ରାଜ୍ୟରେ ଥିବା ମିଥିଳା ନଗରୀକୁ ନେଇ ଗୁପ୍ତ ଭାବରେ ଗାତଖୋଳି ପୋତି ଦେଇଥିଲେ । ଏହି କାରଣରୁ ମିଥିଳାରେ ଅକାଳ ଚଡ଼କ ପଡ଼ି ବର୍ଷା ହେଲା ନାହିଁ । ମିଥିଳାବାସୀ ତ୍ରାହି ତ୍ରାହି ଡାକିଲେ । ସେତେବେଳେ ମିଥୁଳା ରାଜ୍ୟର ପ୍ରଜାବତ୍ସଳ ରାଜା ଥିଲେ ଜନକ । ସେ ପ୍ରଜାଙ୍କ ହିତ ପାଇଁ ଜ୍ୟୋତିଷମାନଙ୍କର ପରାମର୍ଶ ନେଲେ । ଜ୍ୟୋତିଷମାନଙ୍କର ମତାନୁଯାୟୀ ରାଜା ନିଜେ ହଳ ଯୋଚିଲେ ଅକାଳ ଦୂର ହେବ ଜାଣିବା ପରେ ସଂସାରର ହିତ ପାଇଁ ରାଜା ଜନକ ନିଜେ ହଳ ଯୋଚିବାରୁ ଇନ୍ଦ୍ର ଦେବତା ସନ୍ତୁଷ୍ଟ ହୋଇ ଫଳରେ ମୂଷଳ ଧାରାରେ ବର୍ଷା କଲେ । ଏଥିରେ ମିଥୁଳାବାସୀ ଆନନ୍ଦ, ଉଲ୍ଲାସରେ ଗୀତ ଗାଇ ନାଚିବାକୁ ଲାଗିଲେ । ସାରା ମିଥିଳା ରାଜ୍ୟରେ ନାଚଗୀତର ପର୍ବ ଆରମ୍ଭ ହୋଇଗଲା । ପୌରାଣିକ ମତାନୁସାରେ ସେହି ଦିନଠାରୁ ରଜ ପର୍ବର ଆରମ୍ଭ ହୋଇଥିବା ବିଶ୍ଵାସ କରାଯାଏ । କାରଣ ରାଜା ଜନକ ହଳ ଯୋଚି ଏକ କନ୍ୟା ରତ୍ନ (ସୀତା) ଭୂମିରୁ ପାଇଥିବାରୁ ଓ ମିଥିଳାବାସୀଙ୍କୁ ଏହି ପର୍ବ ନାରୀମାନଙ୍କ ପର୍ବ ରୂପେ ପାଳନ କରିବାକୁ ସ୍ବୀକୃତି ଦେଇଥିବା କୁହାଯାଏ ।
ସାଧାରଣତଃ ରଜପର୍ବ ପ୍ରତିବର୍ଷ ଜ୍ୟେଷ୍ଠ ମାସର ଶେଷ ଓ ଆଷାଢ ମାସର ପ୍ରାରମ୍ଭରେ (ଜୁନ୍ମାସରେ) ରଜପର୍ବ ଚାରିଦିନ ପାଳନ କରାଯାଏ । ରଜପର୍ବର ପ୍ରସ୍ତୁତି ଦିନକ ପୂର୍ବରୁ ଆରମ୍ଭ ହୋଇଥାଏ , ଏହାକୁ ସାଧାରଣରେ ରଜ ସାଜସଜା କୁହାଯାଏ । ରଜର ପ୍ରଥମ ଦିନକୁ ପହିଲି ରଜ, ଦ୍ୱିତୀୟ ଦିନଟି ରଜସଂକ୍ରାନ୍ତି ତଥା ମିଥୁନ ସଂକ୍ରାନ୍ତି ଓ ତୃତୀୟ ଦିନକୁ ଭୂଇ ଦଅଁଣ କୁହାଯାଇଥିବା ବେଳେ ଚତୁର୍ଥ ଦିନଟିକୁ ବସୁମତି ସ୍ନାନ ଭାବେ ପାଳନ କରାଯାଏ । ଆମର ବାସଭୂମି ପୃଥିବୀ ନିଷ୍କ୍ରାଣ ମୃତ୍ତିକା ପିଣ୍ଡ ନୁହେଁ, ଏହାର ପ୍ରାଣ ଅଛି । ଏହା ଆମକୁ ପାଳନ କରୁଛି । ଏହି ଚାରିଦିନ ବସୁଧାମାତା ରଜଶ୍ୱଳା ହୋଇଥାନ୍ତି । ଏହି ଗୂଢ ତତ୍ତ୍ୱକୁ ସ୍ୱୀକାର କରିବା ହେଉଛି ରଜପର୍ବର ମୂଳମନ୍ତ୍ର ।
ରଜରେ ମୌସୁମୀ ବର୍ଷାର ପ୍ରଥମ ସ୍ପର୍ଶ ପାଏ ଧରିତ୍ରୀ ମାତା । ମାଟିର ଭୁରୁଭୁରୁ ଗନ୍ଧ ମହକେଇ ଦିଏ ଚତୁର୍ପାଶ୍ୱ । ଋତୁମତୀ ଧରାର ସଂକେତ ବହନ କରି ସମସ୍ତଙ୍କ ପାଇଁ ମହାନିୟା, ବନ୍ଦନୀୟା ହୁଏ ଧରିତ୍ରୀ ମାତା । ଅକ୍ଷୟ ତୃତୀୟାରେ ଧାନ ଅନୁକୂଳ କରି ବସିଥିବା ଚାଷୀ କ୍ଷେତକୁ ଯିବାକୁ ପ୍ରସ୍ତୁତ ହୋଇଥିଲେ ବି ଏଇ ପାଞ୍ଚଦିନ ତା’ ପାଇଁ ବିଶ୍ରାମର ବେଳ । ଏହି ପର୍ବରେ ଝିଅମାନେ ଭୂଇଁରେ ଖାଲି ପାଦରେ ଚାଲିବା ମନା ହୋଇଥାଏ । ଏହି ପର୍ବରେ ମାଟିକୁ କର୍ଷଣ କରିବାକୁ ମଧ୍ୟ ବାରଣ ହୋଇଥାଏ ।
କିମ୍ବଦନ୍ତୀରୁ ଜଣାଯାଏ, ଧରିତ୍ରୀ ମାତା ଏହି ସମୟରେ ରଜଶ୍ୱଳା ହୋଇଥାଏ । ବେଦ ଅନୁଯାୟୀ ମା’ ଲକ୍ଷ୍ମୀ ମିଥୁନ ସଂକ୍ରାନ୍ତି ସମୟରେ ରଜଶ୍ୱଳା ହୋଇଥାନ୍ତି । ରଜଶ୍ୱଳା ହେବାର ପ୍ରଥମ ଦିନକୁ ରଜ ଭାବରେ ପାଳନ କରାଯାଏ ଓ ଚତୁର୍ଥ ଦିନରେ ବସୁମତି ସ୍ନାନ କରାପରେ ଏହି ପର୍ବ ଶେଷ ହୋଇଥାଏ । ସାଧାରଣତଃ ସ୍ତ୍ରୀ ଲୋକ ରଜଶ୍ୱଳା ହେଲେ ତିନି ଦିନ ଯେପରି ମୈଥୁନ କର୍ମ ନିଷିଦ୍ଧ ହୋଇଥାଏ । ଠିକ୍ ସେହିପରି ରଜ ତିନି ଦିନ କୃଷି କର୍ମ ମଧ୍ୟ ନିଷିଦ୍ଧ ହୋଇଥାଏ । ପ୍ରକୃତି ଓ ପରମ୍ପରାର ସମନ୍ୱୟ ହେଉଛି ‘ରଜପର୍ବ’ । ପ୍ରକୃତିର ଋତୁଚକ୍ରରେ ଠିକ୍ ଏହି ସମୟ ବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡିଶା ଉପକୂଳ ଛୁଇଁଥାଏ । ଏହାର ପ୍ରଭାବରେ ସାରା ଦେଶରେ ବର୍ଷା ହେବା ସହ ମୃତ୍ତିକା ଅମଳକ୍ଷମ ହେବାପାଇଁ ପ୍ରଯୁର୍ଯ୍ୟ ହୁଏ । ନାରୀଟିଏ ପରି ପୃଥିବୀ ମଧ୍ୟ ରଜଶ୍ୱଳା ହେବା ପରେ ତା’ର ଉତ୍ପାଦିକା କ୍ଷମତା କାର୍ଯ୍ୟକାରୀ କରେ । ଏହାର ଯଥାର୍ଥତା ପ୍ରତିପାଦନ କରେ ‘ରଜପର୍ବ’ । ଏହା ଏକ ସୁନ୍ଦର ପରମ୍ପରା । ରଜ ଆରମ୍ଭରେ ପୃଥିବୀ ଶସ୍ୟଗର୍ଭା ହେଉ ବୋଲି କାମନା କରାଯାଏ ଓ ବସୁମତୀ ସ୍ନାନ ପରେ କୃଷି କାର୍ଯ୍ୟ ଆରମ୍ଭ ହୋଇଥାଏ । ତେଣୁ ରଜପର୍ବ ହେଉଛି ବର୍ଷାରମ୍ଭ ଶସ୍ୟଗର୍ଭା ପୃଥିବୀର ମାତୃତ୍ୱର ସଫଳତା କାମନା ଓ ସୃଷ୍ଟିର ଜୟ ଉତ୍ସବ ।
ରଜପର୍ବରେ ପ୍ରତ୍ୟେକ ଓଡିଆ ତଥା ଓଡିଶାର ଝିଅ ବୋହୂମାନେ ରଜପର୍ବ ଦିନ ଅର୍ଥାତ୍ ସଜବାଜ ଠାରୁ ନିଜକୁ ପ୍ରସ୍ତୁତ କରିଥାନ୍ତି । ଏହି ପର୍ବରେ ସଜହେବା ପାଇଁ ନୂଆ ପୋଷାକ ସହ ବିଭିନ୍ନ ପ୍ରସାଧନ ସାମଗ୍ରି କିଣି ରଖିଥାନ୍ତି । ଏପରିକି ଦାନ୍ତକାଠି ଠାରୁ ଚୂନାକୁଟା ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟ ସମାପନ କରାଯାଇଥାଏ । ରଜଦିନ ବଡି ଭୋରୁ ଘରଚାରି ପାଖେ ଗୋବର ଦିଆଯାଏ । ଗୋବରରେ ନାଇଟ୍ରିକ୍ ଏସିଡ୍ ଥିବାରୁ ଗୋବର ପାଖକୁ ସର୍ପ ଆସନ୍ତି ନାହିଁ । ବର୍ଷାଦିନେ ଗାତରେ ପାଣି ପଶିଲେ ଆଶ୍ରୟ ନ ପାଇ ସାପ ଘର ଭିତରକୁ ପଶି ଆସିବାର ସମ୍ଭାବନା ଥାଏ । ଏଣୁ ଏହାର ନିରାକରଣ ପାଇଁ ଘର ଚାରିପାଖେ ଗୋବର ଦିଆଯାଏ । ଏହାପରେ ମା’ ଭଉଣୀମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ ସାରି ସଜବାଜ ହୁଅନ୍ତି । ଅଳତା, ସିଙ୍ଗାର, ନୂଆ ପୋଷାକ ସହ ଆରମ୍ଭ ହୁଏ ଦୋଳି ଖେଳ, ଘରେ ଘରେ ବାସ୍ନା ଉଠେ ଓଡିଆ ପିଠାପଣାର ମହକ । ପୋଡପିଠା, ଆରିସା, କାକରା, ମଣ୍ଡା ଠାରୁ ଆରମ୍ଭ କରି ଖିରିପୁରି ପର୍ଯ୍ୟନ୍ତ ଜମିଯାଏ ଘରେ ଘରେ ।
ତଥାପି ରଜର ମୁଖ୍ୟ ଆକର୍ଷଣ ପୋଡପିଠା ଓ ରଜପାନ । ଯାହା ଆମ ଓଡିଆ ସଂସ୍କୃତିକୁ ଉଜ୍ଜିବିତ କରିଥାଏ । କାରଣ ପ୍ରତ୍ୟେକ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ ଭୋଜନ ଶେଷ ବେଳକୁ ପୋଡ ପିଠା ଖାଇବା ସହିତ ସମ୍ପୂର୍ଣ୍ଣ ଭୋଜନ ଶେଷରେ ବିଡିଆ ପାନ ଖଣ୍ଡେ ଖାଇଥାନ୍ତି । କିନ୍ତୁ ବୈଜ୍ଞାନିକ ମତ ଅନୁସାରେ, ଏହି ସମୟରେ ଯେହେତୁ ଜୟବାୟୁ ପରିବର୍ତ୍ତନ ହୋଇଥାଏ, ଅର୍ଥାତ୍ ଗ୍ରୀଷ୍ମ ଯାଇ ବର୍ଷାର ଆଗମନ ହୋଇଥାଏ, ତେଣୁ ପାଚନ ଯନ୍ତ୍ରକୁ ସୃଦୁଢ କରିବା ପାଇଁ ଆମର ପୂର୍ବ ପୁରୁଷମାନେ ରଜରେ ଏହି ପୋଡପିଠାକୁ ଅଧିକ ପ୍ରାଧାନ୍ୟ ଦେଇଥିଲେ । ଏଥିରେ ବିଭିନ୍ନ ପ୍ରକାରର ଔଷଧୀୟ ଦ୍ରବ୍ୟ ତଥା ଅଦା, ଗୋଲମରିଚ, କର୍ପୁର, ଅଳେଇଚ, ଗୁଜୁରାତି ପ୍ରଭୁତି ସ୍ୱାସ୍ଥ୍ୟକର ଦ୍ରବ୍ୟ ଦିଆଯାଇଥିବାରୁ ଏହା ପାଚନତନ୍ତ୍ରକୁ ସୁଦୃଢ କରିଥାଏ । ପୋଡପିଠା ପରି ପାନ ମଧ୍ୟ ସ୍ୱାସ୍ଥ୍ୟପକ୍ଷେ ହିତକର । ବୈଜ୍ଞାନିକ କାରଣ ସମ୍ମତ ଗରିଷ୍ଠ ଖାଦ୍ୟ ଖାଇବା ପରେ ପାନଖଣ୍ଡେ ଖାଇଦେଲେ ଖାଦ୍ୟ ସହଜରେ ହଜମ ହୋଇଥାଏ । କିନ୍ତୁ ପାନ ଘରୋଇ ଔଷଧୀୟ ମସଲାରେ ପ୍ରସ୍ତୁତ ହୋଇଥିବା ଆବଶ୍ୟକ ।
ଦୃଷ୍ଟି ଦେଲେ ନିପଟ ଗାଁ’ ଠୁ ସହର ଚାରିଆଡେ ରଜ ଚାରିଦିନ ବିଭିନ୍ନ ପିଠାପଣା ସହ ଖେଳକୁଦ, ଦୋଳି ଉତ୍ସବ, ସଜବାଜ ପ୍ରଭୃତି ପ୍ରତିଯୋଗିତା କରାଯାଇଥାଏ । କବାଡି ଖେଳ , ତାସ୍ ଆସର ଖୁବ୍ ଜମେ । ରଜର ତୃତୀୟ ଦିନଟି ଭୂଇଁ ନଅଁଣ ହୋଇଥିବାରୁ ଖାଲି ପାଦରେ ଚାଲନ୍ତି ନାହିଁ । ଗୁଆଖେଳ, କଦଳୀ ବାସୁଙ୍ଗ ଓ ଚପଲ ପିନ୍ଧି ଚାଲନ୍ତି । ପୃଥିବୀ ରଜଶ୍ୱଳା ପାଳନ ବିଧିରେ ଝିଅବୋହୂଙ୍କୁ ଶିକ୍ଷା ଦିଆଯାଏ ଯେ, ପୃଥିବୀ ଯେପରି ଶସ୍ୟଶ୍ୟାମଳାପୂର୍ଣ୍ଣ ହୋଇପାରୁଛି, ସେହିପରି ପ୍ରତ୍ୟେକ ମହିଳାଟିଏ ରଜଶ୍ୱଳା ସମୟରେ ବିଶ୍ରାମ ଓ ମନଖୁସିରେ ରହିଲେ ଉତ୍ତମ ସନ୍ତାନଟିଏ ଜନ୍ମ ଦେଇପାରିବ । ସେଥିପାଇଁ ରଜ ସମୟରେ ନାରୀମାନେ ରୋଷେଇ କରନ୍ତି ନାହିଁ । ଏପରିକି କୌଣସି ଜିନିଷ କାଟିବା କିମ୍ବା ବାଟିବା ପାଇଁ ମଧ୍ୟ ତାଙ୍କୁ ବାରଣ କରାଯାଇଥାଏ ।
ଶେଷରେ ଆସେ ଚତୁର୍ଥ ରଜ ଅର୍ଥାତ୍ ବସୁମତୀ ସ୍ନାନ । ଏହି ଦିନଟି ମଧ୍ୟ ଧରାସ୍ନାନ, ମହାଲକ୍ଷ୍ମୀ ଗାଧୁଆ ଓ ଶୁଦ୍ଧ ସ୍ନାନ ଭାବରେ ବେଶ ପରିଚିତ । ଏହି ଦିନ ସୂର୍ଯ୍ୟଦୋୟ ପୂର୍ବରୁ ବସୁଧା ମାତାଙ୍କୁ ଶୁଦ୍ଧସ୍ନାନ କରାଯାଇଥିବା ସହ ନାରୀମାନେ ମଧ୍ୟ ସ୍ନାନ କରିଥାନ୍ତି । ବସୁମତି ସ୍ନାନ ସମୟରେ ପିଢା ଉପରେ ଶିଳପୁଆ, କଦଳୀପାତି, ପାଂଚଣ,ଲଙ୍ଗଳଲୁହାକୁ ରଖି ସୁନ୍ଦୁର ଦିଆଯାଏ । ସୋରିଷ, ହଳଦୀଖଣ୍ଡ, ଫୁଲ, ଜଡାତେଲ ପ୍ରଭୁତିରେ ପୂଜାର୍ଚ୍ଚନା କରାଯାଏ । ଶଙ୍ଖ ଓ ହୁଳହୁଳି ସହିତ ଧୂପଦୀପରେ ବନ୍ଦାପନା କରାଯାଏ । ଶେଷରେ ବସୁଧାମାତାଙ୍କୁ ପ୍ରଣାମ କରି ଉତ୍ତମ ଚାଷ ଓ ଉପଯୁକ୍ତ ବର୍ଷା ପାଇଁ ପ୍ରାର୍ଥନା କରାଯାଇଥାଏ । ପରେ ପରେ ଆରମ୍ଭ ହୋଇଯାଏ କୃଷିକାର୍ଯ୍ୟ । ଫସଲ ଉତ୍ପାଦନ ଭଳି ଗୁରୁତ୍ଵପୂର୍ଣ୍ଣ କୃଷିପର୍ବର ଆରମ୍ଭରୁ ମାଟିକୁ ସଂପୂର୍ଣ୍ଣ ବିଶ୍ରାମ ଦେବା ପାଇଁ ଏହି ପର୍ବର ପରିକଳ୍ପନା । ଏ ପର୍ବରେ ପରିବାରର ଲୋକେ କି ଆତ୍ମୀୟସ୍ଵଜନ ଯିଏ ଯେଉଁଠି ଥିଲେ ବି , ଫେରି ଆସିଥାନ୍ତି ଘରକୁ । ବନ୍ଧୁ ବାନ୍ଧବଙ୍କ ଗହଳି ଆଉ ହସ କୌତୁକକ ଆସର ଭୁଲାଇ ଦିଏ କର୍ମମୟ ଜୀବନର ଅବସାଦ । ଖରାର ଦର୍ପ କମିଲା ପରେ ମୌସୁମୀର କଅଁଳ ଛୁଆଁ ଶିହିରିତ କରେ ମନ ପ୍ରାଣକୁ ।
କହିବାକୁ ଗଲେ ରଜ ପର୍ବର ଚିତ୍ତାକର୍ଷକ ମନୋଭାବକୁ ପ୍ରତ୍ୟେକ ଓଡ଼ିଆ ଅନୁଭବ କରେ । ମୌସୁମୀ ଋତୁର ଆଗମନକୁ ସମ୍ମାନିତ କରୁଥିବା ଓଡିଆ ପର୍ବ, ପରମ୍ପରା ଓ ସଂସ୍କୃତିରେ ନିଜକୁ ବୁଡ଼ାଇ ରଖି ପାରମ୍ପାରିକ ଖେଳରେ ଅଂଶଗ୍ରହଣ କରେ । ଘରେ ପ୍ରସ୍ତୁତ ପୋଡ ପିଠା ଓ ଛେନା ପୋଡର ସୁଗନ୍ଧିତ ସ୍ୱାଦକୁ ଆଘ୍ରାଣ କରି ଦେବାଦେବୀ ମନ୍ଦିର ପରିଦର୍ଶନ ଓ ପ୍ରାର୍ଥନାର ଆଧ୍ୟାତ୍ମିକ ଆଭିମୁଖ୍ୟରେ ଆନନ୍ଦିତ ହୁଏ । ରଜ ମହୋତ୍ସବର ସାମ୍ପ୍ରଦାୟିକତା ଠାରୁ ଦୂରେଇ ଏକତ୍ରିତ ହୋଇ ଓଡ଼ିଶାର ଗାଁ ଗଣ୍ଡାରେ ଯାତ୍ରା ହୋଇଥାଏ ।
ପୌରାଣିକ,ଐତିହାସିକ ବା ସାମାଜିକ କାହାଣୀକୁ ଚିତ୍ରିତ କରିବାଠାରୁ ଆରମ୍ଭ କରି ସାଂସ୍କୃତିକ ପ୍ରତୀକକୁ ଆଲୋକିତ କରିବା ପର୍ଯ୍ୟନ୍ତ, ଯାତ୍ରା ପେଣ୍ଡାଲମାନଙ୍କର ଥିମ୍ ଦର୍ଶକମାନଙ୍କୁ ଏକ ଭିନ୍ନ ଜଗତରେ ବୁଡ଼ାଇଥାଏ । ପ୍ରସିଦ୍ଧ ରଜ ପର୍ବ ଯାତ୍ରା ପେଣ୍ଡାଲ କେବଳ ସମ୍ପ୍ରଦାୟକୁ ଏକଜୁଟ କରିନାହିଁ, ବରଂ ଏକ ଭିଜୁଆଲ୍ ଭୋଜି ଭାବରେ କାର୍ଯ୍ୟ କରିଛି । ଚିତ୍ରକଳା ସହ ସତରେ ରଜ ପର୍ବ ପାଳନ ଅବସରରେ ଏକ ଲୋକପ୍ରିୟ ସାଂସ୍କୃତିକ ପ୍ରଦର୍ଶନ ଯାହାକି ଓଡିଶାର ବିବିଧ ଐତିହ୍ୟ ପ୍ରଦର୍ଶନ କରିଥାଏ । ଏହି ପର୍ବରେ ଓଡ଼ିଶୀ ପରି ଚିତ୍ତାକର୍ଷକ ପାରମ୍ପାରିକ ନୃତ୍ୟ ସହିତ ଲୋକ ନୃତ୍ୟ ଜୀବନ୍ତ ହୋଇଥାଏ । ଏହାର ଅନୁକୂଳ ଗତିବିଧି ଓ ଭାବପ୍ରବଣ କାହାଣୀ ପାଇଁ ଜଣାଶୁଣା । ଏପରିକି ଗୋଟିପୁଅ ନୃତ୍ୟ ପ୍ରଦର୍ଶନ ସହ, ସମ୍ବଲପୁରୀ, ଘୁମୁରା ଓ ଡାଲଖାଇ ପରି ଲୋକ ନୃତ୍ୟ ଉତ୍ସବକୁ ଚିତ୍ତାକର୍ଷକ ଗୀତ, ଦାସକାଠିଆ, ଘୁଡିକି, ପାଲା, ରାମଲୀଳା, କୃଷ୍ଣ ଲୀଳା ଆଦି ରଙ୍ଗୀନ ପୋଷାକରେ ଦର୍ଶକ ଉତ୍ସାହିତ ହୁଅନ୍ତି । ଏହି ସାଂସ୍କୃତିକ ପ୍ରଦର୍ଶନ କେବଳ ଚିତ୍ତାକର୍ଷକ ନୁହେଁ ବରଂ ଓଡିଶାର ସମୃଦ୍ଧ କଳାତ୍ମକ ଉତ୍ତରାଧିକାରୀ ଓ ଏହାର ମୂଳ ସହିତ ଗଭୀର ସଂଯୋଗର ସ୍ମାରକ ଭାବରେ କାର୍ଯ୍ୟ କରିଥାଏ । ରଜପର୍ବରେ ରଜଦୋଳି ରଜଗୀତ ବୋଲା ଯାଉଥିବା ଜଣାଶୁଣା ଗୀତ ଯାହା ଗାଆଁଗହଳିରେ ଜନ୍ମ ନେଇଥିଲା । ଗାଁ ମୁଣ୍ଡ ବରଗଛ , ଆମ୍ବ, ତେଣ୍ତୁଳି ଆଦି ଗଛରେ ବା ଘରେ ଦୋଳି ବନ୍ଧାଯାଏ । ଦୋଳି ଖେଳୁଥିବା ଝିଅ, ବୋହୂ ଲୋକ ମୁଖରେ ବୋଲାଯାଉଥିବା “ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ, ଘେନି ନୂଆ ସଜବାଜ ” । ଏହି ଗୀତ ଗାନ କରି ଦୋଳି ଖେଳନ୍ତି ।
ପ୍ରକୃତରେ ରଜ ପର୍ବ ଏକ ପର୍ଯ୍ୟାୟରେ ପରିଣତ ହୁଏ , ଯେଉଁଠି ଓଡିଶାର ପାରମ୍ପରିକ ସଂସ୍କୃତିର ଆତ୍ମା ଉଜ୍ଜ୍ୱଳ ଓ ଆଲୋକମୟ ହୋଇଉଠେ…!!!
© ଅଧ୍ୟକ୍ଷ, ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ -୪
ଦୂରଭାଷା: ୯୦୪୦୧୫ ୧୪୭
Comments are closed.