Latest Odisha News

BREAKING NEWS

ବନ୍ୟା ଆଶଙ୍କା: ବାଲେଶ୍ୱରରେ ବଢ଼ିବ ଜଳସ୍ତର, ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ଅନ୍ୟ ନଦୀଗୁଡ଼ିକରେ ବନ୍ୟା ସ୍ଥିତିରେ ସୁଧାର ଆସିଥିବା ବେଳେ ଉତ୍ତର ଓଡ଼ିଶାର ପ୍ରମୁଖ ନଦୀ ସୁବର୍ଣ୍ଣରେଖାରେ ମଧ୍ୟମ ଧରଣର ବନ୍ୟା ଆସିବାର ଆଶଙ୍କା ଦେଖାଦେଇଛି। ବିଶେଷକରି ବାଲେଶ୍ୱର ଜିଲ୍ଲାରେ ସୁବର୍ଣ୍ଣରେଖାର ଜଳସ୍ତର ଆହୁରି ବୃଦ୍ଧି ପାଇବ ବୋଲି ବୁଧବାର ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ପରିମାଣ କମିଥିଲେ ମଧ୍ୟ ଝାଡ଼ଖଣ୍ଡର ଉପରମୁଣ୍ଡରୁ ଲଗାତାର ବନ୍ୟା ଜଳ ଛଡ଼ାଯାଉଛି। ଚାଣ୍ଡିଲ୍ ଡ୍ୟାମ୍‌ରୁ ବର୍ତ୍ତମାନ ପ୍ରାୟ ୧,୪୧୦.୪୨ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଫଳରେ ସୁବର୍ଣ୍ଣରେଖା ନଦୀର ବିଭିନ୍ନ ସ୍ଥାନରେ ଜଳସ୍ତର ବଢ଼ିବାରେ ଲାଗିଛି ଏବଂ ରାଜଘାଟଠାରେ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଅନ୍ୟପକ୍ଷରେ, ବ୍ରାହ୍ମଣୀ, ବୈତରଣୀ ଏବଂ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ହ୍ରାସ ପାଉଥିବା ଯୋଗୁଁ ଲୋକେ କିଛି ମାତ୍ରାରେ ଆଶ୍ୱସ୍ତି ଲାଭ କରିଛନ୍ତି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଲେଶ୍ୱର ଜିଲ୍ଲା ପ୍ରଶାସନକୁ ହାଇଆଲର୍ଟରେ ରଖାଯାଇଛି ଏବଂ ମୟୂରଭଞ୍ଜ, ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ମଧ୍ୟ ସତର୍କ କରାଯାଇଛି ।

ବନ୍ୟା କ୍ଷୟକ୍ଷତିର ଚିତ୍ର ରଖି ମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ବାଲେଶ୍ୱର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେନ୍ଦୁଝର ଏବଂ ଭଦ୍ରକ ସମେତ ୬ଟି ଜିଲ୍ଲାର ୬୮ଟି ବ୍ଲକ୍ ପ୍ରଭାବିତ ହୋଇଛି। ଏଥିରେ ୪୬୯ଟି ପଞ୍ଚାୟତ, ୧୫୭୯ଟି ଗାଁ ଏବଂ ୧୦ଟି ସହରାଞ୍ଚଳର ୬୪ଟି ୱାର୍ଡ ଜଳବନ୍ଦୀ ରହିଛି। ସର୍ବମୋଟ ୧୧,୬୫,୮୩୭ ଜଣ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ୪,୨୬,୬୭୫ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହି ବନ୍ୟା ଯୋଗୁଁ ୫୮,୪୬୫ ହେକ୍ଟର ଚାଷଜମି ଏବଂ ୧,୮୮୨ଟି ଘର ନଷ୍ଟ ହୋଇଥିବା ଆକଳନ କରାଯାଇଛି ।

ଆଗକୁ ଯଦି ଅଧିକ ଉଦ୍ଧାରକାରୀ ଦଳ ବା ରିଲିଫ୍ ସାମଗ୍ରୀର ଆବଶ୍ୟକତା ପଡ଼େ ତେବେ ତୁରନ୍ତ ରିପୋର୍ଟ କରିବାକୁ ବାଲେଶ୍ୱର ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ସେହିପରି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସରକାରୀ ଆଉଟଲେଟ୍ ମାଧ୍ୟମରେ ବିହନ ଯୋଗାଇ ଦିଆଯିବ। ବର୍ତ୍ତମାନ ରାଜ୍ୟ ପାଖରେ ୧୬,୦୦୦ କ୍ୱିଣ୍ଟାଲ ବିହନ ମହଜୁଦ୍ ଥିବାବେଳେ ପ୍ରାୟ ୪୦,୦୦୦ କ୍ୱିଣ୍ଟାଲ ବିହନ ଆବଶ୍ୟକ ରହିଛି, ଯାହାକି ଖୁବଶୀଘ୍ର କେନ୍ଦ୍ର ସରକାରଙ୍କଠାରୁ ସଂଗ୍ରହ କରାଯିବ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିଶ୍ରୁତି ଦେଇଛନ୍ତି।

Leave A Reply

Your email address will not be published.