Latest Odisha News

BREAKING NEWS

ଢାକା ଚଳଚ୍ଚିତ୍ର ମହୋତ୍ସବରେ ଫିଲ୍ମ ‘ଅନ୍ତର୍ଧ୍ଵନି’କୁ ୨ଟି ପୁରସ୍କାର, ଏ.କେ ବୀର ଶ୍ରେଷ୍ଠ ଏସୀୟ ନିର୍ଦ୍ଦେଶକ

ଭୁବନେଶ୍ବର: ୪ ଡିସେମ୍ବରରୁ ୨୬ ଡିସେମ୍ବର ଯାଏ ଢାକାଠାରେ ଆୟୋଜିତ ସିନେମେକିଙ୍ଗ୍ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଅନ୍ତର୍ଧ୍ଵନି’କୁ ୨ଟି ପରୁସ୍କାର ମିଳିଛି । ଚଳଚ୍ଚିତ୍ରର ନାୟିକା ସ୍ୱପ୍ନା ପତି ଶ୍ରେଷ୍ଠ ଅନ୍ତର୍ଜାତୀୟ ଅଭିନେତ୍ରୀ ଭାବେ ସମ୍ମାନିତ ହୋଇଥିବା ବେଳେ ନିର୍ଦ୍ଦେଶକ ଏ.କେ ବୀରଙ୍କୁ ମିଳିଛି ଶ୍ରେଷ୍ଠ ଏସୀୟ ନିର୍ଦ୍ଦେଶକର ପୁରସ୍କାର । ଦୁଇଟି ଅନ୍ତର୍ଜାତୀୟ ପୁରସ୍କାର ହାସଲ କରି ଓଡିଆ ନିର୍ମାତା ନିର୍ଦ୍ଦେଶକଙ୍କ ଦ୍ୱାରା ପ୍ରସ୍ତୁତ ‘ଅନ୍ତର୍ଧ୍ଵନି’ ଦେଶ ପାଇଁ ଗୌରବ ଆଣିଦେଇଛି ।

କେବଳ ସେତିକି ନୁହେଁ, ୨୪ ଏଫ୍‌ପିଏସ୍ ନିବେଦିତ ତଥା ରାଜେଶ କୁମାର ମହାନ୍ତିଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରଟି ସିନେମେକିଙ୍ଗ୍ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଉଦ୍‌ଘାଟନୀ ଚଳଚ୍ଚିତ୍ର ଭାବେ ପ୍ରଦର୍ଶିତ ହେବାର ସୁଯୋଗ ଓ ସୌଭାଗ୍ୟ ଲାଭ କରିଥିଲା । ଏହି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ୭୦ଟି ଦେଶରୁ ପାଖାପାଖି ୪୦୦ଟି ଚଳଚ୍ଚିତ୍ର ଅଂଶଗ୍ରହଣ କରିଥିଲେ । ଏବଂ ସେଥି ମଧ୍ୟରୁ ବାଂଲାଦେଶର ୨୮ଟି ଚଳଚ୍ଚିତ୍ର ସମେତ ୫୪ଟି ରାଷ୍ଟ୍ରର ମୋଟ ୧୫୦ଟି ଚଳଚ୍ଚିତ୍ର ପ୍ରତିଯୋଗିତା ପର୍ଯ୍ୟାୟକୁ ମନୋନୀତ ହୋଇଥିଲେ । ସିନେମେକିଙ୍ଗ୍ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୨୦ର ଆୟୋଜକ ଥିଲେ ଢାକା ଫେଷ୍ଟିଭାଲ ଏବଂ ସିନେମେକିଂ ଅନୁଷ୍ଠାନ । ସହଯୋଗୀ ଥିଲେ ମାସୁଦ ମାଂଚୋ ଓ ରୁସଦା ଫିଲ୍ମସ୍ । ଫେଷ୍ଟିଭାଲ ଡିରେକ୍ଟର ଥିଲେ ମଞ୍ଜୁରୁଲ ଇସଲାମ ମେଘା ।

ଜାତୀୟ ତଥା ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଓଡିଆ ନିର୍ଦ୍ଦେଶକ ଏ.କେ ବୀର ‘ଅନ୍ତର୍ଧ୍ଵନି’ର ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା କରିଛନ୍ତି ରାଜେଶ ମହାନ୍ତି । ୨୪-ଏଫ୍‌ପିଏସ୍ ଏଂଟରଟେନମେଂଟ ନିବେଦିତ ଏହି ଚଳଚ୍ଚିତ୍ରର ୯୫ ପ୍ରତିଶତ ଜଙ୍ଗଲରେ ସୁଟିଂ ହୋଇଛି ଏବଂ ଜଙ୍ଗଲକୁ ଏଥିରେ ଏକ ଚରିତ୍ର ଭାବେ ଚିତ୍ରଣ କରାଯାଇଛି । ଚଳଚ୍ଚିତ୍ରର ପ୍ରମୁଖ ଭୂମିକାରେ ଅଛନ୍ତି ଗୌରବ ପାଶୱାଲ, ସ୍ୱପ୍ନା ପତି ଓ ତଲୱିନ୍ଦର ସିଂହ । ସାଉଣ୍ଡରେ ନିହାର ରଞ୍ଜନ ସାମଲ ଥିବାବେଳେ ଅସୀମ ସିହ୍ନା ଏହାର ସମ୍ପାଦନା କରିଛନ୍ତି । ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ପ୍ରାକୃତିକ ଆଲୁଅରେ ନିର୍ମିତ ହୋଇଛି । ଜଙ୍ଗଲ ଓ ଏହାର ପ୍ରାକୃତିକ ବାତାବରଣ କାହାଣୀର ମୁଖ୍ୟ ଆଧାର । କାହାଣୀ ଶାନ୍ତନୁ ଓ ଶାଲିନୀ ନାମକ ଦୁଇ ବନ୍ଧୁଙ୍କ ଚାରିପାଖେ କେନ୍ଦ୍ରିତ ହୋଇଛି । ଶାଲିନୀ ହଠାତ୍ ଅନ୍ତର୍ଦ୍ଧାନ ହୋଇଯାଏ ଆଉ ଏଇଠୁ ଆରମ୍ଭ ହୁଏ ଅନ୍ୱେଷଣର କାହାଣୀ । କାନ୍ସ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ‘ଅନ୍ତର୍ଧ୍ଵନି’ ଉଚ୍ଚ ପ୍ରଶଂସିତ ହୋଇଥିଲା । ଏହା ବ୍ୟତୀତ ୱିଣ୍ଡ୍ ଇଂଟରନାଶନାଲ ଫିଲ୍ମ ଫେଷ୍ଟିଭାଲ, ଅପ୍ ଇଂଟରନାଶନାଲ ଫିଲ୍ମ ଫେଷ୍ଟିଭାଲ, ଗୌହାଟି ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବା ସହ ବିଭିନ୍ନ ବିଭାଗରେ ଏକାଧିକ ପୁରସ୍କାର ଲାଭ କରିଛି । ଖୁବ୍ ଶିଘ୍ର ଏହା ସର୍ବଭାରତୀୟ ସ୍ତରରେ ମୁକ୍ତିଲାଭ କରିବା ସହିତ ବର୍ଲିନ୍ ଓ ଲୋକାର୍ଣ୍ଣୋ ଚଳଚ୍ଚିତ୍ର ମହୋତ୍ସବରେ ମଧ୍ୟ ପ୍ରଦର୍ଶିତ ହେବାର ଯୋଜନା ରହିଛି ।

Leave A Reply

Your email address will not be published.