Latest Odisha News

BREAKING NEWS

ଶରଦ ‘ଇଣ୍ଡିଆ’ ର ନା ଏନଡିଏର, ବୁଝିପାରୁନାହାନ୍ତି ବିରୋଧୀ !

ଭୁବନେଶ୍ୱର: ଚଳିତ ମାସ ୩୧ ତାରିଖରେ ମୁମ୍ବାଇରେ ହେବାକୁ ଥିବା ବିରୋଧୀ ମେଣ୍ଟ ଇଣ୍ଡିଆର ତୃତୀୟ ବୈଠକକୁ ନେଇ ନାନା ଆକଳନ ମୁଣ୍ଡ ଟେକିଲାଣି। ବିରୋଧୀଙ୍କ ଏହି ବୈଠକ ବହୁ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରିଥିବାବେଳେ ବରିଷ୍ଠ ନେତା ଶରଦ ପାୱାର ଓ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମଧ୍ୟରେ ଗୁପ୍ତ ବୈଠକକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଏଭଳି ସ୍ଥିତିରେ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ ଓ ଉଦ୍ଧବ ଠାକରେଙ୍କ ମଧ୍ୟରେ ଆଲୋଚନା ହୋଇଛି। ବିରୋଧୀ ମେଣ୍ଟର ତୃତୀୟ ବୈଠକ ଅଗଷ୍ଟ ୩୧ ଓ ସେପ୍ଟେମ୍ବର ଏକ ତାରିଖ ଦୁଇଦିନ ଧରି ହେବାକୁ ଥିବାବେଳେ ଏ ସମ୍ପର୍କରେ ଉଭୟ ନେତା ଚର୍ଚ୍ଚା କରିଛନ୍ତି।

ଏପରିକି ଶରଦ ପାୱାର ଓ ଅଜିତ ପାୱାରଙ୍କ ମଧ୍ୟରେ ଭେଟଘାଟ ମହାରାଷ୍ଟ୍ରର ଏମଭିଏ ମେଣ୍ଟ ମଧ୍ୟରେ ଭୃକୁଞ୍ଚନ ସୃଷ୍ଟି କରିଥିବା କୁହାଯାଉଛି। ଯେଉଁ ପ୍ରସଙ୍ଗରେ ମଧ୍ୟ ଉଭୟ ଉଦ୍ଧବ ଠାକରେ ଓ ନାନା ପାଟୋଲେ ଆଲୋଚନା କରିଥିବା କୁହାଯାଉଛି।

ମହାରାଷ୍ଟ୍ରବାସୀ ଏମଭିଏ ମେଣ୍ଟକୁ ଏକ ବୋଲି ବିଚାର କରୁଥିବା ବେଳେ ଏହା ମଧ୍ୟରେ କିଛି ଭ୍ରମ ରହିବା ଉଚିତ ନୁହେଁ ବୋଲି ନାନା କହିଛନ୍ତି। ଏମଭିଏ ଏକାଠି ଅଛି ବୋଲି ସେ କହିଛନ୍ତି।

ସେପଟେ ଅଜିତ ପାୱାରଙ୍କୁ ଭେଟିବା ପ୍ରସଙ୍ଗକୁ ଶରଦ ପାରିବାରିକ ରୂପ ଦେଇଥିଲେ ମଧ୍ୟ ଶରଦ ପାୱାର ସନ୍ଦେହ ଘେରକୁ ଆସିଛନ୍ତି। ଏପରିକି ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଗୋଟିଏ ମଞ୍ଚରେ ଶରଦ ଏକାଠି ହୋଇ ବିରୋଧୀ ଦଳ ନେତାଙ୍କ ରୋଷର ଶିକାର ହୋଇଛନ୍ତି।

ତେଣୁ ଆଗକୁ ମୁମ୍ବାଇରେ ବିରୋଧୀ ଦଳ ଇଣ୍ଡିଆର ନିର୍ଣ୍ଣାୟକ ବୈଠକ ଥିବାବେଳେ ଶରଦ ପାୱାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଛି। ବିରୋଧୀ ମେଣ୍ଟର ସଫଳତା ଦିଗରେ କିଛି ବି ଯେମିତି ପ୍ରତିବନ୍ଧକ ନ ସାଜିବ ସେଥିପାଇଁ ବିରୋଧୀ ଏ ପ୍ରସଙ୍ଗକୁ ଗୁରୁତ୍ୱ ଦେଉଛନ୍ତି।

ଖାଲି ସେତିକି ନୁହେଁ ଶରଦ ପାୱାରଙ୍କ ଆଗାମୀ ଯୋଜନା କଣ ବିରୋଧୀ ମେଣ୍ଟ ତାଙ୍କୁ ଭରସା କରିପାରିବ କି ବୋଲି ଏମିତି ଅନେକ ପ୍ରଶ୍ନ ଉଠିଥିବା ବେଳେ ଉଦ୍ଧବ ଓ ନାନାଙ୍କ ବୈଠକରେ ଏସବୁ ଦିଗକୁ ନେଇ ଆଲୋଚନା ହୋଇଥିବା କୁହାଯାଇଛି।

Leave A Reply

Your email address will not be published.