ଚୁପ୍‍ ରୁହ…

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ…

ଚୁପ୍‍ ରୁହ । ବାସ୍‍, ଚୁପ୍‍ ରହୁ । ମୁହଁ ଖୋଲନି କି କିଛି କୁହନି । କିଛି କହିବାର ଅଧିକାର ହିଁ ନାହିଁ । ସମ୍ବିଧାନ କି ବାକି ଅନୁସାରେ ମିଳିଥିବା ଅଧିକାର କଥା ତ ଆଦୌ କୁହନି ।

ଏବେ ଏଇମିତି ଅସମ୍ଭବ ପ୍ରକାର ପରିସ୍ଥିତି ଦେଇ ଆମେ ଯାଉଛୁ । ଯଦି ଦେଶର ସରକାରଙ୍କୁ ସମାଲୋଚନା କଲୁ, ତ ଆମେ ଦେଶଦ୍ରୋହୀ । ଏ ଦେଶଦ୍ରୋହୀ ଶବ୍ଦର ପୟୋଗ ଆଗରୁ ଏତେ ନଥିଲା । ବା ଆଦୌ ନଥିଲା କହିଲେ ବି ଠିକ ହେବ । କିନ୍ତୁ ଏବେ ପ୍ର୍ରତି ଛୋଟ ଛୋଟ କଥାରେ ଅନ୍ୟ ଜଣେ ଭାରତୀୟ ଦେଶଦ୍ରୋହୀ ପାଲଟି ପାଉଛି କିମ୍ବା ପାକିସ୍ତାନୀ ବୋଲି ତାକୁ ଆଉ ଜଣେ ଭାରତୀୟ ଗର୍ବରେ ଘୋଷଣା କରି ଦେଉଛି ।
ସେମିତି ରାଜ୍ୟ ସରକାରଙ୍କୁ ଯଦି କେବେ କୌଣସି କାମ ନେଇ କିଛି କହିଲ- ତେବେ କହିବେ ତମେ ଅମୁକ ଦଳର ଲୋକ । ସେଲାଗି ପରା ଏ ପ୍ରକାର ବାର କଥା କହୁଛ । କି କଣ କୋଉ ଦଳର ଲୋକ ନ ହୋଇ ମୁଁ କିଛି କହି ପାରିବି ନାହିଁ? ‘ମୁଁ ବୋଲି ପୁଣି ମୋର କିଛି ଅଛି ନା ନାହିଁ? ନା ସବୁ ଖାଲି ଦଳର, ଧର୍ମର, ଜାତିର ଓ ସେଇ ପ୍ରକାର ବିଭେଦ ସୃଷ୍ଟିକାରୀ ଗୋଷ୍ଠୀର?

ଅଫିସରେ କିଛି କହିଲେ- କହିବେ ସୁବିଧାବାଦୀ । ହୁଏତ- ଏମିତି ନିଶ୍ଚିତ ହୋଇଥିବ କେତେବେଳେ କେମିତି କିଏ କୋଉଠି ଟିକିଏ ସୁବିଧା ଅଫିସରେ ନେଇଥିବେ । ସମସ୍ତେ ନିଅନ୍ତି । ଏତେ ଆଦର୍ଶବାଦୀ ମଣିଷଟେ ତ ମିଳିବା ମୁସ୍କିଲ, ଯିଏ କେବେ ହେଲେ ସୁବିଧା ନ ନେଇଥିବ । ତେଣୁ ସେକଥା ତୁମକୁ ମନେ ପକେଇ ନେଇ କହିବେ- ସୁବିଧାବାଦୀ ଦେଖ ହୋ! କେତେ ଭାଷଣ ମାରୁଛି ।

 ଅଧିକ ପଢନ୍ତୁ: ଦାଦନ ଦୁଃଖ…

ସଂପର୍କ ଭିତରେ, ଭାଇକୁ, ପରିବାରରେ ବା ଯାହାକୁ ତୁମେ ବହୁତ ଭଲ ପାଅ (ପ୍ରେମିକା ଇତ୍ୟାଦି ମାମଲାକୁ ଯାଆନ୍ତୁ ନାହିଁ) ତାକୁ ବି କିଛି କହିବ ନାହିଁ । ଯଦି କହିଲ- ତାକୁ ଦେଇଥିବା ସମସ୍ତ ଶୁଭେଚ୍ଛା, ସମସ୍ତ ପ୍ରଶଂସା, ସମସ୍ତ ଭଲ ପାଇବା ସିଏ ଭୁଲି ଯାଇଥିବ । ବରଂ କୋଉଦିନ କୋଉ ପ୍ରସଙ୍ଗରେ ତମେ ତାକୁ ଟିକିଏ ଗାଳି ଦେଇଥିଲ, ତାକୁ ସିଏ ମନେ ରଖିଥିବ । ଆଉ ତାକୁ ହିଁ ସମାଲୋଚନା ଭାବେ ବ୍ୟବହାର କରି ତୁମକୁ କହିବ- ତୁ ପରମ ସ୍ୱାର୍ଥପର ।

ଦେଶରେ ମୁହଁ ଖୋଲିବା ମନା । ଅଫିସରେ ମୁହଁ ଖୋଲିବା ମନା । ପ୍ରିୟ ଜନ ପାଖେ ବି କିଛି କହିବା ମନା ।
ସମସ୍ତେ ଚାହାଁନ୍ତି ତମେ ଚୁପ ହୋଇଯାଅ । କିଛି କୁହନାହିଁ । ନିରବରେ ସବୁ ଦେଖ । ସେଇ ଆର୍‍.କେ ଲକ୍ଷ୍ମଣଙ୍କ ‘କମନମ୍ୟାନ’ ପରି । ଛିଡ଼ା ହୁଅ । ଦେଖ- ହେଲେ ମୁହଁ ଖୋଲନି । ମୁହଁ ଖୋଲିଲେ ତୁମକୁ ପଚାଶ କଥା କହି ତଳୁଆ ଦେଖେଇବା ପାଇଁ ତାଙ୍କ ପାଖେ ଉଦାହରଣର ଅଭାବ ନଥିବ ।
ସାମାଜିକ ଭାବେ ଆମେ ଏମିତି କାହିଁକି ହେଉଛୁ? ସମସ୍ୟା କଣ ? ଆମେ କାହିଁକି କାହାର ସମାଲୋଚନା ଗ୍ରହଣ କରି ପାରୁନୁ? ଆମ ଖବରକାଗଜ ପୃଷ୍ଠାରୁ କାର୍ଟୁନ କାହିଁକି ଉଭେଇ ଯାଉଛି? କାର୍ଟୁନିଷ୍ଟମାନଙ୍କୁ ଦେଶର ବିଭିନ୍ନ ପ୍ରାନ୍ତରରେ କଣ ପାଇଁ ବେଳେବେଳେ ଗିରଫ ବି କରି ନିଆଯାଉଛି? ସାମ୍ବାଦିକଙ୍କ ଉପରେ ଆକ୍ରମଣ କାହିଁକି ବଢୁଛି? ସାମାଜିକ ଗଣମାଧ୍ୟମରେ ‘ଟ୍ରୋଲିଂ’ କାହିଁକି ପ୍ରାଧାନ୍ୟ ପାଉଛି? ଦେଶରେ ପୁଣି ସାଇବର ଆର୍ମି ଗଠନ କରି ଛଦ୍ମନାମରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ମାରିବାକୁ ଧମକ ଦେବାକୁ ଆମେ ପଛାଉ ନାହୁଁ କାହିଁକି?

ଏହା ପଛର କାରଣ ହେଉଛି- କ୍ରମଶଃ ମଣିଷରୁ ଅମଣିଷ କି ପଶୁ ହେବା ଆଡ଼କୁ ଆମେ ଯାଉଛୁ । ଆମେ ମଣିଷପଣିଆର ଖୋଳପା ଫିଙ୍ଗି ଦେଇ ଏ ଧର୍ମର, ସେ ରାଜନୈତିକ ଦଳର, ଧମୁକ ଗୋଷ୍ଠୀର ରଂଗୀନ ଖୋଳପା ପିନ୍ଧି ବୁଲିବାକୁ ପସନ୍ଦ କରୁଛୁ ।

ଅଧିକ ପଢନ୍ତୁ: ସାମ୍ବାଦିକ କି ଅଲୋଡ଼ା ?

ମଣିଷ ଖୋଳପାର ଝାଳ ଗନ୍ଧ ଆମକୁ ଗନ୍ଧାଉଛି । ଆମକୁ ରଂଗୀନ ରାଜନୈତିକ ଦଳର ବାସ୍ନା ବେଶ ସୁହାଉଛି । ତେଣୁ- ଆମେ ସିଆଡ଼େ ଢଳୁଛୁ । ଆଗରୁ ଏକତା, ସଂହତି କଥା କହୁଥିବା ମଣିଷ ଏବେ ଧୃବୀକରଣର ଶିକାର ତା ଅଜାଣତରେ ହୋଇ ସାରିଛି । ଆଉ ସେ ତାର ପ୍ରୟୋଗ ଦେଶର ଛୋଟମୋଟ ଘଟଣାଠାରୁ ଆରମ୍ଭ କରି ନିଜ ପରିବାରରେ ବି ଆରମ୍ଭ କରିଛି ।

ତେଣୁ କିଏ କିଛି କହିଲେ ସେ ସହି ପାରୁନି । କେହି ପ୍ରତିବାଦ ନ କଲେ ସେ ଖୁସି ହେଉଛି । ଅନ୍ୟମାନେ ଚୁପ ରହିଲେ ସେ ଆରାମ ଅନୁଭବ କରୁଛି । ଆଉ ଡରି ଚୁପ ରହିଲେ, ସେ ଆହୁରି ଆନନ୍ଦ ପାଉଛି ।

ଇମେଲ୍‌: [email protected]

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।