Latest Odisha News

ଆଜିଠାରୁ ଫୁଟବଲ୍‌ର ମହାକୁମ୍ଭ: ଫିଫା ବିଶ୍ୱକପ୍ ୨୦୨୬

ଓପନିଂ ସେରେମନିରେ ଶକିରାଙ୍କ ଜଲୱା

ନୂଆଦିଲ୍ଲୀ: ସାରା ବିଶ୍ୱର ଫୁଟବଲ୍ ପ୍ରେମୀଙ୍କ ପାଇଁ ପ୍ରତୀକ୍ଷାର ଅନ୍ତ ଘଟିଛି। ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଦୁନିଆର ସବୁଠାରୁ ବଡ଼ କ୍ରୀଡ଼ା ମହୋତ୍ସବ—ଫିଫା ବିଶ୍ୱକପ୍ ୨୦୨୬ ! ଏଥର ଆମେରିକା, ମେକ୍ସିକୋ ଏବଂ କାନାଡାର ମଇଦାନରେ ଧମାଲ୍ କରିବେ ବିଶ୍ୱର ସବୁଠାରୁ ବଡ଼ ଫୁଟବଲ୍ ତାରକା। ଆଗାମୀ ୩୯ ଦିନ ପର୍ଯ୍ୟନ୍ତ ସାରା ଦୁନିଆର ନଜର ରହିବ ଏହି ରୋମାଞ୍ଚକର ଲଢ଼େଇ ଉପରେ।

ଓପନିଂ ସେରେମନିରେ ଶକିରାଙ୍କ ଜଲୱାମ୍ୟାଚ୍ ଆରମ୍ଭ ହେବାର ଠିକ୍ ୯୦ ମିନିଟ୍ ପୂର୍ବରୁ ଏକ ଭବ୍ୟ ଓପନିଂ ସେରେମନି ଆୟୋଜନ କରାଯିବ। ଯେଉଁଠାରେ ଗ୍ଲୋବାଲ୍ ସୁପରଷ୍ଟାର୍ ଶକିରା , ବର୍ଣ୍ଣା ବୟ, ଜେ ବାଲଭିନ୍ ଏବଂ ଟାଇଲାଙ୍କ ଭଳି କଳାକାର ନିଜର ଗୀତ ଓ ନୃତ୍ୟର ଯାଦୁରେ ଦର୍ଶକଙ୍କୁ ବିମୋହିତ କରିବେ।

ପ୍ରଥମ ମ୍ୟାଚ୍‌ ମେକ୍ସିକୋ ବନାମ ଦକ୍ଷିଣ ଆଫ୍ରିକା
ଆଜିର ଉଦ୍‌ଘାଟନୀ ମ୍ୟାଚ୍ ଆୟୋଜକ ଦେଶ ମେକ୍ସିକୋ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଏହି ଐତିହାସିକ ମ୍ୟାଚ୍‌ ମେକ୍ସିକୋର ବିଶ୍ୱପ୍ରସିଦ୍ଧ ‘ଏଷ୍ଟାଡିଓ ଆଜ୍‌ଟେକା’ ଷ୍ଟାଡିୟମରେ ଅନୁଷ୍ଠିତ ହେବ, ଯାହା ଦୁନିଆର ପ୍ରଥମ ଷ୍ଟାଡିୟମ ଭାବେ ୩ଟି ଭିନ୍ନ ଭିନ୍ନ ବିଶ୍ୱକପ୍‌ର ଆତିଥେୟତା କରିବାକୁ ଯାଉଛି। ଜୁଲାଇ ୧୯ ତାରିଖରେ ନ୍ୟୁଜର୍ସିରେ ଖେଳାଯିବ ଗ୍ରାଣ୍ଡ ଫିନାଲେ।

ମହାରଥୀଙ୍କ ମଧ୍ୟରେ ଶେଷ ଲଢ଼େଇ !
ଚଳିତ ବିଶ୍ୱକପ୍ ଅନେକ ଦିଗରୁ ସ୍ୱତନ୍ତ୍ର। ପୁର୍ତ୍ତଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ବ୍ରାଜିଲର ନେମାର୍ ନିଜ କ୍ୟାରିୟରରେ ପ୍ରଥମ ଥର ପାଇଁ ଟ୍ରଫି ଜିତିବାକୁ ଜୀବନ ମୂର୍ଚ୍ଛା ଉଦ୍ୟମ କରିବେ। ଅନ୍ୟପଟେ, ଆର୍ଜେଣ୍ଟିନାର ମହାନ ଖେଳାଳି ଲିଓନେଲ ମେସି ଏବଂ ଫ୍ରାନ୍ସର ଷ୍ଟାର୍ ଷ୍ଟ୍ରାଇକର କିଲିଆନ୍ ଏମ୍ବାପେ ଦ୍ୱିତୀୟ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ହେବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବେ।

ଫିଫା ବିଶ୍ୱକପ୍ ୨୦୨୬: ନମ୍ବର ଗେମ୍
୪୮ ଦଳ: ଫିଫା ଇତିହାସରେ ପ୍ରଥମ ଥର ପାଇଁ ୩୨ ବଦଳରେ ୪୮ଟି ଦେଶ ଭାଗ ନେଉଛନ୍ତି।
୧୦୪ ମ୍ୟାଚ୍: ଏହି ମହାସମରରେ ସର୍ବାଧିକ ୧୦୪ଟି ରୋମାଞ୍ଚକର ମ୍ୟାଚ୍ ଖେଳାଯିବ।
୧୨୪୮ ଖେଳାଳି: ବିଶ୍ୱର ଶ୍ରେଷ୍ଠ ୧,୨୪୮ ଜଣ ଖେଳାଳି ଏଥିରେ ନିଜର ଜଲୱା ଦେଖାଇବେ।
ଯୁବ ଓ ଅଭିଜ୍ଞ: ୧୭ ବର୍ଷର ଗିଲବର୍ଟୋ ମୋରା ସବୁଠାରୁ ସାନ ଖେଳାଳି ଏବଂ କ୍ରେଗ୍ ଗର୍ଡନ ସବୁଠାରୁ ବୟସ୍କ ଖେଳାଳି ଭାବେ ଖେଳିବେ।
ନୂଆ ଦଳ: କେପ୍ ଭର୍ଦେ, କୁରାସାଓ, ଜୋର୍ଡାନ ଏବଂ ଉଜବେକିସ୍ତାନ ଭଳି ୪ଟି ଦେଶ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ପଦାର୍ପଣ କରୁଛନ୍ତି।

ଏଥର ଖେଳାଳିମାନଙ୍କୁ କେବଳ ପ୍ରତିଦ୍ୱନ୍ଦ୍ୱୀ ନୁହେଁ, ବରଂ ପ୍ରକୃତି ସହ ମଧ୍ୟ ଲଢ଼ିବାକୁ ପଡ଼ିବ। ଆମେରିକା ଏବଂ ମେକ୍ସିକୋର କିଛି ଅଞ୍ଚଳରେ ହାରାହାରି ତାପମାତ୍ରା ୩୨ ଡିଗ୍ରୀ ସେଲସିୟସ ପାଖାପାଖି ରହିବାର ସମ୍ଭାବନା ଅଛି। ଏଭଳି ଗରମ ମଧ୍ୟରେ ନିଜକୁ ଫିଟ୍ ରଖିବା ଏବଂ ଷ୍ଟାମିନା ବଜାୟ ରଖିବା ଖେଳାଳିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ।

ଏହା ପୂର୍ବରୁ ୧୯୯୪ ମସିହାରେ ଯେତେବେଳେ ଆମେରିକାରେ ବିଶ୍ୱକପ୍ ଖେଳାଯାଇଥିଲା, ସେତେବେଳେ ମଧ୍ୟ ଖେଳାଳିମାନେ ପ୍ରବଳ ଗରମର ସାମ୍ନା କରିଥିଲେ।

🏆 ଫିଫା ଇତିହାସର ସବୁଠାରୁ ସଫଳ ଦଳ

ବ୍ରାଜିଲ ସର୍ବାଧିକ ୫ ଥର ଟାଇଟଲ ଜିତିଥିବା ବେଳେ ଜର୍ମାନୀ ଓ ଇଟାଲୀ ୪ ଥର ଲେଖାଏଁ ଚାମ୍ପିଅନ ହୋଇଛନ୍ତି ଜ୍ଝ ସେହିପରି ଆର୍ଜେଣ୍ଟିନା ୩ ଥର, ଉରୁଗୁଏ ୨ ଥର, ଫ୍ରାନ୍ସ ୨ ଥର ଏବଂ ଇଂଲଣ୍ଡ ଓ ସ୍ପେନ୍ ଥରେ ଲେଖାଏଁ ଟାଇଟଲ ଜିତିଛନ୍ତି ଜ୍ଝ

କିଏ ହେବ ଏଥରର ବିଶ୍ୱ ବିଜେତା ?
କଣ ମେସି ନିଜର ଦେଶକୁ ପୁଣି ଥରେ ଚାମ୍ପିଅନ୍ କରାଇପାରିବେ, ନା ରୋନାଲ୍ଡୋଙ୍କ ସ୍ୱପ୍ନ ପୂରଣ ହେବ ? ଏହି ସମସ୍ତ ପ୍ରଶ୍ନର ଉତ୍ତର ଆଗାମୀ ୩୯ ଦିନ ମଧ୍ୟରେ ମଇଦାନରେ ମିଳିବ। ଫିଫା ବିଶ୍ୱକପ୍‌ର ପ୍ରତିଟି ଛୋଟବଡ଼ ଅପଡେଟ୍ ସର୍ବପ୍ରଥମେ ପାଇବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ।

Leave A Reply

Your email address will not be published.