Latest Odisha News

ଭୁବନେଶ୍ୱର ଡିସିପିଙ୍କ ନୂଆ ବିଲ୍ଡିଂ ଉଦ୍‍ଘାଟିତ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଅର୍ବାନ ପୋଲିସ ଆରକ୍ଷୀ ଉପଆୟୁକ୍ତ (ଡିସିପି)ଙ୍କ ନବନିର୍ମିତ କାର୍ଯ୍ୟାଳୟର ଉଦ୍‍ଘାଟନ କରିଛନ୍ତି । ୨୨୭୨ ବର୍ଗମିଟର ଅଞ୍ଚଳରେ ଚାରିମହଲା ବିଶିଷ୍ଟ ଏହି ନୂତନ କାର୍ଯ୍ୟାଳୟ ସୌଧଟି ନିର୍ମାଣ ହୋଇଛି । ଏଥିପାଇଁ ୭ କୋଟି ୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

ଉଦଘାଟନୀ ଅବସରରେ ମୁଖ୍ୟମନ୍ତୀ କହିଛନ୍ତି ଯେ, ଏହି ନୂଆ ଭବନ ଲୋକମାନଙ୍କୁ ଉତ୍କୃଷ୍ଟ ସେବା ଦେବାରେ ସାହାଯ୍ୟ କରିବ । ଏଥିରେ ଭିନ୍ନକ୍ଷମ ଲୋକଙ୍କ ପାଇଁ ରାମ୍ପ, ସାଇବର ସେଲ, CCTNS ରୁମ୍‍, ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ ରୁମ୍‍, ଲିଗାଲ ସେଲ, ପାସର୍ପୋଟ ବିଭାଗ ଆଦି ସୁବିଧା ଉପଲବ୍‍ଧ କରାଯାଇଛି । ଏଥିସହିତ କନଫରେନ୍ସ ହଲ୍ ଏବଂ ଟ୍ରେନିଂ ହଲ୍‍ର ସୁବିଧା ମଧ୍ୟ ରହିଛି । ଏହି ନୂଆ ଭବନଟି ପୋଲିସ ପ୍ରଶାସନକୁ ଦକ୍ଷତାର ସହ ଲୋକଙ୍କୁ ଠିକ୍‍ ସମୟରେ ସେବା ଯୋଗାଇ ଦେବାପାଇଁ ଉପଯୋଗୀ ହେବ ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଗତ ମାର୍ଚ୍ଚ ମାସରେ ୪୨ କୋଟି ଟଙ୍କା ବ୍ୟୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିର୍ମିତ ୧୪ଟି ନୂତନ ଥାନା ଉଦ୍‍ଘାଟିତ ହୋଇଥିଲା । ଆମ ପୋଲିସ ନିରପେକ୍ଷ ଭାବେ ବିନା ପକ୍ଷପାତିତା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଗତ ଏକ ବର୍ଷରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସନ୍ତୋଷ ଜନକ ରହିଛି ଏବଂ ଏଥିନେଇ କେନ୍ଦ୍ର ସରକାର ମଧ୍ୟ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ରାଜ୍ୟରେ ପ୍ରତ୍ୟେକ ଥାନାରେ କାର୍ଯ୍ୟରତ ତଦନ୍ତକାରୀ ଅଫିସରମାନଙ୍କୁ ଅଧିକ କ୍ରିୟାଶୀଳ କରିବା ପାଇଁ ଅଧିକ ଦୁଇ ଚକିଆ ଯାନର ବ୍ୟବସ୍ଥା କରାଯାଇଛି । ଆଜି ଏହି କ୍ରମରେ ମୁଖ୍ୟମନ୍ତ୍ରୀ କମିଶନରେଟ ପୋଲିସ ଅନ୍ତର୍ଗତ ବିଭିନ୍ନ ଥାନାର ତଦନ୍ତକାରୀ ଅଫିସରମାନଙ୍କୁ ୪୨୫ ଟି ଦୁଇ ଚକିଆ ଯାନ ପ୍ରଦାନ କରିଥିଲେ । ସେ କହିଥିଲେ ଯେ, ଥାନାମାନଙ୍କୁ ଅଧିକ ଚାରି ଚକିଆ ଯାନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଅପରାଧିକ ଆଇନ ଗୁଡ଼ିକର ତଦନ୍ତ ପ୍ରକ୍ରିୟାରେ ଟେକ୍ନୋଲୋଜିର ପ୍ରୟୋଗ ପାଇଁ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Comments are closed.