ଲକ୍ ଡାଉନ୍ ବିପତ୍ତିର ବିକଳ୍ପ: ଆଦିବାସୀ ସମାଜ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’…

କରୋନା ଭୂତାଣୁ ଯୋଗୁ ଦୀର୍ଘ ଦୁଇ ମାସ ଧରି ଜାରି ରହିଥିବା ଲକ୍ ଡାଉନ୍‌ରେ ସାରା ଦେଶ ସନ୍ତୁଳି ହୋଇଗଲାଣି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକମାନେ । ଦୋକାନ ବଜାର ବନ୍ଦ । ଛୋଟ ବେପାରୀ, ଉଠା ଦୋକାନୀ, ଗାଡ଼ି ଚାଳକ, ଛୋଟ ଛୋଟ କୁଟୀର ଶିଳ୍ପ, ସମସ୍ତଙ୍କ ଧନ୍ଦା ପାଣି ବନ୍ଦ । ଖାଇବାକୁ ନପାଇ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ବଡ଼ ବଡ଼ ଶିଳ୍ପ କାରଖାନା ବି ସବୁ ବନ୍ଦ ପଡ଼ିଛି । ଦୀର୍ଘ ଦୁଇ ମାସ ହେବ ଶ୍ରମିକ ମାନଙ୍କ ହାତରେ କାମ ନାହିଁ । ରେଳ, ବସ୍ ଓ ସମସ୍ତ ପ୍ରକାର ଯାତାୟତ ବ୍ୟବସ୍ଥା ବନ୍ଦ । ଘରକୁ ଫେରିବାକୁ ବି ଉପାୟ ନାହିଁ ପ୍ରବାସୀ ଶ୍ରମିକ ମାନଙ୍କ ପାଖରେ । ଲକ୍ଷ ଲକ୍ଷ ଶ୍ରମିକ ମାନେ ପୁଡ଼ା ପୁଟୁଳି ବାନ୍ଧି ପିଲା ଛୁଆଙ୍କୁ ଧରି ରାଜରାସ୍ତାରେ ଚାଲୁଛନ୍ତି ।

ଅଧିକ ପଢନ୍ତୁ: କରୋନା ପରବର୍ତ୍ତୀ ସମୟରେ ବେକାରୀ ସମସ୍ୟା

୧୯୪୭ ମସିହାର ଦେଶ ବିଭାଜନ ସମୟର ପରିସ୍ଥିତି ପରି ଚିତ୍ର ପୁଣି ଥରେ ଦେଖିବାକୁ ମିଳିଛି । ଦେଶର ଅର୍ଥନୀତି ପୁରା ନିଥର ପଡ଼ିଯାଇଛି । ସେଆର ମାର୍କେଟ୍‌ର ସେ ଷଣ୍ଢଟା ଆଉ ଲମ୍ଫ ଦେଉନି । ମାଟି କାମୁଡ଼ି ପଡ଼ିଛି । କରୋନା ଭୂତାଣୁ ଅପେକ୍ଷା ଲକ୍ ଡାଉନ୍ ଲୋକମାନଙ୍କୁ ବେଶୀ ହଇରାଣରେ ପକେଇ ଦେଇଛି । ଏକଥା ସରକାର ସ୍ୱୀକାର ନକଲେ ବି ଏହା ହିଁ ସତ୍ୟ । ଦେଶର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଜୀବିକାକୁ ଉଜାଡ଼ି ଦେଇ ତାଙ୍କ ଅବସ୍ଥାକୁ ସଙ୍ଗୀନ କରିଦେଇଛି ଲକ୍ ଡାଉନ୍ । ପ୍ରତିଦିନ ଏ ବିଷୟରେ ଅତ୍ୟନ୍ତ ଦୟନୀୟ ଘଟଣା ମାନ ଶୁଣିବାକୁ ମିଳୁଛି ଗଣମାଧ୍ୟମରୁ ।

କିନ୍ତୁ ଏହି ଲକ୍ ଡାଉନ୍‌, ତଥାକଥିତ ସଭ୍ୟ ସମାଜ ତଥା ସହର ବଜାର ଠାରୁ ଦୂରରେ ରହୁଥିବା ଆଦିବାସୀ ମାନଙ୍କୁ ବେଶୀ କିଛି ପ୍ରଭାବିତ କରିପାରିନାହିଁ । ଓଲଟି ଏହି ଲକ୍ ଡାଉନ୍ ସେମାନଙ୍କର ସଭ୍ୟତା ଓ ସଂସ୍କୃତିକୁ ପୁନର୍ସ୍ଥାପନା କରିବାରେ ଏକ ଆଶା ସଂଚାର କରିଛି ବୋଲି ସେମାନେ ବିଶ୍ୱାସ କରୁଛନ୍ତି । ଦକ୍ଷିଣ ଓଡ଼ିଶାର ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲା ମଧ୍ୟରେ ବ୍ୟାପ୍ତ ଥିବା ନିୟମଗିରି ପାହାଡ଼ରେ ରହୁଥିବା ଡଙ୍ଗରିଆ କନ୍ଧ ଓ ତାର ପାଦଦେଶରେ ରହୁଥିବା ତଳିଆ କନ୍ଧ ମାନଙ୍କ ଜୀବନକୁ, ଲକ୍ ଡାଉନ୍ ଦେଶର ଅବଶିଷ୍ଟ ଅଂଚଳକୁ ଯେପରି ଭାବେ ଦୟନୀୟ ଅବସ୍ଥା ଭିତରକୁ ଠେଲି ଦେଇଛି ସେପରି ଭାବେ ପ୍ରଭାବିତ କରିପାରିନାହିଁ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନୀୟ ଅର୍ଥନୀତି ଓ ଆତ୍ମନିର୍ଭରଶୀଳତା କଥା କହୁଥିବା ବେଳେ, ସେହି କନ୍ଧ ଆଦିବାସୀ ମାନେ ତାହାକୁ ଯୁଗ ଯୁଗ ଧରି କାମରେ ଲଗେଇ ଆସୁଛନ୍ତି ଓ ତା ଉପରେ ଜୀବନ ବଂଚୁଛନ୍ତି । ସେହି କନ୍ଧ ଆଦିବାସୀ ମାନେ ସ୍ଥାନୀୟତାର ଆଧାରରେ ଏକ ଆତ୍ମନିର୍ଭରଶୀଳ ବ୍ୟବସ୍ଥାରେ ପରଷ୍ପରଙ୍କ ସହଯୋଗରେ ଏକ ଗୋଷ୍ଠୀ ଭିତିକ ଜୀବନ ବଂଚୁଛନ୍ତି । ଯାହା ଆଜିର ସମୟରେ ଅନ୍ୟମାନଙ୍କ ପାଇଁ ଏକ ବତୀଘର ସଦୃଶ ।

ରାୟଗଡ଼ା ଜିଲ୍ଲାର ବିଷମ କଟକ ବ୍ଲକ୍‌ର ଟିକରପଡ଼ା ଗାଁ’ର ଜଣେ ବୟସ୍କ କନ୍ଧ ଆଦିବାସୀ ରାଡ଼ିକା କୁହେ ଯେ, ଦୀର୍ଘ ଏକ ମାସରୁ ଅଧିକ ହେଲାଣି ଲକ୍ ଡାଉନ୍ ହୋଇଛି । ହେଲେ ଆମର ବେଶୀ କିଛି ଅସୁବିଧା ହୋଇନି ।

ଅଧିକ ପଢନ୍ତୁ: କେବଳ ସ୍ୱାସ୍ଥ୍ୟ ସମସ୍ୟା ନୁହେଁ କରୋନା ଭୂତାଣୁ…

ଏହି ମାସେ ଭିତରେ ଆମକୁ କେବେ ବି ବଜାରକୁ ଯିବା ଭଳି ଆବଶ୍ୟକତା ପଡ଼ିନି । ଘରେ ଆମର ଅମଳ କରିଥିବା ମାଣ୍ଡିଆ, କୋଶଳା, କାଙ୍ଗୁ ଅଛି, ଦୁଇ ପ୍ରକାର ଧାନ ଅଛି, କାନ୍ଦୁଲ ଡାଲି ଅଛି ଏବଂ ଟୋଲ ତେଲ ଓ ରାଶି ତେଲ ବି ଅଛି । ଆମେ ଜଙ୍ଗଲରୁ ବରଡ଼ା ଶାଗ, ଗନ୍ଦିରି ଶାଗ, କନ୍ଦା, ବିଭିନ୍ନ ପ୍ରକାର କୋଳି ଓ ଫଳ ଆଦି ସଂଗ୍ରହ କରୁଛୁ ଓ ଖାଉଛୁ । ମୁଁ ଭାରି ଖୁସି ଯେ, ଏବେ ମୋ ପିଲାମାନେ ଅଯଥାରେ ସେ କୁର୍‌କୁରେ ଓ ମାଗି ଦିଗରେ ମନ ନବଳେଇ ଆମ ଆଦିବାସୀ ଖାଦ୍ୟ ବ୍ୟବସ୍ଥାର ସ୍ୱାତନ୍ତ୍ର‌୍ୟତାକୁ ଅନୁଭବ କରିପାରୁଛନ୍ତି । କେବଳ ଏଇ କରୋନା ଲକ୍ ଡାଉନ୍ କ’ଣ, ବନ୍ୟା, ବାତ୍ୟା, ମରୁଡ଼ି ହେଲେ ବି ଆମର ସବୁ ଫସଲ ନଷ୍ଟ ହୋଇଯାଏ ନାହିଁ । କାରଣ ଆମେ ବିଭିନ୍ନ ପ୍ରକାର ଫସଲ ଯଥା ଶସ୍ୟ ଜାତୀୟ, ଡାଲି ଜାତୀୟ, ତୈଳ ବୀଜ, କନ୍ଦା, ପନିପରିବା ଆଦି ଏକାଧିକ କିସମର ଚାଷ କରିଥାଉ । ଗୋଟିଏ ନଷ୍ଟ ହେଲେ ଆଉ ଗୋଟିଏ ଅମଳ ହୋଇଯାଏ । ଯଦି ବି ଏମିତି କିଛି ପ୍ରାକୃତିକ ବିପର୍ଯ୍ୟୟରେ ସବୁକିଛି ନଷ୍ଟ ହୋଇଯାଏ, ତଥାପି ଆମ ପାଖରେ ଆମ ଜଙ୍ଗଲ ଅଛି । ସେଠାରୁ ଆମେ ବଂଚି ରହିବା ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ପାଇଯାଉ । ତା’ଛଡ଼ା ଆଜ୍ଞା, ଆମ ଗୋଷ୍ଠୀରେ ଆମେ କାହାକୁ ବି ଭୋକରେ ରହିବାକୁ ଦେଉନା । ଆମେ ସମସ୍ତେ ପରଷ୍ପରଙ୍କ ସହିତ ଆମ ଜିନିଷକୁ ବାଂଟିକୁଂଟି ଖାଉ । ସମସ୍ତଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରିବା ଆମ ଗୋଷ୍ଠୀର ଦାୟିତ୍ୱ ।

ପାଇକ ଡାକୁଲୁଗୁଡ଼ାର ଜଣେ ବୟସ୍କ କନ୍ଧ ମହିଳା ଆଲା ତୁଇକା କୁହନ୍ତି ଯେ, ଦୁଇ ମାସ ହେଲାଣି ଲକ୍ ଡାଉନ୍ ହେଲାଣି, ହେଲେ ଆମକୁ ଟିକେ ବି ଅସୁବିଧା ହୋଇନି । ଆମେ ବେଶ୍ ହସ ଖୁସିରେ ଅଛୁ । ଆମର ବଂଚିବା ପାଇଁ ସବୁକିିଛି ଆମ ଘରେ ଅଛି ଓ ଯାହା କିଛି ନାହିଁ ତାହା ଆମକୁ ଆମ ଜଙ୍ଗଲ ଦେଉଛି । ଆମେ ଏବେ ଆମ ଡଙ୍ଗର ଜମି କୋଡ଼ୁଛୁ । ଜୁନ୍ ମାସରେ ବିହନ ବୁଣିବୁ । କିନ୍ତୁ ଏହି ନୂଆ ରୋଗ କଥା ଶୁଣି ଆମେ ଟିକେ ଡରିଯାଇଛୁ । କିନ୍ତୁ ଆମେ ଜାଣିଛୁ ଯେ, ଲୋକମାନେ ପ୍ରକୃତି ମା’ ପ୍ରତି ବେଶୀ ଅନ୍ୟାୟ କଲେ ବୋଲି ଏମିତି ସବୁ ନୂଆ ରୋଗ ଆସୁଛି । ପଦା ଦେଶର (ବାହାର) ଲୋକମାନେ ତ ନିଜ ଭାଈକୁ ବି ଭଲ ଆଖିରେ ଦେଖୁନାହାନ୍ତି । ଜଣେ ସେଇ ପାଖରେ ଖାଇବାକୁ ପାଉନଥିବା ବେଳେ ଆଉ ଜଣେ କେତେ କ’ଣ ଖାଉଛି । ସେ ପୁଣି ପ୍ରକୃତି ମା’ କଥା ବୁଝିବ କେମିତି! ବାହାରର ଲୋକମାନଙ୍କର ଲୋଭ ଓ ସମ୍ପତି ଏକାଠି କରିବାର ମନୋବୃତି ପ୍ରତି ଇଙ୍ଗିତ କରି କହୁଥିଲା ଆଲା । ଶୁଆ ହିକୋକା କୁହେ ଯେ, ଆମେ ପ୍ରକୃତି ମା’କୁ କେତେ କଷ୍ଟ ଦେଉଛୁ ବୋଲି ତାର ଫଳ ଭୋଗୁଛୁ । ଏ କରୋନା ବେମାରୀ ହିଁ ତା’ରି ଫଳ । ଆମର ଯେତିକି ଦରକାର ତା’ଠାରୁ ଅଧିକ ପ୍ରକୃତି ମା’ ଠାରୁ ଶୋଷୁଛୁ । ଦୀର୍ଘ ଦିନ ଧରି ଆମେ ପ୍ରକୃତିକୁ ଧ୍ୱଂସ କରି ଚାଲିଛୁ । ମୁଁ ଭାବୁଛି, ଏହି ଲକ୍ ଡାଉନ୍ ସେଇ ପଦା ଦେଶର ଲୋକମାନଙ୍କୁ ଓ ଆମ କନ୍ଧ ଭେଣ୍ଡିଆ ମାନଙ୍କୁ (ଯେଉଁମାନେ ସେହି ସହରୀ ସଭ୍ୟତା ଦିଗରେ ମନ ବଳାଉଛନ୍ତି) ବି ଟିକେ ଭାବିବା ପାଇଁ ସୁଯୋଗ ଦେବ । ଆଲା ତୁଇକା ଆହୁରି କୁହେ ଯେ, କେବଳ ଗୋଟିଏ ଅସୁବିଧା ହେଉଛି, ଲକ୍ ଡାଉନ୍ ଯୋଗୁ ଆମ ପଡ଼ିଶା ଗାଁ’ର ଲୋକମାନେ ଆମ ଗାଁ’କୁ ଆସିପାରୁନାହାନ୍ତି । ଆମେ ଆମ ପଡ଼ୋଶୀ ଗାଁ’ର ଲୋକମାନଙ୍କ ସହିତ, ଯେଉଁମାନେ କି ଆମ ଗୋଷ୍ଠୀର ଗୋଟିଏ ଅଂଶ, ତାଙ୍କ ସହିତ କଥାବାର୍ତା କରିପାରୁନୁ । ଏବେ ଆମର ବାହାତୋଳା କରିବାର ସମୟ । ବର୍ଷର ବାକି ସବୁ ସମୟରେ ଚାଷ କାମ ଥାଏ ବୋଲି ଏହି ସମୟରେ ଆମର ସବୁ ବାହାଘର ହୁଏ । ବନ୍ଧୁ ପରିଜନ ମାନେ ଆସନ୍ତି । ଆମେ ଦୁଃଖ ସୁଖ ହେଉ ଓ ବାହାଘର କାମ ବି ହୁଏ । ଏ ଲକ୍ ଡାଉନ୍ ଯୋଗୁ ଆମର ସେସବୁ ଏବେ ବନ୍ଦ ହୋଇଯାଇଛି । ରାଡିକା ପୁଣି କୁହେ ଯେ, ଏ ଲକ୍ ଡାଉନ୍ ଲୋକମାନଙ୍କୁ ଏକୁଟିଆ କରିଦେଇଛି । ଆମ ସମାଜରେ ଆମେ ସକାଳୁ ସଂଜ ଯାଏ ସବୁବେଳେ ମିଳିମିଶି ବଂଚୁ । ସକାଳୁ ସଲପ ପିଇବା ଠୁ ଆରମ୍ଭ କରି, ଜଙ୍ଗଲ ଯିବା, ଜାଳେଣୀ କାଠ ସଂଗ୍ରହ କରିବା, ଗୋରୁ ଚରେଇବା, ଚାଷ ପାଇଁ ଜମି ସଜାଡ଼ିବା ଆଦି ସବୁକାମ ଆମେ ମିଳିମିଶି କରୁ । ହେଲେ ଏ ଲକ୍ ଡାଉନ୍ ପାଇଁ ସେସବୁ ଟିକେ ଅସୁବିଧା ହୋଇଯାଇଛି ।

ଲକ୍ ଡାଉନ୍ ପାଇଁ ଏ ବର୍ଷ ଆମେ ବିହନ ପରବ ବି ଭଲରେ କରିପାରିଲୁ ନାହିଁ । ପ୍ରତି ବର୍ଷ ଆମେ ଏକାଠି ନାଚଗୀତ କରି ଓ ଶିକାର କରି ବିହନ ପରବ ପାଳୁ । କିନ୍ତୁ ଏ ବର୍ଷ ଲକ୍ ଡାଉନ୍ ପାଇଁ କେବଳ ବେଜୁଣୀ, ଜାନି, ଦିଶାରୀ ଜଙ୍ଗଲକୁ ଯାଇ ପୁରା ଗାଁ’ ପାଇଁ ବିହନ ପରବ ପାଳିଲେ । ବିହନ ପରବରେ ଆମେ ଧରତୀ ମା’କୁ ପୂଜା କରୁ । ଯଦି ଆମେ ଧରତୀ ମା’କୁ ପୂଜା ନକରିବୁ ତାକୁ କିପରି ଫସଲ ପାଇଁ କହିପାରିବୁ? ଦୁଃଖର ସହିତ ରାଡ଼ିକା କହୁଥିଲା । ସେ ଆହୁରି କୁହେ ଯେ, ଯାହା କେହି କରିପାରିନଥିଲେ, ଏ କରୋନା ବେମାରୀ ଓ ଲକ୍ ଡାଉନ୍ ତାହା କରିଦେଇଛି । ଆମ ଛୁଆ ମାନେ ଯେଉଁମାନଙ୍କ ମନ ଟିକିଏ ଏପଟ ସେପଟ ହେଉଥିଲା, ସେମାନେ ଏବେ ଅନୁଭବ କରିବାକୁ ଆରମ୍ଭ କରୁଛନ୍ତି ଯେ, ବଜାର ଧୋକା ଦେଇପାରେ କିନ୍ତୁ ଆମ ଜଙ୍ଗଲ କେବେ ଧୋକା ଦେବନି । ଏବେ ଆମ ଗାଁ’ର ଭେଣ୍ଡିଆ ମାନେ ଜଙ୍ଗଲକୁ ଯିବା ଆରମ୍ଭ କଲେଣି ଓ ଆମ ସଭ୍ୟତା ସଂସ୍କୃତିର ମହତ୍ୱକୁ ଅନୁଭବ କଲେଣି । ଏବେ ସେମାନଙ୍କର ଜଙ୍ଗଲ ସହିତ ଗୋଟେ ଭଲ ସଂପର୍କ ହେବା ଆରମ୍ଭ ହେଲାଣି । ସେମାନେ ଆମ ଚିରସ୍ଥାୟୀ ବ୍ୟବସ୍ଥାକୁ ବୁଝିବା ଆମ ସମାଜ ପାଇଁ ବହୁତ ଭଲ । ଆମ ପରେ ସେମାନେ ଏହି ସମାଜର ଦାୟିତ୍ୱ ନେବେ ।

କେବଳ ଆଲା, ରାଡ଼ିକା କି ଶୁଆ ମାନଙ୍କର କଥା ଇଏ ନୁହେଁ । ପ୍ରତ୍ୟେକ ଆଦିବାସୀ ଗାଁ’ ଯେଉଁଠି ବାହାରର ସଂସ୍କୃତି ପଶିପାରି ନାହିଁ, ସମସ୍ତଙ୍କର ମନର କଥା ଇଏ । ଆଜି ଲକ୍ ଡାଉନ୍ ସମୟରେ ପୁଣି ଥରେ ପ୍ରମାଣିତ ହୋଇଗଲା, ଆମ ପାଖରେ ଆମ ଆଦିବାସୀ ଭାଈ ଭଉଣୀ ମାନଙ୍କର ଏମିତି ଏକ ବ୍ୟବସ୍ଥା ଅଛି, ଯାହା ଆଜିର ଆତ୍ମଘାତୀ ବଜାରବାଦୀ ବ୍ୟବସ୍ଥାର ଏକ ବିକଳ୍ପ ହୋଇପାରିବ ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮
ମୋ- ୯୪୩୮୪୬୮୪୭୪

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।