ନୂଆଦିଲ୍ଲୀ:କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା (MGNREGS) ପାଇଁ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଛଅ ମାସ ମଧ୍ୟରେ ବଜେଟର ୬୦% ଖର୍ଚ୍ଚ ସୀମା ନିର୍ଦ୍ଧାରଣ କରିଛନ୍ତି। ଏହି ନିଷ୍ପତ୍ତି ଦେଶର ଗ୍ରାମୀଣ ଅଞ୍ଚଳରେ ରୋଜଗାର ସୁନିଶ୍ଚିତ କରୁଥିବା ଏହି ପ୍ରମୁଖ ଯୋଜନାରେ ନୂଆ ଆର୍ଥିକ ନିୟନ୍ତ୍ରଣ ଆଣିଛି। ଏବେସୁଦ୍ଧା ଏହି ଯୋଜନାରେ ଖର୍ଚ୍ଚର କୌଣସି ସୀମା ସ୍ଥିର ନଥିଲା । ଏବେ କିନ୍ତୁ ବର୍ଷର ପ୍ରଥମ ଛଅ ମାସରେ କେବଳ ବଜେଟର ୬୦ ପ୍ରତିଶତ ଖର୍ଚ୍ଚ ହେବ।
ଗ୍ରାମୀଣ ପରିବାରଙ୍କୁ ପ୍ରତି ଆର୍ଥିକ ବର୍ଷରେ ଅତି କମରେ ୧୦୦ ଦିନର ଗ୍ୟାରେଣ୍ଟିଯୁକ୍ତ ମଜୁରୀ ରୋଜଗାର ପ୍ରଦାନ କରାଯାଏ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଏହି ଯୋଜନା ପାଇଁ ୮୬,୦୦୦ କୋଟି ଟଙ୍କାର ବଜେଟ ଆବଣ୍ଟନ କରାଯାଇଥିଲା ।
ଇଣ୍ଡିଆନ୍ ଏକ୍ସପ୍ରେସ୍ ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ମନରେଗାରେ କୌଣସି ଖର୍ଚ୍ଚ ସୀମା ନଥିଲା। ଅର୍ଥ ମନ୍ତ୍ରଣାଳୟ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟକୁ କହିଛି ଯେ ଏବେ ଏହି ଯୋଜନାକୁ ମାସିକ/ତ୍ରୈମାସିକ ଖର୍ଚ୍ଚ ଯୋଜନା (MEP/QEP) ଅଧୀନରେ ଅଣାଯିବ। ଯାହା ଖର୍ଚ୍ଚ ନିୟନ୍ତ୍ରଣ କରିବା ପାଇଁ ଏକ ସିଷ୍ଟମ।
ଏହି ଯୋଜନା ଅଧୀନରେ ମନରେଗାକୁ ଆଣିବା ଦ୍ୱାରା , ମନରେଗାରେ ହୋଇଥିବା ଖର୍ଚ୍ଚକୁ ଗୋଟିଏ ମାସ କିମ୍ବା ତିନି ମାସ ବ୍ୟବଧାନରେ ଟ୍ରାକ୍ ଏବଂ ନିୟନ୍ତ୍ରଣ କରାଯିବ।
ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା (MNREGS) ୨୦୦୬-୦୭ ମସିହାରେ ଦେଶର ୨୦୦ଟି ସବୁଠାରୁ ପଛୁଆ ଗ୍ରାମୀଣ ଜିଲ୍ଲାରେ ଆରମ୍ଭ କରାଯାଇଥିଲା। ଏହା ପରେ, ୨୦୦୭-୦୮ ମସିହାରେ ମନରେଗାକୁ ଆହୁରି ୧୩୦ ଟି ଜିଲ୍ଲାରେ ବିସ୍ତାର କରାଯାଇଥିଲା ଏବଂ ୨୦୦୮-୦୯ ମସିହାରେ ଏହି ଯୋଜନା ସାରା ଦେଶରେ କାର୍ଯ୍ୟକାରୀ କରାଯାଇଥିଲା। ୨୦୨୦-୨୧ ମସିହାରେ ଏହି ଯୋଜନାର ଚାହିଦା ବୃଦ୍ଧି ପାଇଥିଲା।
Comments are closed.