ଭୁବନେଶ୍ୱର: ମଧ୍ୟପ୍ରଦେଶର ବିଜେପି ସରକାର ବିରୋଧରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଦୁର୍ନୀତି ଅଭିଯୋଗ ଆଣି ଦଳୀୟ ରୋଷର ଶିକାର ହୋଇଛନ୍ତି। ରାଜ୍ୟ ସରକାରଙ୍କ ବିରୋଧରେ ୫୦ ପ୍ରତିଶତ କମିସନ ଅଭିଯୋଗ ଆଣିବା ପରେ ମଧ୍ୟପ୍ରଦେଶରେ ବିଜେପି ପକ୍ଷରୁ ପ୍ରିୟଙ୍କାଙ୍କ ବିରୋଧରେ ଏତଲା ଦିଆଯାଇଛି।
ପ୍ରିୟଙ୍କାଙ୍କ ସାମାଜିକ ଗଣମାଧ୍ୟମରେ ଏହି ପୋଷ୍ଟ ବିରୋଧରେ ଏତଲା ଦିଆଯାଇଛି। ଏକ ମିଛ ଚିଠିକୁ ଭିତ୍ତି କରି ସାମାଜିକ ଗଣମାଧ୍ୟମରେ ପ୍ରିୟଙ୍କାଙ୍କ ଏଭଳି ପୋଷ୍ଟ ବିରୋଧରେ ଏତଲା ଦିଆଯାଇଛି।
ପ୍ରିୟଙ୍କାଙ୍କ ସହ କମଳନାଥ ଓ ଅରୁଣ ଯାଦବଙ୍କ ବିରୋଧରେ ମଧ୍ୟ ମାମଲା ହୋଇଛି। ବିଜେପି କର୍ମୀ ନିମେଶ ପାଠକଙ୍କ ସମେତ ଅନ୍ୟ ବିଜେପି ନେତା ମଧ୍ୟ ଏତଲା ଦେଇଛନ୍ତି।
ମିଛ ପ୍ରଚାର ଦିଗରେ କଂଗ୍ରେସ ସବୁ ସୀମା ଟପିଯାଇଛି ବୋଲି ବିଜେପି ରାଜ୍ୟ ସଭାପତି ଭି ଡି ଶର୍ମା କହିଛନ୍ତି। କଂଗ୍ରେସ ନେତାମାନେ ମଧ୍ୟପ୍ରଦେଶ ବିଜେପି ସରକାରକୁ ବଦନାମ କରିବା ପାଇଁ ଏକ ମିଛ ଚିଠିକୁ ଭାଇରାଲ କରିଥିବା ଅଭିଯୋଗ ହୋଇଛି।
ଏପରିକି ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତାମାନେ ଏହାର ସତ୍ୟାସତ୍ୟ ଯାଞ୍ଚ ନ କରି ଏହାକୁ ଟ୍ୱିଟ କଲେ ବୋଲି ଶର୍ମା ପ୍ରଶ୍ନ କରିଛନ୍ତି। ସେପଟେ ପ୍ରିୟଙ୍କା ଆଣିଥିବା ଅଭିଯୋଗକୁ ମଧ୍ୟପ୍ରଦେଶ ଗୃହ ମନ୍ତ୍ରୀ ନରୋତ୍ତମ ମିଶ୍ରା ଖଣ୍ଡନ କରିବା ସହ କଂଗ୍ରେସ ଠାରୁ ଏ ନେଇ ପ୍ରମାଣ ମାଗିଛନ୍ତି।
ଯଦି କଂଗ୍ରେସ ପ୍ରମାଣ ଦେଖାଇ ପାରିବ ନାହିଁ, ତା ହେଲେ ସରକାର ଆଇନଗତ ପଦକ୍ଷେପ ଗ୍ରହଣ କରିବାର ବିକଳ୍ପ ରହିଛି ବୋଲି ସେ ଚେତାବନୀ ଦେଇଛନ୍ତି। ପ୍ରିୟଙ୍କା ଗାନ୍ଧୀଙ୍କ ଟ୍ଵିଟ ଅନୁଯାୟୀ ମଧ୍ୟପ୍ରଦେଶର ଠିକାଦାର ମାନେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ୫୦ ପ୍ରତିଶତ କମିଶନର କଥା କହିଥିଲେ।
ସେମାନଙ୍କ କାମର ଅର୍ଥ ଦେବା ପାଇଁ ୫୦ ପ୍ରତିଶତ କମିଶନ ଦେଇଥିବା ଏହି ଚିଠିରେ ଅଭିଯୋଗ କରାଯାଇଥିବା ପ୍ରିୟଙ୍କା ଟ୍ୱିଟ କରିଛନ୍ତି। ଜ୍ଞାନେନ୍ଦ୍ର ଅୱସ୍ଥି ନାମକ ଜଣେ ବ୍ୟକ୍ତି ଏହି ଚିଠି ଲେଖିଥିବା କୁହାଯାଉଛି। କିନ୍ତୁ ଏହାର କୌଣସି ଆଧାର ନ ଥିବା ଓ ଏହା ମିଛ ଚିଠି ବୋଲି ବିଜେପି କହିଛି।
ସେପଟେ ପ୍ରିୟଙ୍କାଙ୍କ ୫୦ ପ୍ରତିସତ କମିଶନର ଟ୍ୱିଟ ବିରୋଧରେ ବିଜେପିର ଏତଲାକୁ ନେଇ ଆନ୍ଦୋଳନକୁ ଓଲ୍ହାଇବା ସହ ବର୍ଷିଛି କଂଗ୍ରେସ। କଂଗ୍ରେସ ନେତାଙ୍କ ବିରୋଧରେ ବିଜେପି ଶତାଧିକ ଏତଲା ଦାଖଲ କଲେ ମଧ୍ୟ ଦୁର୍ନୀତି ବିରୋଧରେ ଦଳୀୟ ନେତାମାନେ ସ୍ୱର ଉତ୍ତୋଳନ କରିଚାଲିବେ ବୋଲି କଂଗ୍ରେସ ସାଂସଦ କେ ସି ଭେନୁଗୋପାଳ କହିଛନ୍ତି।
ଏପରିକି ବିଜେପିର ଏଭଳି ଆଭିମୁଖ୍ୟକୁ ବିରୋଧ କରି ମଧ୍ୟପ୍ରଦେଶରେ କଂଗ୍ରେସ ନେତାମାନେ ରାଜରାସ୍ତାକୁ ଓଲ୍ହାଇଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିରୋଧ ପ୍ରଦର୍ଶନ କରାଯାଇଛି। ଆଗକୁ ନିର୍ବାଚନ ଥିବାରୁ କଂଗ୍ରେସ ଏହି ୫୦ ପ୍ରତିଶତ କମିଶନ ପ୍ରସଙ୍ଗକୁ ମଧ୍ୟପ୍ରଦେଶରେ ମୁଖ୍ୟ ଅସ୍ତ୍ର କରିଛି।
କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ୪୦ ପ୍ରତିଶତ କମିଶନ ପ୍ରସଙ୍ଗ କଂଗ୍ରେସ ସଫଳତାର ଏକ ପ୍ରମୁଖ ଅଂଶ ବୋଲ କୁହାଯାଏ। କର୍ଣ୍ଣାଟକରେ ପୂର୍ବର ବିଜେପି ସରକାରକୁ ୪୦ ପ୍ରତିଶତ କମିଶନର ସରକାର ବୋଲି କହିବା ସହ ଏହାକୁ ବ୍ୟାପକ ପ୍ରଚାର ପ୍ରସାର କରିଥିଲା କଂଗ୍ରେସ।
କର୍ଣ୍ଣାଟକରେ ଏହି ପ୍ରସଙ୍ଗକୁ ବିଜେପି ସେଭଳି ଢଙ୍ଗରେ କାଉଣ୍ଟର ମଧ୍ୟ କରି ନ ଥିଲା। ଏବେ ମଧ୍ୟପ୍ରଦେଶରେ କଂଗ୍ରେସ ଏଭଳି ଫଣ୍ଡା ଆପଣାଉଥିବା କୁହାଯାଉଛି। ଏହାକୁ ନେଇ କଂଗ୍ରେସ ମାହୋଲ ତିଆରି କରୁଥିବା ବେଳେ ବିଜେପି ପାଇଁ ଏହା ମୁଣ୍ଡବିନ୍ଧାର କାରଣ ସାଜିଥିବା ଚର୍ଚ୍ଚା ହେଉଛି।
ଯେଉଁଥିପାଇଁ ବିଜେପି ଏହାକୁ ଜୋରଦାର କାଉଣ୍ଟର କରିବା ଆରମ୍ଭ କରିଛି। ସେଥିପାଇଁ ଏ ପ୍ରସଙ୍ଗକୁ ନେଇ ବିଜେପି ପକ୍ଷରୁ ଏତଲା ଦିଆଯିବା ସହ ଦଳର ନେତାମାନେ ପ୍ରତିକ୍ରିୟାଶୀଳ ହେଉଥିବାରୁ କଂଗ୍ରେସ ଏହି ପ୍ରସଙ୍ଗକୁ ଆହୁରି ବ୍ୟାପକ କରିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି।
ତେଣୁ କର୍ଣ୍ଣାଟକ ଭଳି ଏହା କଂଗ୍ରେସକୁ ଲାଭ ଦେବ ନା ବିଜେପି ଏହାକୁ ପ୍ରତିହତ କରିବାକୁ ସମର୍ଥ ହେବ ତାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।
Comments are closed.