ନୂଆଦିଲ୍ଲୀ: ପୁରୁଷ ହକି ବିଶ୍ୱକପରେ ଭାରତ ଚମତ୍କାର ପ୍ରଦର୍ଶନ କରି ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୫-୩ ଗୋଲରେ ପରାସ୍ତ କରିଛି । ଏଥିସହ ଟିମଇଣ୍ଡିଆ ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି । ଗ୍ରୁପ ଡିର ଏହି ମୁକାବିଲା ଭାରତ ସପକ୍ଷରେ ଥିଲେ ମଧ୍ୟ ମଝିରେ ପାକିସ୍ତାନ ଭଲ ପ୍ରଦର୍ଶନ କରି ମ୍ୟାଚରେ ରୋମାଂଚ ଭରିଥିଲା । ଶେଷରେ କିନ୍ତୁ ଭାରତ ବାଜି ମାରିଥିଲା । ନେଦରଲ୍ୟାଣ୍ଡସର ୱାଗନର୍ ହକି ଷ୍ଟାଡିୟମ୍ରେ ଖେଳାଯାଇଥିବା ହାଇ-ଭୋଲ୍ଟେଜ ମ୍ୟାଚରେ ବିଜୟ ସହ ଭାରତ ଟୁର୍ନାମେଣ୍ଟର ଟପ୍-୮କୁ କ୍ୱାଲିଫାଇ କରିଥିବା ବେଳେ ପାକିସ୍ତାନ ବିଶ୍ୱକପ୍ରୁ ବାଦ୍ ପଡ଼ିଛି ।
ଭାରତୀୟ ଅଧିନାୟକ ହରମନପ୍ରୀତ ସିଂ ଏବଂ ଅଭିଷେକ ଚମତ୍କାର ପ୍ରଦର୍ଶନ କରି ୨-୨ଟି ଗୋଲ୍ ସ୍କୋର୍ କରିଥିଲେ । ଅନ୍ୟ ଗୋଲ୍ ହାର୍ଦ୍ଦିକ ସିଂହଙ୍କ ଷ୍ଟିକ୍ରୁ ଆସିଥିଲା । ପାକିସ୍ତାନ ପକ୍ଷରୁ ହନ୍ନାନ ଶାହିଦ୍ ୨ଟି ଗୋଲ୍ ସ୍କୋର୍ କରିଥିବା ବେଳେ ସୁଫିୟାନ୍ ଖାନ୍ ୧ଟି ଗୋଲ୍ ଦେଇଥିଲେ । ଟୁର୍ନାମେଣ୍ଟରେ ଭାରତ ନିଜର ଦ୍ୱିତୀୟ ମ୍ୟାଚ୍ ଜିତି ପୁଲ୍-ଡି ରେ ମୋଟ ୩ଟି ମ୍ୟାଚ୍ରୁ ୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହି ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛି। ଅନ୍ୟପଟେ ପାକିସ୍ତାନ ପରାଜିତ ହୋଇ ଟୁର୍ନାମେଣ୍ଟରୁ ବିଦାୟ ନେଇଛି ।

