Latest Odisha News

BREAKING NEWS

ରୂପ, ଭେକ ସବୁ ବଦଳିବ…

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ…

କରୋନା ପରବର୍ତ୍ତୀ ଜୀବନ କେମିତି ହେବ, ତାକୁ ନେଇ ଏବେ ଚାଲିଛି ଅନେକ ଆଲୋଚନା । ବହୁ ଲୋକ, ବହୁ ଗବେଷକ ଅନେକ ମତ ଦେଉଛନ୍ତି । ଜୀବନ ଏମିତି ହେବ, ଜୀବନ ସେମିତି ହେବ- ଏ ନେଇ ଚାଲିଛି ଯୁକ୍ତି । କରୋନାର ପ୍ରଭାବ ଯେ ଆଗାମୀ ଅନେକ ଦଶନ୍ଧି କି ଶତାବ୍ଦୀ ଧରି ଅନୁଭୂତ ହେବ, ଏଥିରେ ଆଦୌ ଦ୍ୱନ୍ଦ୍ୱ ନାହିଁ । ସମଗ୍ର ବିଶ୍ୱ ଯେଉଁ ଆତଙ୍କରେ ବଞ୍ଚୁଛି, ପ୍ରତି ମୁହୂର୍ତ୍ତରେ ବିଜ୍ଞାନ ଉପରେ ବଢି ବଢି ଯାଉଥିବା ବିଶ୍ୱାସ ଓ ପରକୁ ପର ପ୍ରାର୍ଥନା- ନିଶ୍ଚିତ ଭାବେ ଜଣେଇ ଦେଇଛି ଯେ ବିଶ୍ୱର ରୂପରେଖ ହୁଏତ ଆଉ ଏମିତି ନ ଥିବ କରୋନା ଏ ପୃଥିବାରୁ ଲିଭିଗଲା ପରେ । ସମୟ ଆସିବ ବିଶ୍ୱରୁ କରୋନା ଲୋପ ପାଇବ । କିନ୍ତୁ ତା’ପରେ କଣ ହେବ? କେମିତି ରହିବ ଏ ପୃଥିବୀର ଜ୍ୟାମିତି ଓ ଦେଶଗୁଡ଼ିକର ସ୍ଥିତି? ସେସବୁକୁ କେତୋଟି ପଏଣ୍ଟରେ ଆଲୋଚନା କରାଯାଇପାରେ ।

ନୂତନ ଦେଶପ୍ରେମ:

ପୂର୍ବରୁ ଆମେ କେବଳ ସେନା ବାହିନୀର ମଣିଷମାନଙ୍କୁ ଅନେକ ସମ୍ମାନ ଦେଉଥିଲୁ । ସେମାନେ ସୀମାରେ ଆମକୁ ଜଗିଛନ୍ତି ବୋଲି ଆମେ ନିରାପଦ ଅଛୁ ବୋଲି କୋଟି କୋଟି ଥର ଦୋହରାଇଛୁ । କିନ୍ତୁ କରୋନା ଭାଇରସକୁ ତ ଆଉ ଗୋଟେ କ୍ଷେପଣାସ୍ତ୍ର ମାରି ନିପାତ କରି ହେବନାହିଁ । କରୋନା ଯୁଦ୍ଧରେ ଆଗୁଆ ଭୂମିନା ନିଭେଇଛନ୍ତି ଆମର ଡାକ୍ତର, ନର୍ସ, ପାରା ମେଡ଼ିକାଲ ଷ୍ଟାଫ୍‍, ମ୍ୟୁନିସିପାଲିଟିର ସଫେଇ କର୍ମଚାରୀ, ଦମକଳ ବାହିନୀ ଆଉ ପୁଣି ଲକଡାଉନକୁ ସୂଚାରୁ କରିବା ପାଇଁ ଦିନରାତି ଅକ୍ଳାନ୍ତ ପରିଶ୍ରମ କରିଛନ୍ତି ପୁଲିସ କର୍ମଚାରୀ । ଦେଖିବେ- ଧୀରେଧୀରେ ଏଇ ସଭିଙ୍କ ପାଇଁ ଆମ ସମ୍ମାନ ବହୁ ଗୁଣରେ ବଢିଯିବ । ଆମେ ହୁଏତ ଡାକ୍ତରମାନଙ୍କୁ ସମ୍ମାନ ଦେଇଛୁ । କିନ୍ତୁ ନର୍ସ, ମେଡ଼ିକାଲ ଷ୍ଟୋର କିପର, ଝାଡ଼ୁଦାରକୁ ସମ୍ମାନ ଦେଇନୁ । ଅଙ୍ଗନବାଡ଼ି ଦିଦି କି ଆଶା ଦିଦିକୁ ସମ୍ମାନ ଦେଇନୁ । କିନ୍ତୁ ଏ ମହାବିପତ୍ତି ସମୟରେ ତ ଏମାନେ ଆମକୁ ବଞ୍ଚେଇ ଆସିଛନ୍ତି । ତେଣୁ ସେମାନେ ଏବେ ହେବେ ଆଗୁଆ ଯୋଦ୍ଧା । ଦେଶପ୍ରେମୀ ଓ ଯୋଉମାନେ ଦେଶକୁ ଭୟାନକ ସମସ୍ୟାରୁ ରକ୍ଷା କରି ଆସିଛନ୍ତି, ସେଇ ତାଲିକାରେ ଏଣିକି ଏମାନେ ରହିବେ ଓ ସମ୍ମାନିତ ହେବେ ବାରବାର ।

ଏକତା ବଢିଯିବ:

ଦେଶରେ ସାଂପ୍ରଦାୟିକ ବିଭେଦ ବରାବର ଲାଗି ରହିଛି । କେବେ ଉତ୍ତର ପ୍ରଦେଶ ତ କେବେ ଆଉ କୋଉଠି ଏହା ଦେଖିବାକୁ ମିଳିଛି । କରୋନା ସମୟରେ ଏକଥା ଗଣମାଧ୍ୟମରେ କି ସାମାଜିକ ଗଣମାଧ୍ୟମରେ ଆସିଛି । କିନ୍ତୁ ପରେ ପରେ ସମସ୍ତେ ଉପଲବ୍ଧି କରିବେ ଯେ- ଆମର ଶତ୍ରୁ ଗୋଟିଏ । ତାହା-କରୋନା । ଏହା ନାଲି କି ନୀଳ ମାନେନା । ଏହା ମଣିଷକୁ ଦେଖେ ଓ ସଂକ୍ରମିତ କରେ । ଏବେ ହୁଏତ ଏ ଟ୍ରେଣ୍ଡ ଆସିବ ନାହିଁ । ଦେଖିବେ- ଯେତେ ଅଧିକ ବିପତ୍ତି ବଢିବ, ମାନବ ସଂପ୍ରଦାୟ ଏକାଠି ହେବକୁ ଆରମ୍ଭ କରିବ । ସେମାନେ ପରସ୍ପରକୁ ସାହାଯ୍ୟ କରିବେ । ନ ହେଲେ ତାଙ୍କ ସାମ୍ନାରେ ଭୟଙ୍କର ମହାମାରୀ ଛିଡ଼ା ହୋଇଥିବ ଯେ !

ଅଧିକ ପଢନ୍ତୁ: ସାମ୍ବାଦିକ କି ଅଲୋଡ଼ା ?

ଏ ନେଇ ପରୀକ୍ଷଣ ମଧ୍ୟ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛି । ୧୮୧୬ରୁ ୧୯୯୨ ମଧ୍ୟରେ ୮୫୦ଟି ଭୟାବହ ସମସ୍ୟାରେ ମାନବ ଜାତିର ବ୍ୟବହାରକୁ ସେଥିରେ ଦେଖା ଯାଇଥିଲା । ଶେଷରେ ଏଥିରେ ଉପନୀତ ହୋଇଥିଲେ ଯେ- ବିପତ୍ତି ବେଳେ ମାନବ ଜାତି ଏକ ହୋଇ କାମ କରିଛି । ସବୁ ଭେଦଭାବ ଭୁଲିଛି । ଏଥିପାଇଁ ଅବଶ୍ୟ ସମୟ ଲାଗିବ ନିଶ୍ଚିତ । ସକାଳୁ ଉଠିଲା ବେଳକୁ ଯେ ସବୁ ଠିକ ହୋଇଥିବ, ଏମିତି ଜମାରୁ ନୁହେଁ ।

ବିଶ୍ୱାସ ବଢିବ

ଆପଣ ଦେଖୁ ନାହାନ୍ତି- କିଛି ବର୍ଷ ହେଲାଣି ଆମେ କାହା ଉପରେ ଗୁରୁତ୍ୱ ଦେଇ ଆସିଛୁ? କେତେ ଟଙ୍କା ସଞ୍ଚୟ କଲେ, ବ୍ୟାଙ୍କର ସୁଧର ହାର କେତେ, ତେଲ ଦର ବଢିଲା କି ନାହିଁ, ନିଯୁକ୍ତି ସମସ୍ୟା, ଚାକିରୀରେ ସ୍ଥାୟିତ୍ୱ, ଆମ ପରିବାର, ଆମ ଘର ଏସବୁ ଦେଖି ଆସିଛୁ । କିନ୍ତୁ କେବେ ଆମେ ବିଶେଷଜ୍ଞମାନଙ୍କୁ ବିଶ୍ୱାସ କରିନାହୁଁ । ଡାକ୍ତରମାନଙ୍କ ଉପଦେଶ ଏତେ ସହଜରେ ଗ୍ରହଣ କରିନାହୁଁ । କିନ୍ତୁ କରୋନା ପରେ ପରେ ସେ ସମୟ ଆଉ ନଥିବ । ଯିଏ ଯେଉଁ ବିଷୟରେ ବିଶେଷଜ୍ଞ ତାଙ୍କ କଥା ଆମେ ଶୁଣୁଥିବୁ ।
ଦ୍ୱିତୀୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟଟି ହେଉଛି- ସରକାରଙ୍କ ଉପରେ ଆମର ଆସ୍ଥା ଏତେଟା ଅଧିକ ନଥାଏ । ଲାଗେ- ହଁ, ସରକାର ତ ଦିଲ୍ଲୀରେ ଚାଲିଛି । କିନ୍ତୁ କରୋନା ସମୟରେ ଆମେ ସମସ୍ତେ ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରିବାକୁ ବାଧ୍ୟ ହେଉଛୁ । ଜନମଙ୍ଗଳକାରୀ ରାଷ୍ଟ୍ରରେ ସରକାର କେବେ ନିଜ ଲୋକଙ୍କ ବିରୋଧରେ ଯାଇ ପାରେନା । ତେଣୁ, ଏଣିକି ଆମେ ଆମ ସରକାରଙ୍କୁ ବିଶ୍ୱାସ କରିବା ଓ ତାଙ୍କ ଉପଦେଶକୁ ଗୁରୁତ୍ୱର ସହ ଶୁଣିବାକୁ ଆରମ୍ଭ କରିବା ।

ବ୍ୟକ୍ତିସତ୍ତା କମିବ:

ଆମେ କ୍ରମଶଃ ବ୍ୟକ୍ତିଗତ ଏକାକୀ ଜୀବନ ବଞ୍ଚୁଥିଲେ । ପାଖ ପଡ଼ୋଶୀଙ୍କ ସହ ସଂପର୍କ ନାହିଁ । ଆପାର୍ଟମେଣ୍ଟରେ କବାଟ ଖୁନ୍ଦି ଏକା ରହୁଥିଲେ । କିନ୍ତୁ ସେଇ ବ୍ୟକ୍ତିଗତ ଭାବ କମିଯିବ । ମଣିଷ ମଣିକେୁ ଖୋଜିବ, ଲୋଡ଼ିବ । ଆପାର୍ଟମେଣ୍ଟରେ ବନ୍ଦୀ ଜୀବନ ବ୍ୟବତୀତ ସେ ଏଣିକି କୁନି ଘରଟେ ହେଲେ ପଛେ ଦୂର ଜାଗାରେ କରିବାକୁ ତିଆରି କରିବାକୁ ଚେଷ୍ଟା କରିବ । ଯେଉଁଠି- ଛୋଟିଆ ବାଡ଼ିଟେ ଥିବ । ଦି’ ଚାରି ଜଣ ପଡ଼ୋଶୀ ଥିବେ ।

ଘରୁ ରହି କାମ

ଯାହାକୁ ୱାର୍କ ଫ୍ରମ ହୋମ ବୋଲି କହନ୍ତି । ଭାରତରେ ଏ ବ୍ୟବସ୍ଥା ବହୁତ କମ ଥିଲା । କେଉଁଠି କେବେ କିଏ କାହାକୁ ଏଥିଲାଗି ଅନୁମତି ମିଳୁଥିଲା । କିନ୍ତୁ ଲକଡାଉନ୍‍ ସମୟରେ ଅଫିସଠାରୁ ଆରମ୍ଭ କରି କ୍ୟାବିନେଟ ବୈଠକ, ସାମ୍ବାଦିକ ସମ୍ମିଳନୀ ସବୁକିଛି ଅନଲାଇନରେ ଚାଲିଲା । ଲୋକେ ଘରେ ରହି ଆରାମରେ ଅଫିସ କାମ କଲେ । ଡେଡଲାଇନ ଅନୁସାରେ ବି କାମ ସରିଲା । ତେଣୁ ଆସ୍ତେ ଆସ୍ତେ ଏ ଧାରା ଆୁରି ଦ୍ରୁତ ଗତିରେ ବଢିଯିବ ।

ଟେଲି ମେଡ଼ିସିନର ଅଭିବୃଦ୍ଧି

ଭାରତରେ ଟେଲି ମେଡ଼ିସିନର ବ୍ୟବହାର ପଛୁଆ ରହିଥିଲା । କିନ୍ତୁ କରୋନା ସମୟରେ ସରକାର ନିଜେ ଏହାର ପ୍ରଚାର କଲେ ଓ ବ୍ୟବହାର କରିବା ପାଇଁ ଲୋକଙ୍କୁ କହିଲେ । ଲୋକେ କ୍ରମଶଃ ଦେଖିବେ ଏହି ବ୍ୟବସ୍ଥା ସଫଳ ହେଉଛି । ଭିଡ଼ରେ ଯାଇ, ଦୀର୍ଘ ସମୟ ଅପେକ୍ଷା କରି ଓ ରୋଗୀଙ୍କ ଗହଳିରେ ଛିଡ଼ା ହେବା ଅପେକ୍ଷା ଏହା ଅନେକ ଗୁଣରେ ସହଜସାଧ୍ୟ । ତେଣୁ ଟେଲିଫୋନ କଲରେ କି ଭିଡ଼ିଓ କଲରେ ଯେତେବେଳେ ସୁବିଧା ଆମ ହାତରେ ରହିବ, ଲୋକେ ଏହାର ଉପଯୋଗ କରିବେ ।

ବିଜ୍ଞାନ ଉପରେ ବଢିବ ବିଶ୍ୱାସ

ଏହା ଶେଷକୁ ଲେଖିଥିଲେ ମଧ୍ୟ ସବୁଠାରୁ ମହତ୍ୱପୂର୍ଣ୍ଣ ବିଷୟ । ଅନେକ ଅନ୍ଧବିଶ୍ୱାସ ଓ ଆହୁରି ଅନେକ କାରଣରୁ ଆମେ ବିଜ୍ଞାନ ଉପରେ ଏତେଟା ବିଶ୍ୱାସ କରୁ ନଥିଲୁ । ଆମେ ଭାବୁଥିଲୁ ବିଜ୍ଞାନର କାମ ରକେଟ କି କ୍ଷେପଣାସ୍ତ୍ର ତିଆରି କରିବା । କିନ୍ତୁ କରୋନା ବେଳେ ପ୍ରତିଟି ପାଦରେ ବିପଦରେ ଆମକୁ ସାହାଯ୍ୟ କରିଛି ବିଜ୍ଞାନ । ହଜାର ହଜାର ଗବେଷକ ଏହାର ଔଷଧ କି ଟୀକା ବାହାର କରିବା ପାଇଁ ଦିନ ରାତି ଏକ କରି ଦେଇଛନ୍ତି । ଆଉ ସେମାନଙ୍କୁ ହିଁ ବିଶ୍ୱାସ କରି ଆମେ କରୋନାର ବପଦକୁ ଟାଳି ଚାଲିଛନ୍ତି । ଏହି ଧାରା ବଢିବ ଓ ବିଜ୍ଞାନ ହିଁ ଶ୍ରେଷ୍ଠ ସ୍ଥାନ ନେବ ।
ଏହାଛଡ଼ା ପରିବାରରେ ଛନ୍ଦି ହୋଇ ରହିବାର ମାନସିକତା ଆମ ଭିତରେ ଏଣିକି ବସା ବାନ୍ଧିବ । ଆମେ ଘରକୁ ପସନ୍ଦ କରିବା । ଆମେ ଚାକଚକ୍ୟ ଜୀବନ ଅପେକ୍ଷା ସାଦାସିଦା ଜୀବନ ଜୀଇଁ ପାରିବା । ଆମର ଆବଶ୍ୟକତାର ଚିଠା ଏଣିକି ଲମ୍ବା ହୋଇ ନଥିବ । ବରଂ କମି ଆସିଥିବ କରୋନା ପରବର୍ତ୍ତୀ ବିଶ୍ୱରେ ।

ଇମେଲ୍‌: jpm.iimc@gmail.com

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

 

Leave A Reply

Your email address will not be published.