ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଦେଶରେ ସୁଧୁରୁଛି ଆର୍ଥିକ ସ୍ଥିତି । ଆଥିକ ଅବସ୍ଥାରେ ଦ୍ରୁତଗତିରେ ସୁଧାର ଆସୁଛି । ଆତ୍ମନିର୍ଭର ଭାରତ-୩.୦ ଘୋଷଣା କରି ଏଭଳି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ଦେଶର ଅର୍ଥନୀତିକୁ ସୁଦୃଢ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଷ୍ଟିମୁଲସ ପ୍ୟାକେଜ ଘୋଷଣା କରିଛନ୍ତି। ନିଯୁକ୍ତିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା ଘୋଷଣା କରିଛନ୍ତି। କୋଭିଡ କାଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଘୋଷଣା ହୋଇଛି ।
କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଦେଶର ଜିଏସଟି ସଂଗ୍ରହ ୧୦ ପ୍ରତିଶତ ବଢିଛି । ନିବେଶରେ ବି ଭଲ ପ୍ରଗତି ହୋଇଛି । ଦେଶର ଜିଡିପିରେ ବି ସୁଧାର ଆସିଛି । ବିଦେଶୀ ମୁଦ୍ର ଭଣ୍ଡାରରେ ବି ଭଲ ବୃଦ୍ଧି ଘଟିଛି । ବ୍ୟାଙ୍କ ଗୁଡିକର କ୍ରେଡିଟ ଗ୍ରୋଥ ବି ବଢିଛି ବୋଲି ସୀତାରମଣ କହିଛନ୍ତି ।
ୱାନ ନେସନ୍ ୱାନ୍ କାର୍ଡ, ସେପ୍ଟେମ୍ବର ୧ରୁ ଲାଗୁ ହୋଇଛି । ୬୮. ୬ କୋଟି ଲୋକ ଏଥିରୁ ଉପକୃତ ହୋଇଛନ୍ତି । ଭାରତର ଯେକୌଣସି ସ୍ଥାନରୁ ରାସନ୍ କିଣିପାରୁଛନ୍ତି ପ୍ରବାସୀ ଶ୍ରମିକ । ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ୨୬.୬୨ ଲକ୍ଷ ଆବେଦନ ଆସିଛି । ୧୩.୭୮ ଲକ୍ଷ ଋଣ ଆବେଦନ ଅନୁମୋଦିତ ହୋଇଛି । ଏଥିପାଇଁ ୧୩୭୩,୩୩ କୋଟି ଟଙ୍କା ମଞ୍ଜୁର କରାଯାଇଛି । କିଷାନ୍ କ୍ରେଡିଟ୍ କାର୍ଡ ୧୮୩.୧୪ ଲକ୍ଷ ଆବେଦନ ଗ୍ରହଣ କରାଯାଇଛି । ୧୫୭.୪୪ ଲକ୍ଷ ଯୋଗ୍ୟ ଚାଷୀଙ୍କ ପାଇଁ କିଷାନ୍ କ୍ରେଡିଟ୍ କାର୍ଡ ଜାରି ହୋଇଛି । ଏଥିପାଇଁ ୨ଟି ପର୍ଯ୍ୟାୟରେ ୧, ୪୩, ୨୬୨ କୋଟି ଟଙ୍କା ମଞ୍ଜୁର କରାଯାଇଛି ।
Comments are closed.