ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ…
ଯେତେବେଳେ କେହି ବିରୋଧୀ ନ ଥାଆନ୍ତି ଓ ମହାମାରୀର ଭୟରେ କେହି କିଛି କହିବାକୁ ପ୍ରସ୍ତୁତ ନ ଥାଆନ୍ତି, ସେତେବେଳେ ଯାହା ଇଚ୍ଛା କରିହୁଏ । ଯେମିତି ବାଗରେ ଇଚ୍ଛା ନିଷ୍ପତ୍ତି ନେଇହୁଏ । ଯେମିତି ଢଙ୍ଗରେ ଲୋକଙ୍କୁ କଲବଲ କରିହୁଏ । ଯେମିତି ଢଙ୍ଗରେ ଲୋକଙ୍କୁ ପୋକମାଛି ପରି ବ୍ୟବହାର କରିହୁଏ ।
ଯେତେବେଳେ କରୋନା ସଂକ୍ରମଣ ଖୁବ କମ ଥିଲା ଓ ଗୋଷ୍ଠୀ ସଂକ୍ରମଣ କଥା ଆଦୌ ଉଠି ନଥିଲା, ସେତେବେଳେ ସବୁକିଛି ବନ୍ଦ କରି ଦିଆଗଲା । ଆଗ ଆସିଲା ‘ଜନତା କର୍ଫ୍ୟୁ । ତା’ପରକୁ ପର ଦେଖାସିଖା ରାଜ୍ୟ ସରକାର ଗୋଟେ ପରେ ଗୋଟେ ସହର ଲକଡାଉନ ଆରମ୍ଭ କଲେ । ପରେ କେନ୍ଦ୍ର ସରକାର ଅଚାନକ କେଇ ଘଣ୍ଟାର ମହଲତ ଦେଇ ସାରା ଦେଶରେ ଲକଡାଉନ ଘୋଷଣା କଲେ । କେଇ ଘଣ୍ଟା ଭିତରେ ଦେଶ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଗଲା । ନିରବ ହୋଇଗଲା । କେହି ପ୍ରତିବାଦ କଲେନି କି ପାଟି ଫିଟେଇଲେ ନାହିଁ । କାରଣ- ମହାମାରୀ ମାଡ଼ି ଆସୁଛି ବୋଲି ଜୋରଦାର ପ୍ରଚାର ହେଲା । ଜନସଂଖ୍ୟା ସମୂଳେ ନାଶ ହୋଇଯିବା ଭୟରେ ଯେତେବେଳେ ଯେମିତି ସରକାର କହିଛନ୍ତି, ସମସ୍ତେ ମାନି ଆସିଛନ୍ତି । ବାରମ୍ବାର ନିୟମ ବଦଳା ଯାଇଛି । ବାରମ୍ବାର ନୂଆ ବିଜ୍ଞପ୍ତି ପ୍ରକାଶ ପାଇଛି । ଲୋକେ ସେସବୁ ଗ୍ରହଣ କରିଛନ୍ତି । ଦେଶ କଥା ଚିନ୍ତା କରି ଦିନେ ବି ପ୍ରତିବାଦ କରି ନାହାନ୍ତି ।
ଅଧିକ ପଢନ୍ତୁ: ଚୁପ୍ ରୁହ…
ସେମିତି ଯେବେଠାରୁ ଲକଡାଉନ ଆରମ୍ଭ ହେଲା- ପୁଲିସ ଲୋକଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଛି । ଅନେକ ସମୟରେ ଏହା ଦେଖା ଯାଇଛି, ପୁଲିସକୁ ଯେତେବେଳେ କ୍ଷମତା ଦିଆଯାଇଛି- ପୁଲିସ ତାହାର ଯଥେଷ୍ଟ ଅପବ୍ୟହାର କରିଛି । ନିରୀହ, ଗରିବ, ମଣିଷଙ୍କ ପ୍ରତି ପୁଲିସ ବଡ଼ ଜୁଲୁମ କରିଛି । ବାଇକ୍ ଭାଙ୍ଗିଛି । ପିଟିଛି, ମାରିଛି ।
ଏହାଠାରୁ ବଡ଼ କଥା ହେଉଛି- ଲକ୍ଷ ଲକ୍ଷ ଭାରତୀୟ ଗଲା ମାର୍ଚ୍ଚ ମାସ ଶେଷ ସପ୍ତାହରୁ ଭାରତର ରାଜରାସ୍ତାରେ ଚାଲିଛନ୍ତି ଯେ ଚାଲିଛନ୍ତି । ତାଙ୍କର ଧାଡ଼ି ସରୁନାହିଁ । କେବେ ସେମାନେ ନିଜ ଭିଟାମାଟିରେ ପହଞ୍ଚିବେ କି ପହଞ୍ଚି ପାରିବେ ନାହିଁ- ତାହା କେହି କହି ପାରିବେ ନାହିଁ । ସେମାନଙ୍କ ଗୋଇଠି ଫାଟିଛି, ଗୋଡ଼ ଫୁଟୁକା ହୋଇଛି । କିନ୍ତୁ ହଜାର ହଜାର କିଲୋମିଟର ଧରି ସେମାନେ ନିରବରେ ଚାଲିଛନ୍ତି । ପ୍ରତିବାଦ କରି ନାହାନ୍ତି । ଅବଶ୍ୟ ଅନେକ ଜାଗାରେ ଶ୍ରମିକମାନେ ଅଳ୍ପ କିଛି ପ୍ରତିବାଦ କରିଛନ୍ତି । ଯେମିତି- ମୁମ୍ବାଇ ଓ ସୁରତ । କିନ୍ତୁ କରୋନା ସମୟରେ କଡ଼ା ଆଇନ ଡରରେ ସେମାନେ ଏକାଠି ହୋଇ ପ୍ରତିବାଦ କରିବାର ସାହାସ ଜୁଟାଇ ପାରି ନାହାନ୍ତି । ତେଣୁ ଯେତେ କଷ୍ଟ ଓ ଯନ୍ତ୍ରଣା ଆସିଲେ ବି ସେମାନେ ତାକୁ ବରଂ ଆପଣେଇ ନେଇଛନ୍ତି । ଟଙ୍କା ନାହିଁ, ଖାଦ୍ୟ ନାହିଁ, କୋଉଠି ପକେଟ ବିସ୍କୁଟ ମିଳିଛ. କୋଉଠି ଦିନ ଦିନ ଧରି ଖାଇବାକୁ ମିଳିନାହିଁ- କିନ୍ତୁ ସବୁ ଭିତରେ ଆଉ ପ୍ରତିବାଦ ନକରି ସେମାନେ ବାଟ ଚାଲିଛନ୍ତି ନିଜ ଜନ୍ମମାଟି ଆଡ଼େ । ପୁଣି କ୍ରମଶଃ ପଙ୍ଗୁ ହୋଇ ଯାଇଥିବା ଶ୍ରମିକ ସଙ୍ଗଠନ ଗୁଡ଼ିକ ଏ ଦିଗରେ ପଦେ ବି ବିଶେଷ କିଛି କହି ନାହାନ୍ତି । ଧୀରେ ଧୀରେ ଦେଶରେ ଶ୍ରମିକ ସଙ୍ଗଠନ ଗୁଡ଼ିକ ମୃତ ଅବସ୍ଥାକୁ ଆସି ସାରିଛନ୍ତି । ତେଣୁ ଦାଦନ ଶ୍ରମିକଙ୍କ ସହ ଯାହା, ଯେତେ ଓ ଯୋଉ ପରିମାଣର ନିର୍ୟାତନା ଘଟିଲେ ବି କେହି ଆଉ ପ୍ରତିବାଦ କରୁ ନାହାନ୍ତି ।
ଅଧିକ ପଢନ୍ତୁ: ଦାଦନ ଦୁଃଖ
ମହାରାଷ୍ଟ୍ରର ଔରଙ୍ଗାବାଦରେ ପୁଲିସ ଡରରେ ରେଳ ଧାରଣାରେ ଲୁଚି ଶୋଇଥିବା ଲୋକଙ୍କ ଉପରେ ରେଳ ଚଢି ଚାଲିଗଲା । ୧୬ ଜଣ ମରିଗଲେ । ଉତ୍ତର ପ୍ରଦେଶରେ ଏକ ଦୁର୍ଘଟଣାରେ ୨୧ ଜଣ ମରିଗଲେ । ଶ୍ରମିକମାନଙ୍କୁ ତାଙ୍କୁ ଇଲାକାକୁ ଫେରେଇ ନେବା କାମ ମଇ ମାସ ପ୍ରଥମ ସପ୍ତାହରେ ଆରମ୍ଭ ହେଲା । କିନ୍ତୁ କୋଟି କୋଟି ଦାଦନଙ୍କ ତୁଳନାରେ ଯେତିକି ଟ୍ରେନ ଚାଲିଲା, ସେଗୁଡ଼ିକର ସଂଖ୍ୟା ଥିଲା ନଗଣ୍ୟ । ପୁଣି ଇଆଡ଼େ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକର ସରକାରଙ୍କ ଉପରେ ଚାପ ବଢିଲା । ବଡ଼ ବଡ଼ ଶିଳ୍ପପତିଙ୍କ ଚାପ ଆଗରେ ପଡ଼ି ସରକାର ଉତ୍ପାଦନ ଓ କଳା କାରଖାନା କଥା ବେଶି ଚିନ୍ତା କଲେ । ଓଡ଼ିଶା ପରି ରାଜ୍ୟରେ ଶ୍ରମିକଙ୍କ କାମ ସମୟ ୮ ଘଣ୍ଟାରୁ ୧୨ ଘଣ୍ଟାକୁ ବଢେଇ ଦିଆଗଲା । ଫଳରେ ସେ ଚାପ ଆଗରେ ଆହୁରି ଛୋଟ ହୋଇଗଲେ ଶ୍ରମିକମାନେ । ବିଲଡରଙ୍କ ଚାପରେ ପଡ଼ି କର୍ଣ୍ଣାଟକ ସରକାର ତାଙ୍କ ରାଜ୍ୟରେ ଥିବା ଦାଦନଙ୍କୁ ଛାଡ଼ିବା ପାଇଁ ରାଜି ହେଲେନି । କେଡ଼େ ବଡ଼ ଅମାନବିକ ଘଟଣା ଇଏ?
କେନ୍ଦ୍ର ସରକାର ବି ଶ୍ରମିକମାନଙ୍କୁ ନେଇ ଅନେକ ମାର୍ଗଦର୍ଶିକା ଜାରି କରିଛନ୍ତି । କିନ୍ତୁ ସେସବୁ ଦ୍ୱନ୍ଦ୍ୱ ଦୂର କରିବା ପରିବର୍ତ୍ତେ ବଢେଇ ଦେଇଛି ।
ସେହିପରି ଦେଶ ବାହାରେ ରହୁଥିବା ଲୋକମାନଙ୍କୁ ଫେରେଇ ଆଣିବା ପାଇଁ କେନ୍ଦ୍ର ସରକାର ‘ବନ୍ଦେ ଭାରତ ମିଶନ’ ଆରମ୍ଭ କଲେ । ଏଥିପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ଏକ ଟାସ୍କଫୋର୍ସ ପରି ଟିମ କାମ କଲା । କିନ୍ତୁ ନିଜ ଦେଶ ଭିତରେ ଦେଶ ତିଆରି କରୁଥିବା ଦାଦନ ଶ୍ରମିକଙ୍କ ପାଇଁ ସେପରି କୌଣସି ବ୍ୟବସ୍ଥା ହେଲାନାହିଁ । ଶ୍ରମିକମାନେ ନିଜେ ଭଡ଼ା କରି ବସରେ ଫେରିଛନ୍ତି କିମ୍ବା ଚାଲି ଚାଲି ଅଥବା ସାଇକେଲରେ କି ନିଜ ହାତ ତିଆରି ଟ୍ରଲିରେ ନିଜ ପରିବାରକୁ ବୋହି ରାସ୍ତାରେ ଚାଲିଛନ୍ତି ।
ଅଧିକ ପଢନ୍ତୁ: ରୂପ, ଭେକ ସବୁ ବଦଳିବ…
ସେଇଲାଗି ସାମାଜିକ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ- ଯେଉଁମାନେ ଦେଶ ତିଆରି କଲେ, ସେମାନେ ଖାଲି ପାଦରେ ଗୋଇଠି ଫଟେଇ ଚାଲିଲେ । ଆଉ ଯୋଉମାନେ ଦେଶ ଛାଡ଼ି ବାହାରେ ରହିଲେ, ସେମାନଙ୍କୁ ସରକାର ଉଡ଼ାହାଜାଜରେ ଫେରେଇ ଆଣିଲେ । ସେମାନଙ୍କ ପାଇଁ ‘ବନ୍ଦେ ଭାରତ ମିଶନ’ ଆରମ୍ଭ ହେଲା । କିନ୍ତୁ ଏମିତି କୌଣସି ବ୍ୟବସ୍ଥା ଦାଦନମାନଙ୍କ ପାଇଁ କରାଗଲା ନାହିଁ । ଦେଶରେ ସବୁଠାରୁ ଅଦୃଶ୍ୟ ଆଉ ସବୁଠାରୁ ବଡ଼ କାମକରା ଗୋଷ୍ଠୀ ହେଉଛନ୍ତି ଦାଦନ ଶ୍ରମିକ । କିନ୍ତୁ ଯେହେତୁ ସେମାନେ ଅଦୃଶ୍ୟ ଆଉ ଯେହେତୁ ଆଜିକାଲି ଶ୍ରମିକ ସଙ୍ଗଠନ ଗୁଡ଼ିକର କୌଣସି ଅସ୍ତିତ୍ୱ ନାହିଁ, ତେଣୁ ସେମାନଙ୍କ କଥା କେହି ଦେଖେ ନାହିଁ । ଖାତିର ବି କରନ୍ତି ନାହିଁ ।
କିନ୍ତୁ ଏବେ ସରକାର ସବୁକିଛି ଅଚାନକ ଖୋଲିଦେଲେ । କିନ୍ତୁ ଦେଖନ୍ତୁ- କେମିତି ଖୋଲିଲେ । କେମିତି ଚାଲାକି କଲେ । ଯେବେ ରେଳରେ ଲୋକେ ଲଦି ହୋଇ ଆସିଲେ- ସେ ସମୟରେ ସଂଗରୋଧ ସମ ୧୪ ଦିନରୁ ବଢେଇ ୨୮ ଦିନ ପର୍ୟ୍ୟନ୍ତ କରିଦେଲେ । କିନ୍ତୁ ଯେବେଠୁ ଉଡ଼ାଜାହାଜ ଚାଲିଲା- କହିଲେ ଘରୋଇ ସଂଗରୋଧରେ ରହିଲେ ବି ଚଳିବ । ମଦ ଅନଲାଇନରେ ମିଳିଲା । କିନ୍ତୁ ଚାହା ଦୋକାନୀ ଚାହା ବିକି ପାରିଲା ନାହିଁ । ବସରେ ଲୋକ ଭର୍ତ୍ତି ହୋଇଯିବେ । ବସ ମାଲିକଙ୍କ ଦାବି ଆଗରେ ସରକାର ମୁଣ୍ଡ ନୁଆଁଇବା ପ୍ରାୟ ଥୟ । ଗୋଟେ ବସୟରେ ୬୦ ଜଣ ଯିବେ । କିନ୍ତୁ ଅଟୋରେ ଜଣେ । ପୁଣି ଏଡ଼ିକି ବକୁଟେ ବସରେ ୬୦ ଜଣ ଯିବେ, ଅଥଚ ସ୍କୁଲର ବଡ଼ ରୁମ ଖୋଲିବ ନାହିଁ କି କ୍ଲାସ ହେବ ନାହିଁ । ଏ ବର୍ଷର ଶିକ୍ଷାବର୍ଷ କୁଆଡ଼େ ଯିବ, କେହି ତାର ପତ୍ତା ପାଉ ନାହାନ୍ତି । ଅଟୋରେ ଜଣେ ଯିବେ କିନ୍ତୁ କାରରେ ଦୁଇ ଜଣ ଯିବେ । ସାବିତ୍ରୀ ବ୍ରତରେ ସବୁ ମନ୍ଦିର ଆଗରେ ୧୪୪ ଧାରା ଜାରି କରିଦେଲେ, କିନ୍ତୁ ପୁରୀରେ ମହାପ୍ରସାଦ ପାଇବା ପାଇଁ ହଜାର ହଜାର ଜମା ହେଲେ । ପାନ ବିକଲେ କରୋନା ହୋଇଯିବ । କିନ୍ତୁ ମଦର ହୋମ ଡେଲିଭରି ହେଲେ ହେବନାହିଁ । ଏମିତି ହଜାରେ ତୋଗଲକି ନିୟମ ।
ଆମର ନେତା ଓ ମନ୍ତ୍ରୀମାନେ କୁଆଡ଼େ ଯାଇଛନ୍ତି, ତାର ପତ୍ତା ନାହିଁ । କରୋନା ସମୟରେ ଥରେ ଦି’ଥର ସ୍ୱାସ୍ଥ୍ୟମନ୍ତ୍ରୀ ପଦାକୁ ଆସିଥିଲେ । ତାପରେ ଆଉ ତାଙ୍କର ଦେଖା ନାହିଁ । ବାକି ମନ୍ତ୍ରୀମାନଙ୍କୁ କେହି ଦେଖି ନାହାନ୍ତି । ବିଧାୟକ ବି ଦେଖା ଯାଇ ନାହାନ୍ତି । ଶ୍ରମିକ ସଙ୍ଗଠନ ମାନେ ଗାଏବ । ନେତା ଗାଏବ । ଜନ ପ୍ରତିନିଧି ଗାଏବ । ଯିଏ ଆଗ ଧାଡ଼ିରେ ପ୍ରତିବାଦ କରିବ, ସିଏ ଗାଏବ । ତେଣୁ ଗଲା ତିନି ମାସ ହେଲା ଭୋକ ଉପାସରେ ପଡ଼ି ଛଟପଟ ହେଉଥିବା ମଣିଷଟାର କି ଆଉ ବଳ ଅଛି ପଦୁଟେ କହିବାକୁ?
ଇମେଲ୍: jpm.iimc@gmail.com
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।
Comments are closed.